‘ସୂର୍ଯ୍ୟମୁଖୀ’ରୁ ଦର୍ଶକ ସାଉଁଟିଲେ ପୁରୁଣା ସ୍ମୃତି

ଫିଲ୍ମ ଜର୍ଣ୍ଣାଲିଷ୍ଟସ୍‌ ଫୋରମ ପକ୍ଷରୁ ସ୍ମୃତିଛାୟା

ପ୍ରଣବ ପଟ୍ଟନାୟକ, ଶାନ୍ତନୁ ମହାପାତ୍ର, ମିନତି ମିଶ୍ର, ଅନନ୍ତ ମହାପାତ୍ର ସମ୍ବର୍ଦ୍ଧିତ

ଭୁବନେଶ୍ୱର : ସେଇ ଚୁନା ଚୁନା ତାରାଫୁଲେ ଆଜି… ଗୀତରେ ଦର୍ଶକ ଫେରି ଯାଇଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସେଇ ସୁବର୍ଣ୍ଣ ଯୁଗକୁ। ୧୯୬୨ରେ ମୁକ୍ତିଲାଭ କରିଥିବା ‘ସୂର୍ଯ୍ୟମୁଖୀ’ ଚଳଚ୍ଚିତ୍ରର ଏହି ଗୀତକୁ ଦର୍ଶକ ବେଶ୍‌ ଉପଭୋଗ କରିଥିଲେ। ଚଳଚ୍ଚିତ୍ରରେ ଶରତ ପୂଜାରୀ ଓ ମିନତି ମିଶ୍ରଙ୍କ ରୋମାଣ୍ଟିକ୍‌ ଅଭିନୟ ଦର୍ଶକଙ୍କୁ ଆମୋଦିତ କରିଥିଲା। ଏପରି ଅବସର ସୃଷ୍ଟି ହୋଇଥିଲା ଜୟଦେବ ଭବନଠାରେ ଫିଲ୍ମ ଜର୍ଣ୍ଣାଲିଷ୍ଟସ ଫୋରମ୍‌ ପକ୍ଷରୁ ଆୟୋଜିତ ସ୍ମୃତିଛାୟା କାର୍ଯ୍ୟକ୍ରମର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ସୂର୍ଯ୍ୟମୁଖୀର ସ୍କ୍ରିନିଂ ଉତ୍ସବରେ।

ଏହି ଫିଲ୍ମର ପ୍ରିଣ୍ଟ୍‌ ବହୁ କଷ୍ଟରେ ସଂଗ୍ରହ କରି ଫୋନିକ୍ସ ଷ୍ଟୁଡିଓ ଓ ଅଭିଲେଖାଗାର ସହଯୋଗରେ ଡିଜିଟାଇଜଡ୍‌ କରିଥିଲା ଜର୍ଣ୍ଣାଲିଷ୍ଟସ୍‌ ଫୋରମ। ଏହି ଅବସରରେ ପକ୍ଷୀଘର ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶିତ ସୂର୍ଯ୍ୟମୁଖୀ ଫିଲ୍ମର ବିବରଣୀ ପୁସ୍ତିକାକୁ ବିଶିଷ୍ଟ ସାହିତ୍ୟିକ ଅସିତ ମହାନ୍ତି, କବି ସୂର୍ଯ୍ୟ ମିଶ୍ର, କବି ରକ୍ଷକ ନାୟକ, ସାହିତ୍ୟିକ ବନୋଜ ତ୍ରିପାଠୀ ପ୍ରମୁଖ ଉନ୍ମୋଚନ କରିଥିଲେ। ସୂର୍ଯ୍ୟମୁଖୀ ସହ ସଂପୃକ୍ତ ଅଭିନେତା ଅନନ୍ତ ମହାପାତ୍ର, ଅଭିନେତ୍ରୀ ମିନତି ମିଶ୍ର, ଗାୟକ ପ୍ରଣବ ପଟ୍ଟନାୟକ, ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ର ପ୍ରମୁଖଙ୍କୁ ସମ୍ବର୍ଧିତ କରାଯାଇଥିଲା। ଅଭିନେତ୍ରୀ ପାର୍ବତୀ ଘୋଷ ଓ ଅଭିନେତା ଶରତ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରବ ପ୍ରାର୍ଥନା କରାଯାଇଥିଲା। ଫୋରମ୍‌ ସଦସ୍ୟ ସୂର୍ଯ୍ୟ ଦେଓ ଫିଲ୍ମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର