ଭୁବନେଶ୍ୱର: ଚେକିଂ ବେଳେ ଯୁବକଙ୍କ ଉନ୍ମତ୍ତକାଣ୍ଡ। ଟ୍ରାଫିକ୍ ପୁଲିସକୁ ମାଡ଼ ମାରି ଥାନାରେ ଅଟକ। ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ନୂଆପଲ୍ଲୀ ଥାନା ଅଧୀନ ପାଲହାଇଟସ୍ ନିକଟରେ। ତେବେ ଯୁବକଙ୍କ କାଣ୍ଡ ଦେଖି ଯିବା ଆସିବା କରୁଥିବା ଲୋକ ଚକିତ ହୋଇ ଯାଇଥିଲେ। ଯାହାକୁ ନେଇ କିଛି ସମୟ ଲାଗି ସେଠାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରିବା ପରେ ପରିସ୍ଥିତି ଆୟତ୍ତକୁ ଆସିଥିଲା।
ସୂଚନା ମୁତାବକ, ରବିବାର ଦିନ ପ୍ରାୟ ସାଢ଼େ ୧୧ଟାରେ ଚନ୍ଦ୍ରଶେଖରପୁର ଟ୍ରାଫିକ୍ ପକ୍ଷରୁ ଚେକିଂ ଚାଲିଥାଏ। ଏହି ସମୟରେ ଦୁଇଜଣ ଯୁବକ ଆନ୍ଧ୍ରପ୍ରଦେଶ ନମ୍ବର ଥିବା ମାରୁତି କାର୍ରେ ଆସଥିଲେ। ବାହାର ନମ୍ବର ଥିବାରୁ ସେଠାରେ ଥିବା ଟ୍ରାଫିକ୍ ପୁଲିସ ଜଣଙ୍କ ଗାଡ଼ିକୁ ଅଟକାଇଥିଲେ। ଗାଡ଼ି କାଗଜପତ୍ର ମାଗିବା ସହ ସିଟ୍ ବେଲ୍ଟ ପିନ୍ଧି ନଥିବାରୁ ଜରିମାନା ଦେବା ପାଇଁ କହିଥିଲେ। ଏତିକିରେ ଯୁବକଜଣଙ୍କ ରାଗି ପଞ୍ଚମ ହୋଇଯାଇଥିଲେ। ଯୁବକଜଣଙ୍କ କାର୍ରୁ ବାହାରି ଟ୍ରାଫିକ୍ ପୁଲିସଙ୍କୁ କାଗଜପତ୍ର ଦେବା ବଦଳରେ ଯୁକ୍ତିତର୍କ କରିଥିଲେ। କଥା କଟାକଟିରୁ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଚାନକ ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କୁ ଯୁବକଜଣଙ୍କ ଆକ୍ରମଣ କରିଥିଲେ। ଟ୍ରାଫିକ୍ ପୁଲିସ ନିଜକୁ ଯୁବକଙ୍କ କବଳରୁ ବଞ୍ଚିବା ପାଇଁ ପାଲଟା ଆକ୍ରମଣ କରିଥିଲେ। ଆଉ ଏହାପରେ ଆରମ୍ଭ ହୋଇଯାଇଥିଲା ଯୁବକଙ୍କ ନାଟକ। ମାଡ଼ପିଟ ପରେ ଯୁବକଜଣଙ୍କ ରାସ୍ତା ମଝିରେ ଶୋଇ ରହିଥିଲେ। ଫଳରେ ଅଧଘଣ୍ଟାଏ କାଳ ସେଠାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। କେତେକ ଉତ୍ତ୍ୟକ୍ତ ଲୋକ ଯୁବକଙ୍କୁ ମାଡ଼ ମାରି ସେଠାରୁ ଉଠାଇଥିଲେ। ଏହାପରେ ପୁଲିସ ଯୁବକଙ୍କୁ ସେଠାରୁ ଥାନାକୁ ନେଇଥିଲା। ତେବେ ଯୁବକ ଅଟକ ଥିଲେ ହେଁ ଗାଡ଼ି ଚାଳକ ସେଠାରେ କାର୍ ନେଇ ଫେରାର୍ ହୋଇଯାଇଥିଲା। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଟ୍ରାଫିକ୍ ପୁଲିସକୁ ମାଡ଼ ମାରି ଯୁବକ ଅଟକ
ଚେକିଂ ବେଳେ ଉନ୍ମତ୍ତକାଣ୍ଡ
/sambad/media/post_attachments/wp-content/uploads/2018/07/jail-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)