ଶୋଭାଯାତ୍ରାକୁ ନେଇ ଗୋଷ୍ଠୀ ସଂଘର୍ଷ ୨୫ ଆହତ, ୧୦ ଗୁରୁତର

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଞ୍ଚଳରେ ଝାମୁଯାତ୍ରା  ଶୋଭାଯାତ୍ରା ଯିବା ବେଳେ ମାଳ ଭୋଇସାହି ଓ ଚାରିମାଣିଆ ଭୋଇ ସାହିର ଦୁଇ ଗୋଷ୍ଠୀର ଯୁବକଙ୍କ ମଧ୍ୟରେ ରବିବାର ଅପରାହ୍‌ଣରେ ଉପୁଜିଥିବା ଗଣ୍ଡଗୋଳ ଆଜି ପୂର୍ବାହ୍ନରେ ପୁଣି ଉଗ୍ରରୂପ ନେଇଛି। ଉଭୟ ଗୋଷ୍ଠୀର ଯୁବକମାନେ ପୁରୀ କେନାଲ୍‌ ବ୍ରିଜ୍‌ ନିକଟରେ ପରସ୍ପରକୁ ଇଟା ପଥର ଫିଙ୍ଗିବା ସହିତ ଠେଙ୍ଗାବାଡ଼ିରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ୨୫ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସମସ୍ତଙ୍କୁ ପ୍ରଥମେ ପରିବାର ଲୋକ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଅଧିକ କ୍ଷତାକ୍ତ ଥିବା ଉଭୟ ଗ୍ରାମର ଲୋକଙ୍କୁ କ୍ୟାପିଟାଲ ହସ୍ପିଟାକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି। ଏନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅଧିକ ଗଣ୍ଡଗୋଳ ଆଶଙ୍କାରେ ଗ୍ରାମରେ ପୁଲିସ ମୁତୟନ କରାଯାଇଛି। ଗୁରୁତରମାନେ ହେଲେ ମୁନା ଭୋଇ , ଅମୂଲ୍ୟ ଭୋଇ, ବିଜୟ ବେହେରା, ଲକ୍ଷୀଧର ବେହେରା (୭୮), ଶଙ୍କର ଭୋଇ (୩୬), ବିନୁ ବେହେରା (୫୦), ଅକ୍ଷୟ ବେହେରା (୩୫), ସୋମନାଥ ଦଳେଇ (୪୫ , ଚରଣ ବେହେରା (୨୬) ଓ ଧୂଳ ଭୋଇ (୬୦)। ଏ ସଂପର୍କରେ ଖବର ପାଇ ପିସିଆର୍‌ ଟିମ୍‌ ସହିତ ବାଳକାଟି ଫାଣ୍ଡି ଅଧିକାରୀ ଦେବେନ୍ଦ୍ର କୁମାର ସାହୁ ଓ ଥାନା ଅଧିକାରୀ ପ୍ରଦୀପ ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲେ। ଉଭୟ ଚାରିମାଣିଆ ଓ ମାଳ ଭୋଇସାହି ଝାମୁଯାତ୍ରା କମିଟି କାର୍ଯ୍ୟକର୍ତାଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ଅପରାହ୍‌ଣରେ ଭଗବତୀ ମନ୍ଦିର ପରିସରରେ ଚାଲିଥିବା ଝାମୁଯାତ୍ରା ପଡ଼ିଆକୁ ଚାରିମାଣିଆ ମେଢ଼ ଶୋଭାଯାତ୍ରା ଯାଉଥିବା ବେଳେ ରାସ୍ତାରେ ଡିଜେ ଖରାପ ହୋଇଯାଇଥିଲା। ସେହି ବାଟ ଦେଇ ଆସୁଥିବା ମାଳ ଭୋଇସାହି ଶୋଭାଯାତ୍ରା ଅଟକି ରହିଥିଲା। ହେଲେ ରାସ୍ତା ଅବରୋଧ କରି ରଖିବା ନେଇ ସେଠାରେ ଉଭୟ ଗୋଷ୍ଠୀର ଯୁବକମାନଙ୍କ ମଧ୍ୟରେ ଯୁକ୍ତିତର୍କ  ଓ ମାରପିଟ ହୋଇଥିଲା। ଗଣ୍ଡଗୋଳର ଆଜି ଆପୋସ ସମାଧାନ ହେବାକୁ ଥିଲା। କିନ୍ତୁ ପୂର୍ବାହ୍ନରେ ଚାରିମାଣିଆ ଗ୍ରାମର ଜଣେ ଯୁବକ ପୁରୀ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ମାଳଭୋଇ ସାହିର କିଛି ପିଲା ତାଙ୍କୁ କାବୁ କରି ନେଇ ଅଟକ ରଖିଥିଲେ। ଏହି ଖବର ପ୍ରଚାରିତ ହୋଇଯିବା ପରେ ଚାରିମାଣିଆ ଯୁବକମାନେ ସେଠାରେ ପହଞ୍ଚିଯିବାରୁ ଘଟଣାସ୍ଥଳ ରଣକ୍ଷେତ୍ର ପାଲଟିଥିଲା। ଦୁଇ ଗୋଷ୍ଠୀର ଯୁବକମାନେ ପରସ୍ପର ଉପରକୁ ଟେକା ପଥର ଫିଙ୍ଗିବା ସହ  ଠେଙ୍ଗାବାଡ଼ିରେ ଆକ୍ରମଣ କରିଥିଲେ। ଅଧିକାଂଶ ପୁରୁଷ ଓ ମହିଳା ସାମାନ୍ୟ ଆହତ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇପଡ଼ିଥିଲେ।

ସମ୍ବନ୍ଧିତ ଖବର