‌‌ମୋତେ ଭୋଟ୍‌ ଦିଅ, ମୁଁ ସେବା କରିବି: ୨୧ ନମ୍ବର ଜୋନ୍‌ରେ ଦମ୍‌ଦାର ଲଢ଼େଇ, ରହିଛି ସମଗ୍ର ଜିଲ୍ଲାର ନଜର

ବାଲିପାଟଣା : ଖୋର୍ଦ୍ଧା ଜିଲ୍ଲା ୨୧ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ଆସନରେ ଘମାଘୋଟ ଲଢ଼େଇ ହେଉଛି। ବାଲିପାଟଣାର ସ୍ଥାନୀୟ ତୁଙ୍ଗ ନେତାମାନେ ଏଠାରେ ପ୍ରାର୍ଥୀ ହୋଇଥିବାରୁ ଏହି ଜୋନ୍‌ ଉପରେ ସମଗ୍ର ଖୋର୍ଦ୍ଧା ଜିଲ୍ଲାର ନଜର ରହିଛି। ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କୁ ଅଣଦେଖା କରି କମଳ ପାତ୍ରଙ୍କ ନେତୃତ୍ବରେ ବିଜେଡି ଏଠାରେ ପ୍ରାର୍ଥୀ ଦେଇଥିବା ବେଳେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ପ୍ରଶାନ୍ତ ଆଦିତ୍ୟ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ଏଠାରେ କଂଗ୍ରେସ ଓ ବିଏସ୍‌ପି ମଧ୍ୟ ପ୍ରାର୍ଥୀ ଦେଇଛି। ଏହାବାଦ୍ ଅନ୍ୟ ତିନିଜଣ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି।

