ସତରେ କ’ଣ ପ୍ରତିଷ୍ଠା ହେବ ‘ଚଳଚ୍ଚିତ୍ର ଅଭିଲେଖାଗାର’

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ରର ଇତିବୃତ୍ତିକୁ ଏକାଠି କରାଯିବ। ଏହାକୁ ଗୋଟିଏ ସ୍ଥାନରେ ସାଇତାଯିବ। ଗ୍ରାମୋଫୋନ୍‌ ରେକର୍ଡଠୁ ନେଇ ରିଲ୍‌ରେ ସଂରକ୍ଷିତ ଫିଲ୍ମ, ଫିଲ୍ମର ପୋଷ୍ଟର, ଚଳଚ୍ଚିତ୍ର ନିର୍ମାଣରେ ବ୍ୟବହୃତ ପୁରୁଣା କ୍ୟାମେରା ଏବଂ ସମ୍ପାଦନା କରାଯାଉଥିବା ପୁରୁଣା ବୈଷୟିକ ଯନ୍ତ୍ର ଗୋଟିଏ ସ୍ଥାନ‌‌ରେ ମହଜୁଦ୍‌ ହେବ। ଏ ସବୁକୁ ଦେଖି ଚଳଚ୍ଚିତ୍ରପ୍ରେମୀ ଓଡ଼ିଆ ଚଳଚ୍ଚିତ୍ରର କ୍ରମବିକାଶର ଧାରା ସମ୍ବନ୍ଧରେ ଜାଣିପାରିବେ। ଏମିତି କେତେ ଲକ୍ଷ୍ୟ ନେଇ ଦିନେ ‘ଓଡ଼ିଶା ଚଳଚ୍ଚିତ୍ର ଅଭିଲେଖାଗାର’ ପ୍ରତିଷ୍ଠା ହେବା ନେଇ ଯୋଜନା ହେଲା। ଏଥିପାଇଁ ବିଧିବଦ୍ଧ ପ୍ରସ୍ତୁତି ବି ଆରମ୍ଭ ହୋଇଥିଲା। ମାତ୍ର ଆରମ୍ଭ ହେଉ ହେଉ ଅଟକିଗଲା ଏହି ପରିକଳ୍ପିତ ପ୍ରସ୍ତାବ। ଥରେ ନୁହେଁ, ଦୁଇଥର ଏଥିପାଇଁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ପକ୍ଷରୁ ପ୍ରୟାସ ହୋଇଛି। ତଥାପି ଏହା ସାକାର ରୂପ ନେଇ ପାରିନାହିଁ। ତେଣୁ ୨୬ ବର୍ଷ ତଳେ ଦେଖାଯାଇଥିବା ଏହି ସ୍ବପ୍ନ ସ୍ବପ୍ନରେ ରହିଯାଇଛି।

୧୯୯୩-୯୪ ବର୍ଷ ଓଏଫ୍‌ଡିସି ପକ୍ଷରୁ ଏହି ଯୋଜନାକୁ ରୂପରେଖ ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ନିଗମ ପକ୍ଷରୁ ଏଥିପାଇଁ ଏକ ଏକ କର୍ପସ ଫଣ୍ଡ୍‌ ଗଠନ କରାଯାଇଥିଲା। ପୁରୁଣା ଚଳଚ୍ଚିତ୍ର ‘ଶ୍ରୀଜଗନ୍ନାଥ’ ଏବଂ ‘ରଘୁ ଅରକ୍ଷିତ’ ସଂରକ୍ଷିତ ମଧ୍ୟ ହୋଇଥିଲା। ମାତ୍ର ଯେଉଁ ଦୁଇଟି ସଂରକ୍ଷିତ ହୋଇଥିଲା, ତା’ର ପ୍ରିଣ୍ଟ ବି ବର୍ତମାନ ଉପଲବ୍ଧ ହେଉନାହିଁ।

ମୁନା ଖାଁ ଓଏଫ୍‌ଡିସିର ଅଧ୍ୟକ୍ଷ ଥିବା ବେଳେ ପୁଣି ଚଳଚ୍ଚିତ୍ର ଅଭିଲେଖାଗାର ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡ଼ିଥିଲେ। ପ୍ରତି ପୁରୁଣା ଚଳଚ୍ଚିତ୍ର ପିଛା ୪୦ ହଜାର ଟଙ୍କା ଲେଖାଏଁ ଦେଇ କିଣିବାକୁ ନିଷ୍ପତ୍ତି ନିଆଗଲା। ବିଜ୍ଞପ୍ତି ପ୍ରକାଶ ପରେ ୫୦ରୁ ଅଧିକ ସିନେମା ଦେବାକୁ ପ୍ରଯୋଜକମାନେ ପ୍ରସ୍ତୁତ ଥିଲେ। କିନ୍ତୁ ବିଜ୍ଞପ୍ତି ଦେଇ ଭୁଲିଗଲା ଓଏଫ୍‌ଡିସି। କଳିଙ୍ଗ ଷ୍ଟୁଡିଓରେ ଅକାମି ହୋଇ ପଡ଼ିଥିବା ଚଳଚ୍ଚିତ୍ର ନିର୍ମିତ ନିମନ୍ତେ ବ୍ୟବହୃତ ଯନ୍ତ୍ରପାତିକୁ ମଧ୍ୟ ଅଭିଲେଖାଗାରରେ ସଂରକ୍ଷିତ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ଏହା ସଫଳ ହେଲା ନାହିଁ। କିଛି ଗ୍ରାମଫୋନ୍‌ ରେକର୍ଡ ଅନ୍ତର୍ଜାତୀୟ ଅଭିଲେଖ ଦିବସରେ ପ୍ରଦର୍ଶିତ ହେବା ପରେ ଚଳଚ୍ଚିତ୍ର ଅଭିଲେଖାଗାର ନେଇ ରାଜ୍ୟ ଅଭିଲେଖାଗାର ସ୍ବପ୍ନ ଦେଖିଛି। ମାତ୍ର ଅଭିଲେଖାଗାର ବି ଓଏଫ୍‌ଡିସି ଭଳି ସ୍ବପ୍ନ ଦେଖାଇ ଏହାକୁ ପୂରଣ କରିବ ନା ଏହାକୁ ସାକାର କରିବା ପାଇଁ ପ୍ରୟାସ କରିବ, ତାହା କିଛି ବର୍ଷ ପରେ ଜଣାପଡ଼ିଯିବ।

ଏବେ ଓଏଫ୍‌ଡିସିର ମଙ୍ଗୁଆଳ ସାଜିଥିବା କୁନା ତ୍ରିପାଠୀ କଳିଙ୍ଗ ଷ୍ଟୁଡିଓକୁ ପ୍ରାଥମିକତା ଦେଇ କାମ ଆରମ୍ଭ କରିଥିଲେ ହେଁ ବାତ୍ୟା ଫନି ପୁଣି ଆସି ତାକୁ ଭାଙ୍ଗିରୁଜି ଚାଲି ଯାଇଥିବାରୁ ଏହାକୁ ପୁନରୁଦ୍ଧାର କରିବା ଏବେ ଆହ୍ବାନ ପାଲଟିଛି। ତେଣୁ ଫିଲ୍ମ ଅଭିଲେଖାଗାର ପ୍ରସଙ୍ଗ ଆଡ଼କୁ ସେ ପାଦ ବି ବଢ଼ାଇନାହାନ୍ତି।

ସମ୍ବନ୍ଧିତ ଖବର