ଖୋର୍ଧା/ବେଗୁନିଆ: ବୁଧବାର ପୂର୍ବାହ୍ଣରେ ବେଗୁନିଆ ପଞ୍ଚାୟତ କୁଶପଲ୍ଲା ଗାଁ ଖେଳ ପଡ଼ିଆଠାରେ ବିଜେଡିର ଏକ ଗୋଷ୍ଠୀର ପ୍ରତିବାଦ ସଭା ଚାଲିଥିବା ବେଳେ ଅଚାନକ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ସେଠାରେ ପହଞ୍ଚିଥିଲେ। ବିଧାୟକଙ୍କୁ ଦେଖି ବିରୋଧୀ ଗୋଷ୍ଠୀ ଉତ୍କ୍ଷିପ୍ତ ହୋଇ ପଡ଼ିଥିଲେ। ଚାହୁଁ ଚାହୁଁ ସଭାସ୍ଥଳ ରଣାଙ୍ଗନ ପାଲଟିଥିଲା। ବିଜେଡିିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଏଥିରେ ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ, ବିଧାୟକଙ୍କ ଉପସ୍ଥିତିରେ ବିରୋଧୀ ଗୋଷ୍ଠୀ ତାଙ୍କ କୁଶପୁତ୍ତଳିକା ଦାହ କରିବା ସହ ପାଣି ପାଉଚ୍ ମାଡ଼ କରିଥିଲେ। ଚେୟାର ଓ ଟମାଟୋ ପିଙ୍ଗିଥିଲେ। ଏହି ଘଟଣାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତିକୁ ନଜରରେ ରଖି ଗାଁ’ରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଖୋର୍ଧା ଉପଜିଲ୍ଲାପାଳ ସରୋଜ କୁମାର ସାହୁ, ଏସଡିିପିଓ ଯୁଗଳ କିଶୋର ଦାସ, ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡ଼ା, ଖୋର୍ଧା ଟାଉନ ଥାନା ଅଧିକାରୀ ରଂଜିତ କୁମାର ସାହୁ, ବେଗୁନିଆ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି।
ପ୍ରକାଶଥାଉକି, ଟିଟୋ ଗ୍ୟାଙ୍ଗ ସହିତ କୁଶପଲ୍ଲା ଗ୍ରାମର ବଟୁ ପାଣି ଓ ନବ ପାଣି ଦୁଇଭାଇ ସାମିଲ ହୋଇ ବାହାର ରାଜ୍ୟକୁ ଗୋରୁ ଚାଲାଣ କରୁଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ପୁଲିସ ଉଭୟଙ୍କୁ ଗିରଫ କରିଛି। ତେବେ ଗିରଫ ହୋଇଥିବା ବଟୁ ପାଣିଙ୍କ ସହିତ ବିଭିନ୍ନ ସଭା ସମିତିରେ ବିଧାୟକ ଶ୍ରୀ ଜଗଦ୍ଦେବ ଯୋଗ ଦେଇଥିବାର ଫଟୋ ସୋସିଆଲ ମିଡିିଆରେ ଭାଇରାଲ ହେବା ପରେ ବିଧାୟକଙ୍କ ଟିଟୋ ଲିଙ୍କ ରହିଛି ବୋଲି ବିରୋଧୀ ଗୋଷ୍ଠୀ ଅଭିଯୋଗ କରିଥିଲେ। ଏହାର ପ୍ରତିବାଦରେ ଆଜି ପୂର୍ବାହ୍ଣରେ କୁଶପଲ୍ଲା ଗାଁ ଖେଳ ପଡ଼ିଆଠାରେ ବିଧାୟକ ବିରୋଧୀ ବିଜେଡି ଗୋଷ୍ଠୀର ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ସାରୁଅରୁ ଏକ ବାଇକ ର୍ୟାଲି ବାହାରି କୁଶପଲ୍ଲାଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ଆଇନଶୃଙ୍ଖଳା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ସାରୁଅ, ବାଘମାରୀ ଓ ସିମୋରଠାରେ ୧୪୪ ଧାରା ଜାରି ହୋଇଥିବା ବେଳେ ହଜାର ହଜାର ସଂଖ୍ୟାର ଲୋକେ ବିଭିନ୍ନ ରାସ୍ତା ଦେଇ ସଭାସ୍ଥଳରେ ପହଞ୍ଚିଥିଲେ। ପ୍ରତିବାଦ ସଭା ଚାଲୁଥିବା ସମୟରେ ଅଚାନକ ବିଧାୟକ ଶ୍ରୀ ଜଗଦ୍ଦେବ ତାଙ୍କର ସମର୍ଥକମାନଙ୍କ ସହ ସେଠାରେ ପହଞ୍ଚିଥିଲେ। ଏହାକୁ ନେଇ ବିଧାୟକଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ, କଥା କଟାକଟି ହୋଇଥିଲା। ଫଳରେ ଉତ୍ତ୍ୟକ୍ତ କର୍ମୀମାନେ ବିଧାୟକଙ୍କ ଉପରକୁ ପାଣି ପାଉଚ ମାଡ଼ କରିବା ସହିତ ଚେୟାର ଓ ଟମାଟୋ ପିଙ୍ଗିଥିଲେ। ଉଭୟ ଗୋଷ୍ଠୀ ବାଉଁଶ ଓ ଚେୟାର ଧରି ପରସ୍ପରକୁ ଆକ୍ରମଣ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ବେଳେ ଘଟଣାସ୍ଥଳରେ ପୁଲିସ୍ ଫୋର୍ସ ପହଞ୍ଚିଥିଲା। ପୁଲିସକୁ ଦେଖି ଲୋକେ ଛତ୍ରଭଙ୍ଗ ଦେଇଥିଲେ। ମାତ୍ର ବିଧାୟକ ଶ୍ରୀ ଜଗଦ୍ଦେବ ସେଠାରେ ଉପସ୍ଥିତ ରହି ସଭା କରାଇ ନ ଦେବା ପାଇଁ ଉଦ୍ୟମ କରିଥିଲେ। ତାଙ୍କର ସମର୍ଥକମାନେ ବିରୋଧୀ ଗୋଷ୍ଠୀଙ୍କୁ ଆକ୍ରମଣ କରିବା ସହିତ ଖାଦ୍ୟ ସାମଗ୍ରୀ ଓ ଚେୟାର ଫିଙ୍ଗାଫିଙ୍ଗି କରିଥିଲେ। ଏହିି ଘଟଣାରେ ଭୋଗଡ଼ା ଗ୍ରାମର ଚୈତନ୍ୟ ଜୟସିଂହ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଅନ୍ୟ ଜଣେ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି। ଖବର ଲେଖା ହେଲା ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/BEGUNIA-bjd.jpg)