ଫିଲ୍ମ ନିର୍ଦ୍ଦେଶକଙ୍କ ରେଷ୍ଟୁରାଣ୍ଟରେ ଗୁଣ୍ଡାଗର୍ଦ୍ଦି ଅଭିଯୋଗ, ଭିଡିଓ ଭାଇରାଲ

ଭୁବନେଶ୍ବର: ଖାଇବାକୁ ଦେଲେନି ବୋଲି ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଧମକ। ଛୁରୀ ଦେଖାଇ ମାରିଦେବାକୁ ଚେତାବନୀ। କେହି ଅଭ୍ୟାସଗତ ଅପରାଧୀ ନୁହନ୍ତି ବରଂ ଜଣେ ସମ୍ଭ୍ରାନ୍ତ ଶ୍ରେଣୀର ବ୍ୟକ୍ତିଙ୍କ ନାମରେ ଏଭଳି ଅଭିଯୋଗ ଆସିଛି। ଫିଲ୍ମ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଭୁବନେଶ୍ବରର ରାମମନ୍ଦିର ପଛରେ ଥିବା ଏକ ରେଷ୍ଟୁରାଣ୍ଟର ମାଲିକ ସୀତାଂଶୁ ମିଶ୍ର। ଅଭିଯୋଗକୁ ଆଧାର କରି ଖାରବେଳ ନଗର ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ଅଭିଯୋଗ ମୁତାବକ, ରବିବାର ରାତି ସାଢ଼େ ୧୦ଟା ବେଳେ କେତେକ ସହଯୋଗୀଙ୍କ ସହ ଏହି ରେଷ୍ଟୁରାଣ୍ଟରେ ଦିଲୀପ ପହଞ୍ଚିଥିଲେ। ଅଣ୍ଡା ଆମ୍‌ଲେଟ ଖାଇବା ପାଇଁ ଚାହିଥିଲେ। କିନ୍ତୁ ଦୋକାନ ବନ୍ଦ ହେବାକୁ ବସୁଥିବାରୁ ଆମ୍‌ଲେଟ୍‌ ପ୍ରସ୍ତୁତ କରାଯାଇପାରିବ ନାହିଁ ବୋଲି କର୍ମଚାରୀ ମହେଶ୍ବର ମହାନ୍ତି କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦିଲୀପ ଗାଳିଗୁଲଜ କରିଥିଲେ। କର୍ମଚାରୀ ଆମ୍‌ଲେଟ୍‌ ପାଇଁ ରାଜି ନ ହେବାରୁ ଦିଲୀପ ପରିବାକଟା ଛୁରି ଉଠାଇ ଆକ୍ରମଣ କରିବା ପାଇଁ ଉଦ୍ୟତ ହେଉଥିଲେ। ସେଠାରେ ଥିବା ଅନ୍ୟ କର୍ମଚାରୀ ଓ ତାଙ୍କ ସାଙ୍ଗମାନେ ଦିଲୀପଙ୍କୁ ଧରିଥିଲେ। ରେଷ୍ଟୁରାଣ୍ଟ ମାଲିକ ଅନ୍‌ଲାଇନ୍‌ରେ ଅଭିଯୋଗ ପତ୍ର ଦାଖଲ କରିଥିଲେ। ଏହି ସବୁ ଦୃଶ୍ୟ ‌ରେଷ୍ଟୁରାଣ୍ଟରେ ଲାଗିଥିବା ସିସିଟିଭିରେ କଏଦ୍‌ ହୋଇଥିଲା। ଦୁଇଦିନ ପରେ ଆଜି ସିସିଟିଭି ଫୁଟେଜ୍‌ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା। ତେବେ ଏ ନେଇ ଦିଲୀପ ରେଷ୍ଟୁରାଣ୍ଟକୁ ଆସିଥିବା ସ୍ବୀକାର କରିଛନ୍ତି। କିନ୍ତୁ ଗାଳିଗୁଲଜ କିମ୍ବା ଆକ୍ରମଣ କରିନଥିବା କହିଛନ୍ତି। ପିଆଜ କାଟିବା ପାଇଁ ଛୁରି ଉଠାଇଥିବା କହିଛନ୍ତି। ତେବେ ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ୁଛି କି, ଦିଲୀପ ଛୁରି ଉଠାଉଛନ୍ତି। ଅନ୍ୟମାନେ ତାଙ୍କୁ ଧରୁଛନ୍ତି। ଯଦି ପିଆଜ କାଟିବା ପାଇଁ ଛୁରି ଉଠାଉଥିଲେ ତେବେ ଅନ୍ୟମାନେ ତାଙ୍କୁ ଧରୁଥିଲେ କାହିଁକି ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର