ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ସରକାରଙ୍କ ଜନବିରୋଧୀ କାର୍ଯ୍ୟ ପ୍ରତିବାଦରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ କରାଯାଇଥିଲା। ଛାତ୍ର କଂଗ୍ରେସ ନେତା ଇତିଶ ପ୍ରଧାନଙ୍କ ନେତୃତ୍ୱରେ ୩ଟି ମେଡିକାଲ କଲେଜର ଶତାଧିକ ଡିଏମ୍‌ଏଲ୍‌ଟି, ଡିଏମ୍‌ଆର୍‌ଟି ଛାତ୍ରଛାତ୍ରୀ ଏବଂ ଛାତ୍ର କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନରୁ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉଦ୍ଦେଶ୍ୟରେ ଯାଇଥିଲେ। ରାଜମହଲ ଛକ ନିକଟରେ ଆନ୍ଦୋଳନକାରୀମାନେ ବ୍ୟାରିକେଡ୍‌ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ମାଡ଼ିଯିବାକୁ ଚେଷ୍ଟା କରିଥିଲେ। ସେଠାରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଉତ୍ତ୍ୟକ୍ତ ଛାତ୍ରମାନେ ପୁଲିସ ବସ୍‌ କାଚକୁ ଭାଙ୍ଗିବା ସହିତ ରାସ୍ତାରେ ବସି ପ୍ରତିବାଦ କରିଥିଲେ। ଫଳରେ ଦେଢ଼ ଘଣ୍ଟା କାଳ ମାଷ୍ଟରକ୍ୟାଣ୍ଟିନ୍‌ରୁ ରାଜମହଲ ଛକରେ ଯାତାୟାତ ଠପ୍‌ ହୋଇଯାଇଥିଲା। ପୁଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ପରେ ପରିସ୍ଥିତି ନିୟନ୍ତ୍ରିତ ହୋଇଥିଲେ। ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ଯେ, ରାଜ୍ୟ ସରକାରଙ୍କ ନିଦାନ ସେବା ଓ ଏକ ଘରୋଇ ସଂସ୍ଥା ମଧ୍ୟରେ ଚୁକ୍ତିନାମା ହୋଇଛି। ଏହି ସେବା ଏବେ ସରକାରୀ-ଘରୋଇ ଭାଗୀଦାରିରେ ଚାଲିଛି। ସରକାରୀ ଡାକ୍ତରଖାନାଗୁଡିକରେ ବହୁ ପଦବି ଖାଲି ଥିଲେ ମଧ୍ୟ ଅନେକ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାରୀ ଡାକ୍ତରଖାନାଗୁଡ଼ିକରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ୨୦୧୮-୧୯ରେ ଡିଏମ୍‌ଏଲ୍‌ଟି ଓ ଡିଏମ୍‌ଆର୍‌ଟିର ବାର୍ଷିକ କୋର୍ସକୁ ବାତିଲ କରିବା ପାଇଁ ଛାତ୍ର କଂଗ୍ରେସ ଦାବି କରିଛି। ଆସନ୍ତା ୭ ଦିନ ମଧ୍ୟରେ ଦାବି ପୂରଣ କରା ନଗଲେ ଛାତ୍ର କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରାଯିବ ବୋଲି ଶ୍ରୀ ପ୍ରଧାନ ଧମକ ଦେଇଛନ୍ତି। ଏହି ବିକ୍ଷୋଭରେ ଛାତ୍ର କଂଗ୍ରେସ ନେତା ନିରଞ୍ଜନ ନାୟକ, ଆଦିତ୍ୟ ପ୍ରୀତମ୍‌ ଦାସ, ଅଭିଷେକ ପରିଡ଼ା, ଅମରେନ୍ଦ୍ର ଶ୍ରୀଚନ୍ଦନ, ସତ୍ୟଜିତ୍‌ ମହାନ୍ତି, ଅକ୍ଷୟ ମଲ୍ଲଙ୍କ ସମେତ ବହୁ ଡିଏମ୍‌ଏଲ୍‌ଟି ଓ ଡିଏମ୍‌ଆର୍‌ଟିର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Advertisment