ଅଭିଭାବକ-ଶିକ୍ଷା ବିଭାଗ ମଧ୍ୟରେ ବିବାଦ

ୱାର୍ଡ଼ ସଭ୍ୟା, ସ୍ବେଚ୍ଛାସେବୀ ଓ ଟ୍ୟୁସନ୍‌ ମାଷ୍ଟର ପଢ଼ାଇଲେ ପାଠ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ବିଶରପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଏକ ସପ୍ତାହ ତଳେ ବିଜ୍ଞାନ ଓ ଗଣିତ ଶିକ୍ଷକ ବଦଳି ହେବା ଘଟଣା ଏବେ ଉଗ୍ରରୂପ ନେଇଛି। ଗ୍ରାମବାସୀ ଓ ଶିକ୍ଷା ବିଭାଗ ନିଜ ନିଜର ଜିଦରେ ଅଟଳ ରହିବାରୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ସ୍କୁଲରୁ ଡେପୁଟେସନ୍‌ରେ ଅନ୍ୟତ୍ର ଯାଇଥିବା ସଂପୃକ୍ତ ଶିକ୍ଷକଙ୍କୁ ଏଠାକୁ ପୁନର୍ବାର ଫେରାଇ ଆଣିବା ଅଥବା ତାଙ୍କ ସ୍ଥାନରେ ଅନ୍ୟ କୌଣସି ନୂତନ ଶିକ୍ଷକଙ୍କୁ ନିଯୁକ୍ତ କରା ନଯିବା ଯୋଗୁଁ ଏହି ସରକାରୀ ଶିକ୍ଷାନୁଷ୍ଠାନରେ ସାଂଘାତିକ ପରିସ୍ଥିତି ଉପୁଜିଛି। ଗ୍ରାମବାସୀମାନେ ସ୍କୁଲରେ ତାଲା ପକାଇ ରଖିଥିବାରୁ ଏଠାରେ କାର୍ଯ୍ୟରତ ଥିବା ଶିକ୍ଷକମାନେ ଆଉ ସ୍କୁଲକୁ ଆସୁ ନାହାନ୍ତି। ଯଦି କିଏ ଆସୁଛନ୍ତି, ସ୍କୁଲରେ ତାଲା ପଡ଼ିଥିବା ଦେଖି ଘରକୁ ଫେରି ଯାଉଛନ୍ତି। ଏଭଳି ପରିସ୍ଥିତିରେ ବ୍ଲକ ଶିକ୍ଷା ବିଭାଗ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନି ବୋଲି ଗ୍ରାମର ବୁଦ୍ଧିଜୀବୀ କହିଛନ୍ତି। ଗ୍ରାମବାସୀ ଓ ଶିକ୍ଷା ବିଭାଗ ମଧ୍ୟରେ ବିବାଦ ଯୋଗୁଁ ପିଲାଙ୍କ ବସ୍ତାନିରେ ଏକରକମ ଡୋରି ବନ୍ଧା ହୋଇଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ ହେବା ଫଳରେ ସମସ୍ୟାର ସମାଧାନ ପାଇଁ ଗ୍ରାମର ୱାର୍ଡସଭ୍ୟା ତରୁଲତା ଭୋଇ, ଟ୍ୟୁସନମାଷ୍ଟର ଦାମୋଦର ଭୋଇ ଓ ସ୍ବେଚ୍ଛାସେବୀ ବିଷ୍ଣୁ ଚରଣ ଭୋଇ ଅଣ୍ଟା ଭିଡ଼ିଛନ୍ତି। ଅଗଣି ବାବା ସମାଧି ପୀଠ ଚାନ୍ଦିନୀରେ ବସାଇ ବିଷ୍ଣୁ ପିଲାଙ୍କୁ ପାଠ ପଢ଼ାଇଥିବା ବେଳେ ତରୁ କୋଠ ଘରେ ଏବଂ ଦାମୋଦର ଅନନ୍ତଦେବଙ୍କ ମନ୍ଦିର ଚାନ୍ଦିନୀରେ ପାଠ ପଢ଼ାଇଥିଲେ। ବାଲିଅନ୍ତା ବ୍ଲକ ଅଞ୍ଚଳରେ ଏହି ଘଟଣା ସବୁ ମହଲରେ ଚର୍ଚାର ବିଷୟ ହୋଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦୃଷ୍ଟିରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର