୨ ମାସରେ ଫାଇନାଲ ଚାର୍ଜସିଟ୍‌ ଦାଖଲ ନ କଲେ ତଦନ୍ତକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଫାଷ୍ଟଟ୍ରାକ୍‌ କୋର୍ଟ ପ୍ରସ୍ତୁତ କରି ସରକାର ସଙ୍ଗିନ୍ ମାମଲା(ଦଫା ୩୭୬)ର ତ୍ବରିତ ଫଇସଲା କରିବାକୁ ଚାହୁଥିବା ବେଳେ ବର୍ଷ ବର୍ଷ ଧରି ଥାନାରେ ମାମଲା ଗଡ଼ୁଛି। ଫାଇନାଲ୍‌ ଚାର୍ଜସିଟ୍‌ ହୋଇପାରୁ ନଥିବାରୁ କୋର୍ଟରେ ବିଚାର ହୋଇ ପାରୁନାହିଁ। ଫଳରେ ପୀଡ଼ିତା ନ୍ୟାୟ ପାଇବାରେ ବିଳମ୍ବ ହେଉଛି ଏବଂ ସରକାରଙ୍କ ଫାଷ୍ଟଟ୍ରାକ୍‌ କୋର୍ଟର ଉଦ୍ଦେଶ୍ୟ ପୂରଣ ହୋଇ ପାରୁନାହିଁ। ଏହାକୁ ଆଖି ଆଗରେ ରଖି ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ସମସ୍ତ ଡିସିପି, ଜୋନାଲ ଏସିପି ଓ ଆଇଆଇସିମାନଙ୍କୁ କଡ଼ା ଚିଠି ଲେଖିଛନ୍ତି। ମାମଲା ପଞ୍ଜୀକୃତ ହେବାର ୨ ମାସ ମଧ୍ୟରେ ଫାଇନାଲ ଚାର୍ଜସିଟ୍‌ ବା ଫାଇନାଲ ଫର୍ମ ଦାଖଲ ନ କଲେ ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀ (ଆଇଓ)ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ସ୍ପଷ୍ଟ କରାଯାଇଛି। ଦୁଇ ମାସ ମଧ୍ୟରେ ଦାଖଲ ନ କଲେ, ଏହାକୁ କୋର୍ଟ ଅବମାନନା ବୋଲି ଧରାଯିବ ବୋଲି କୁହାଯାଇଛି।

ତେବେ ଏହି ନିୟମ ନୂଆ ନୁହେଁ, ନାବାଳିକା ଓ ମହିଳାମାନଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ପାଇଁ ଏହି ବ୍ୟବସ୍ଥା ଆଗରୁ ରହିଛି। କିନ୍ତୁ କମିସନରେଟ୍‌ ପୁଲିସ ଅଧୀନରେ ଥିବା ଥାନାଗୁଡ଼ିକରେ କାର୍ଯ୍ୟରତ କେତେକ ତଦନ୍ତକାରୀ ଅଧିକାରୀ ଏହାକୁ ମାନୁ ନାହାନ୍ତି। ମାମଲା ପଞ୍ଜୀକରଣ ହେବାର ଦୁଇମାସ ମଧ୍ୟରେ ଫାଇନାଲ ଚାର୍ଜସିଟ୍‌ ଦାଖଲ କରୁନାହାନ୍ତି। ଦୀର୍ଘ ଦିନ ଧରି ତଦନ୍ତକାରୀ ଅଧିକାରୀମାନଙ୍କର ଏଭଳି କାରବାର ଦେଖିବା ପରେ ପୁଲିସ କମିସନର୍‌ ଏଭଳି ତାଗିଦ୍‌ କରିଛନ୍ତି। ଯଦି କୌଣସି କାରଣରୁ ଏହି କାଗଜ ଦାଖଲ କରିବାରେ ବିଳମ୍ବ ହେଉଛି, ତେବେ ଉପଯୁକ୍ତ କାରଣ ଦର୍ଶାଇ ଅଧିକାରୀମାନେ କୋର୍ଟରେ ଆବେଦନ କରିବେ। କୋର୍ଟଙ୍କ ବିନା ସ୍ବୀକୃତିରେ ବିଳମ୍ବ ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ୨୦୧୯ ଡିସେମ୍ବରରେ ସୁପ୍ରିମକୋର୍ଟ ଏ ନେଇ ଆଦେଶନାମା ଜାରି କରିଥିଲେ। ଭାରତୀୟ ପିଙ୍ଗଳ କୋଡ୍‌ ଦଫା ୩୭୬, ୩୭୬(ଏ), ୩୭୬ (ଏବି), ୩୭୬(ବି), ୩୭୬(ସି), ୩୭୬(ଡି), ୩୭୬(ଡିଏ), ୩୭୬(ଡିବି) ଓ ୩୭୬(ଇ) ବଳରେ ରୁଜୁ ହେଉଥିବା ମାମଲା ଯଥା, ଦୁଷ୍କର୍ମ, ଦୁଷ୍କର୍ମ ଉଦ୍ୟମ, ଅସଦାଚରଣ ପ୍ରଭୃତି ମହିଳା କିମ୍ବା ନାବାଳିକାଙ୍କ ଅଭିଯୋଗ ଆଧାରରେ ରୁଜୁ ହେଉଥିବା ମାମଲାର ଫାଇନାଲ ଚାର୍ଜସିଟ୍‌ ଦୁଇ ମାସ ମଧ୍ୟରେ ଦାଖଲ କରିବାକୁ ଆଦେଶ ହୋଇଥିଲା। ହେଲେ ଏହାକୁ କେହି ମାନୁ ନଥିଲେ। ଫଳରେ ମାମଲାର ତ୍ବରିତ ଫଇସଲା ବିଳମ୍ବ ହେଉଥିଲା। ଏନେଇ କମିସନର ଚିଠି ଲେଖିବା ସହ ଡିସିପିମାନଙ୍କୁ ତାଗିଦ୍‌ କରିଛନ୍ତି। ଉପଯୁକ୍ତ ସମୟରେ ସମୀକ୍ଷା କରି ଏହି ନିର୍ଦ୍ଦେଶ କିଭଳି କାର୍ଯ୍ୟକାରୀ ହେବ, ସେ ନେଇ ନିଶ୍ଚିତ କରିବେ ବୋଲି ଚିଠିରେ କୁହାଯାଇଛି।

ସମ୍ବନ୍ଧିତ ଖବର