ଏହି ଆସନ ପାଇଁ ବିଜେଡିରୁ ପବିତ୍ର ମୋହନ ପଟେଲ, ବିଜେପିରୁ ପ୍ରଶାନ୍ତ ଆଦିତ୍ୟ, କଂଗ୍ରେସରୁ ମହମ୍ମଦ ସାହାଦୁଲ୍ଲା, ବିଏସ୍‌ପିରୁ ଟୁକୁନା ଭୋଇ ପ୍ରାର୍ଥୀ ହୋଇଥିବା ବେଳେ ବିଭୂତି ଭୂଷଣ ପାତ୍ର, ସୁବଳ ମଲ୍ଲିକ ଓ ଆଦିତ୍ୟ ରଞ୍ଜନ ବାରିକ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି। ୨୦୦୭ ମସିହାରୁ ଏହି ଆସନ ବିଜେଡି ହାତରୁ ଖସି ଯାଇଛି। ୨୦୧୨ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ତଥା ଅସନ୍ତୁଷ୍ଟ ବିଜେଡି ନେତା ସୌମ୍ୟରଞ୍ଜନ ତ୍ରିପାଠୀ ବିଜୟୀ ହୋଇଥିଲେ। ୨୦୧୭ ନିର୍ବାଚନରେ ବିଜେପି ପ୍ରାର୍ଥୀ ରାଜଲକ୍ଷ୍ମୀ ଉପାଧ୍ୟାୟ ଏଠାରୁ ବିଜୟୀ ହୋଇଥିଲେ। ତେଣୁ ଏଥର କୌଣସି ମତେ ବିଜେଡି ପୁଣି ଏହି ଆସନକୁ କବ୍‌ଜା କରିବାକୁ କମଳ ପାତ୍ର ଲାଗି ପଡ଼ିଛନ୍ତି। କିନ୍ତୁ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଆଦିତ୍ୟଙ୍କ ଭଳି ଟାଣୁଆ ପ୍ରତିପକ୍ଷ ବିଜେଡି ପାଇଁ ସହଜରେ ରାସ୍ତା ଛାଡ଼ିବ ନାହିଁ ବୋଲି କୁହାଯାଉଛି। ଗତଥର ଏହି ଆସନ ବିଜେପି ଦଖଲରେ ଥିବାରୁ ଏଥର କୌଣସି ହାଲ୍‌ରେ ବି ଏହାକୁ ହାତଛଡ଼ା କରିବାକୁ ଚାହୁନାହିଁ। ପୂର୍ବରୁ ପ୍ରଶାନ୍ତ ଆଦିତ୍ୟ ଏହି ବ୍ଲକ୍‌ର ଅଧ୍ୟକ୍ଷ ଥିଲେ ଓ ତାଙ୍କ ସ୍ତ୍ରୀ ମନୀଷା ମଧ୍ୟ ବ୍ଲକ୍‌ ଅଧ୍ୟକ୍ଷା ଥିଲେ। ତେଣୁ ଏହି ବ୍ଲକ୍‌ରେ ପ୍ରଶାନ୍ତଙ୍କ ଦବ୍‌ଦବା ରହିଛି। ତେବେ ରୋଚକ କଥାଟି ହେଉଛି ପୂର୍ବରୁ ପ୍ରଶାନ୍ତଙ୍କ ଶକ୍ତି ଥିଲେ କମଳ ପାତ୍ର। କମଳଙ୍କ ସହଯୋଗରେ ପ୍ରଶାନ୍ତ ଓ ତାଙ୍କ ସ୍ତ୍ରୀ ମନୀଷା ବ୍ଲକ୍‌ ଅଧ୍ୟକ୍ଷ ହୋଇପାରିଥିଲେ। କିନ୍ତୁ ଏଥର ଏମାନେ ଦୁଇ ଭାଗ ହୋଇଛନ୍ତି ଓ ମୁହାଁମୁହିଁ ମଧ୍ୟ ହୋଇଛନ୍ତି। ବିଧାୟକ ଢାଲିଙ୍କୁ ବାଦ୍‌ ଦେଇ କମଳ ବିଜେଡି ଟିକେଟ୍‌ରେ ପବିତ୍ର ପ୍ରାର୍ଥୀ କରିଥିବାରୁ ତାଙ୍କୁ ଜିତାଇବାକୁ ଲାଗି ପଡ଼ିଛନ୍ତି। ସେହିଭଳି ପ୍ରଶାନ୍ତ ନୂଆ କରି ବିଜେପିରେ ସାମିଲ୍ ହେବା ସହ ଟିକେଟ୍‌ ହାତେଇଥିବାରୁ ବିଜୟୀ ହେବାକୁ ପ୍ରାଣପଣେ ଲାଗି ପଡ଼ିଛନ୍ତି। ଏଠାରେ ଟିକେଟ୍‌ ବଣ୍ଟନକୁ ନେଇ ବିଜେଡିରେ ଯେମିତି ଗୋଷ୍ଠୀ ବିବାଦ ରହିଛି, ବିଜେପିରେ ମଧ୍ୟ ସେମିତି କଳହ ରହିଛି। ତେଣୁ ଏହି ଦଳୀୟ କନ୍ଦଳରୁ ମଝିରେ ଫାଇଦା ନେବାକୁ କଂଗ୍ରେସ ଓ ଅନ୍ୟ ସ୍ବାଧୀନ ପ୍ରାର୍ଥୀମାନେ ଲାଗି ପଡ଼ିଛନ୍ତି। ଏବେ ପ୍ରଚାର ମୈଦାନ ପଡ଼ୁଛି ଉଠୁଛି। ଏହି ଜୋନ୍‌ରେ ଥିବା ନରିଶୋ, ଦେଉଳିଧରପୁର, ଆମେଣାକୁଦ, ଭାପୁର ଓ ଗୁଆପୁର ପଞ୍ଚାୟତରେ ରାଜନୈତିକ ପାଣିପାଗ ବେଶ୍ ଉଷ୍ମ ରହିଛି।

ସମ୍ବନ୍ଧିତ ଖବର