ଶାନ୍ତିପଲ୍ଲୀରେ ‘ନିଶା ବିରୋଧରେ ଲଢ଼େଇ’ ସଚେତନତା କାର୍ଯ୍ୟକ୍ରମ

ଯୋଗଦେଲେ ହାସ୍ୟ ଅଭିନେତା ପ୍ରଜ୍ଞା, ଶଙ୍କର

ଭୁବନେଶ୍ବର: ଭୁବନେଶ୍ବରରେ ନିଶାଗ୍ରସ୍ତ ଯୁବକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ କମିସନରେଟ୍‌ ପୁଲିସର ସଚେତନତା କାର୍ଯ୍ୟକ୍ରମ “ନିଶା ବିରୁଦ୍ଧରେ ଲ‌ଢ଼େଇ: ଏକ ସାମାଜିକ ଆହ୍ବାନ” ଆଜି ଶାନ୍ତିପଲ୍ଲୀ ବସ୍ତିରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଡ୍ରିମ୍ସର ପ୍ରକଳ୍ପ ନିର୍ଦ୍ଦେଶକ ଶିଶିର କୁମାର ଦାସ, ଟ୍ୟାଲେଣ୍ଟ ସିଗମା ସଂସ୍ଥାର ନିର୍ଦ୍ଦେଶକ ପରେଶ ଚନ୍ଦ୍ର ମହାନ୍ତି ଏବଂ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ରଙ୍କ ସହିତ ହାସ୍ୟାଭିନେତା ପ୍ରଜ୍ଞା ଓ ଶଙ୍କର ଯୋଗଦେଇ ବସ୍ତିବାସିନ୍ଦାଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ୱର ସହର ମଧ୍ୟରେ ନିଶା ସେବନ ଦ୍ବାରା ସମାଜ ଉପରେ ପଡ଼ୁଥିବା କୁ-ପ୍ରଭାବକୁ ରୋକିବା ପାଇଁ ପ୍ରୟାସ କରାଯାଉଛି। ବିଭିନ୍ନ ବସ୍ତି ଓ ଶିକ୍ଷାନୁଷ୍ଠାନମାନଙ୍କରୁ ଏହିଭଳି ୪ହଜାର ଯୁବକଙ୍କୁ ୪ମାସ ମଧ୍ୟରେ ନିଶା ସେବନ ଅଭ୍ୟାସରୁ ମୁକ୍ତ କରିବାକୁ ଏଥିରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରାଥମିକ ଭାବେ ୫୦ଜଣ ନିଶା ସେବନକାରୀଙ୍କୁ ଏହି ସଂସ୍ଥା ଦ୍ୱାରା ନିଶାମୁକ୍ତ କରିବାର ପ୍ରୟାସ କରାଯାଇ ସେମାନଙ୍କ ତାଲିକା ପ୍ରସ୍ତୁତ କରି ପ୍ରଥମେ ସେମାନଙ୍କୁ ଉଚିତ ପରାମର୍ଶ ପ୍ରଦାନ ସହ ନିଜ ମନରେ ସଚେତନତା ସୃଷ୍ଟି ପାଇଁ ସେମାନଙ୍କୁ ମୂଲ୍ୟବୋଧ ଓ ନୈତିକ ଶିକ୍ଷା ପ୍ରଦାନ ସହ ଧନ୍ଦାମୂଳକ ବିଭିନ୍ନ ତାଲିମ୍‌ ପ୍ରଦାନର ବ୍ୟବସ୍ଥା କରାଯାଉଛି।

ଉଲ୍ଲେଖଯୋଗ୍ୟ, କମିସନରେଟ୍ ପୁଲିସର ପ୍ରୟାସ ତଥା ଓଡ଼ିଶା ଖଣି ନିଗମର ସହଯୋଗିତା ଓ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ ଆଣ୍ଡ କେୟାରଙ୍କ ମିଳିତ ଭାଗୀଦାରିରେ ‘‘ଟିମ୍ ଡ୍ରିମ୍ସ’’ ପ୍ରକଳ୍ପ ଗଠନ କରାଯାଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଗାଡ଼କଣରେ ପ୍ରଥମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର