ପରି କେନାଲକୁ ପୋତିଦେଲେ, ପଞ୍ଚୁପଲ୍ଲୀରେ ବନ୍ଦ ହୋଇଯିବ ଚାଷ

ଖଣ୍ଡଗିରି: ପରି କେନାଲ (ସବ୍‌ ମାଇନର୍‌ କେନାଲ)କୁ ପୋତି ପକାଇଲେ ବିଲ୍‌ଡର୍ସ। କେନାଲ ପାଲଟିଗଲା ରାସ୍ତା। ଫଳରେ ଗହୀରକୁ ପାଣି ଯିବା ବାଟ ବନ୍ଦ। ଶହ ଶହ ଏକର ଧାନ ଚାଷଜମି ବିପଦରେ। ଚାଷୀମାନେ ଆଶଙ୍କାରେ। ବିଲକୁ ପାଣି ବନ୍ଦ ହୋଇଗଲେ ସେମାନଙ୍କ ଭାତ ହାଣ୍ଡି ଭାଙ୍ଗିଯିବ, ସେମାନଙ୍କ ଚୁଲି ଜଳିବା ବନ୍ଦ ହୋଇଯିବ ଓ ପରିବାର ଭରଣପୋଷଣ ବାଟ ସବୁଦିନ ପାଇଁ ବନ୍ଦ ହୋଇଯିବ। ତେଣୁ ଚାଷର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇ ଯାଉଥିବା ଦେଖି ଏବେ ବହୁ ଚାଷୀ ଜମି ବିକିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଲାଣି। ଏମିତି ‌ହେଲେ ଖୁବ୍ ଶୀଘ୍ର ଚାଷର ମୃତ୍ୟୁ ନିଶ୍ଚିତ। ଏ ହେଉଛି ରାଜଧାନୀ ଉପକଣ୍ଠ ଜଟଣୀ ବ୍ଲକ ପଞ୍ଚୁପଲ୍ଲୀ ପଞ୍ଚାୟତର ଚାଷୀଙ୍କ ଅବସ୍ଥା। ତେଣୁ କେନାଲ ଉଦ୍ଧାର ପାଇଁ ସେମାନେ ପ୍ରାଚୀ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। ଏହି ପଞ୍ଚାୟତର ବ୍ରହ୍ମୁକୁଣ୍ଡଳ, ପଞ୍ଚୁପଲ୍ଲୀ, ଝିଁଖରଡ଼ା-ଶତୃସୁଅାଁ, ତୃତୀୟାପଡ଼ା, ସାନନୂଆଗାଁ, ବେରୁଅାଁ, ବାଇରଙ୍ଗ ଆଦି ଗାଁ ଗହୀରକୁ ବିଲ୍‌ଡର୍ସମାନେ କବ୍‌ଜା କରିବସିଲେଣି। ଚକ ଭାଙ୍ଗି ଜମି ବିକିବା ନିୟମ ଲାଗୁ ହେବା ପରେ ସେମାନେ ବଡ଼ ଚତୁରତାର ସହ ପରି କେନାଲ ମୁହଁ ଜମିକୁ ଉଚ୍ଚ ଦାମରେ କିଣି ନେଉଛନ୍ତି। କିଛି ଜମି କିଣିବା ପରେ ପ୍ଲଟିଂ ସ୍କିମ୍ ନାଁରେ କେନାଲକୁ ପୋତି ରାସ୍ତା କରି ଦେଉଛନ୍ତି। ଫଳରେ ଗହୀର ଭିତର ଜମିକୁ ପାଣି ବାଟ ବନ୍ଦ ହୋଇ ଯାଉଛି। ତେଣୁ ଚାଷ ପ୍ରଭାବିତ ହେଉଥିବାରୁ କିଛି ଦିନ ପରେ ଚାଷୀମାନେ ବାଧ୍ୟ ହୋଇ ଜମିକୁ ବିଲ୍‌ଡର୍ସକୁ ବିକି ଦେଉଛନ୍ତି। ମାତ୍ର ଏଇଠି ଶିକାର ହୋଇ ଯାଉଛି ଚାଷୀ। କେନାଲ ମୁହଁ ଜମିକୁ ବିଲ୍‌ଡର୍ସ ଉଚ୍ଚ ଦରରେ କିଣି ନେଇଥିବାବେଳେ ଭିତର ଜମିକୁ ଶାଗମାଛ ଦରରେ ବିକିବା ପାଇଁ ବାଧ୍ୟ କରୁଛି। ଚାଷୀ ମଧ୍ୟ ଏମିତି ବିଲ୍‌ଡର୍ସଙ୍କ ପଞ୍ଝାରେ ପଡ଼ୁଛି। ପାଣି ବାଟ ବନ୍ଦ କରିବା ବେଆଇନ୍ ହୋଇଥିଲେ ବି ବିଚରା ଚାଷୀର ପ୍ରତିବାଦ ବିଲ ହୁଡ଼ାରୁ ଅଧିକ ବାଟ ଡେଇଁ ପାରୁନାହିଁ। ଚାଷୀର ପ୍ରତିବାଦକୁ ଦଲାଲ୍‌ମାନଙ୍କ ଦ୍ବାରା କଳବଳ କୌଶଳ ପ୍ରୟୋଗ କରି ଚାପି ଦିଆଯାଉଛି। ଚାଷୀ ପାଲଟି ଯାଉଛି ଚାଷୀର ଶତ୍ରୁ। କେନାଲ ମୁହଁ ଜମି ମାଲିକ ବିଲ୍‌ଡର୍ସଠାରୁ ଉଚ୍ଚ ଦର ପାଇ ଅନ୍ୟ ଚାଷୀଭାଇର କଥା ଚିନ୍ତା କରୁନାହିଁ। ଓଲଟା ବିଲ୍‌ଡର୍ସ ପାଇଁ ସେ ଠେଙ୍ଗା ଧରୁଛି। ଏଥିସହିତ ଯିଏ ଚାଷୀର ନେତୃତ୍ବ ନେଉଛି, ପରବର୍ତ୍ତୀ ସମୟରେ ବିଲ୍‌ଡର୍ସଙ୍କ କଳାଟଙ୍କା ପାଇ ଚୁପ୍ ବସି ପଡ଼ୁଛି। ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ କିଛି ଛଦ୍ମ‌ବେଶୀ ଚାଷୀ ଆନ୍ଦୋଳନର ଧମକ ଦେଇ ବିଲ୍‌ଡର୍ସଠାରୁ ଭଲ ଟଙ୍କା କମାଉଛନ୍ତି। ଫଳରେ ପ୍ରତିବାଦ ଠିକଣା ସ୍ଥାନରେ ପହଞ୍ଚିପାରୁନି। ତେଣୁ ଗତ ୨ ବର୍ଷ ଭିତରେ ବ୍ରହ୍ମକୁଣ୍ଡଳ ଗହୀର ପରି କେନାଲ ମରି ଗଲାଣି। ଏହା ପରେ ଅନ୍ୟ ଗାଁ ଗହୀର କେନାଲ ପାଳି ପଡ଼ିବ ବୋଲି ଜଳଜଳ ଦିଶିଲାଣି। ତେଣୁ ସବୁ ଦିଗରୁ ଆଶା ମଉଳିଯିବା ପରେ ଏବେ ଚାଷୀମାନେ ନିଜେ ପ୍ରାଚୀ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଛନ୍ତି ଓ କେନାଲ ଉଦ୍ଧାର କାମ ପାଇଁ ସେ ଖୁବ୍‌ ଶୀଘ୍ର ଏକ ତଦନ୍ତ କମିଟି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ କିଛି ଚାଷୀ ନବ ନିର୍ବାଚିତ ବିଧାୟକ ସୁର ରାଉତରାୟଙ୍କୁ ଜଣାଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର