ଖଣ୍ଡଗିରି: ତମାଣ୍ଡୋ ଥାନା ଅନ୍ତର୍ଗତ ଭଗବାନପୁରରେ ଶୁକ୍ରବାର ଆରମ୍ଭ ହୋଇଥିବା କଣ୍ଢେଇ ମେଳଣରେ ଗଣ୍ଡଗୋଳ ଘଟିବାରୁ ଯାତ୍ରା ବନ୍ଦ ହୋଇ ଯାଇଛି। ଅପେରା ପାର୍ଟି ରେକର୍ଡ ଡ୍ୟାନ୍ସ ପରିବେଷଣ କରୁଥିବା ବେଳେ ଗଣ୍ଡଗୋଳ ହେବାରୁ ଏପରି ହୋଇଥିବା ସୂଚନା ମିଳିଛି। ପରିଚାଳନା କମିଟି ଓ ଗ୍ରାମର କିଛି ଲୋକଙ୍କ ମଧ୍ୟରେ ଥିବା ମତଭେଦକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି। କିନ୍ତୁ ବହୁ ଉଦ୍ୟମ ସତ୍ତ୍ବେ ଏହାର ସମାଧାନ ହୋଇନପାରିବାରୁ ଦ୍ବିତୀୟ ରାତି ମଧ୍ୟ ଯାତ୍ରା ପରିବେଷଣ ବନ୍ଦ ହୋଇଯାଇଛି। ତେବେ ଏନେଇ ଥାନାରେ କୌଣସି ପକ୍ଷ ଲିଖିତ ଅଭିଯୋଗ କରି ନଥିବା ବେଳେ ପୁଲିସ ଭଦ୍ରଲୋକଙ୍କ ସହଯୋଗରେ ମାମଲାର ସମାଧାନ ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି। ସୂଚନାନୁସାରେ ଶୁକ୍ରବାର ଦିନ ବେଳା ବଡ଼ ଧୂମ୍ଧାମ୍ରେ ମେଳଣର ଜମାଣ ପର୍ବ ଆରମ୍ଭ ହୋଇଥିଲା। ରାତିରେ ଅପେରା ପାର୍ଟି ଯାତ୍ରା ପରିବେଷଣ ଆରମ୍ଭ କରିଥିଲା। ସବୁକିଛି ଠିକ୍ଠାକ୍ ଥିଲା। ତେବେ ଦ୍ବିତୀୟ ରେକର୍ଡ ଡ୍ୟାନ୍ସ ଆରମ୍ଭ ହେବା ମାତ୍ରେ କିଛି ଯୁବକ ଯାତ୍ରା ପେଣ୍ଡାଲ ଉପରକୁ ଉଠି ହୋ-ହଲ୍ଲା କରିଥିଲେ। ଫଳରେ କଳାକାରମାନେ ଭୟରେ ପେଣ୍ଡାଲ ଛାଡ଼ି ଗ୍ରିନ୍ ହାଉସ୍ ଭିତରକୁ ପଳାଇଥିଲେ। ଏହା ଦେଖି ପରିଚାଳନା କମିଟିର ସଭ୍ୟମାନେ ମଞ୍ଚ ଉପରକୁ ଉଠି ଗଣ୍ଡଗୋଳକାରୀମାନଙ୍କୁ ବୁଝାସୁଝା କରିଥିଲେ। ମାତ୍ର ସେମାନେ ପାଲଟା ସେମାନଙ୍କୁ ଠେଲାପେଲା କରିଥିଲେ। ଫଳରେ ଗଣ୍ଡଗୋଳ ବଢ଼ି ଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ଥିବା ତମାଣ୍ଡୋ ଥାନା ପୁଲିସ ଉଭୟ ପକ୍ଷଙ୍କୁ ପେଣ୍ଡାଲରୁ ହଟାଇ ଗଣ୍ଡଗୋଳ ରୋକିବାରେ ସଫଳ ହୋଇଥିଲା। କିନ୍ତୁ ସେତେବେଳକୁ ଗଣ୍ଡଗୋଳ ଦେଖି ଭୟରେ ଦର୍ଶକମାନେ ମେଳଣ ପଡ଼ିଆରୁ ଚାଲି ଯାଇଥିଲେ। ସମାଧାନର ବାଟ ନ ବାହାରିବାରୁ ବାଧ୍ୟ ହୋଇ ପୁଲିସ ଯାତ୍ରା ବନ୍ଦ କରିବାକୁ ନିର୍ଦେଶ ଦେଇଥିଲା।
କଣ୍ଢେଇ ମେଳଣରେ ଗଣ୍ଡଗୋଳ, ଯାତ୍ରା ବନ୍ଦ
/sambad/media/post_attachments/wp-content/uploads/2019/04/Untitled-21-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)