ଓଡ଼ିଆଙ୍କୁ ହତୋତ୍ସାହିତ କରୁଛି ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’

ସୁଭାଷ ବୋଷଙ୍କୁ କୋଲକାତାର ଦର୍ଶାଇଲା ଚଳଚ୍ଚିତ୍ର

ଭୁବନେଶ୍ବର: ପ୍ରଖ୍ୟାତ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍’ ବକ୍ସ ଅଫିସ୍‌ରେ ରେକର୍ଡ ପରେ ରେକର୍ଡ କରି ଚାଲିଛି। ହେଲେ ଏହି ଚଳଚ୍ଚିତ୍ର ଓଡ଼ିଆଙ୍କ ଭାବାବେଗକୁ ଆଘାତ କରିବା ସହ ହତୋତ୍ସାହିତ କରିଛି। ଚଳଚ୍ଚିତ୍ରର ଏକ ଅଂଶରେ ନେତାଜୀ ସୁଭାଷ ବୋଷଙ୍କୁ ପ୍ରଦର୍ଶିତ କରାଯାଇଥିବା ‌ବେଳେ ସେ କୋଲ୍‌କାତାର ବୋଲି ଦର୍ଶାଯାଇଛି। ନେତାଜୀ ଯେ କଟକର ଅର୍ଥାତ ଓଡ଼ିଶାର; ଏହାକୁ ପ୍ରମାଣ ଓ ପ୍ରଚାରପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଏଭଳି ଏକ ଅନ୍ତର୍ଜାତୀୟସ୍ତରର ଚଳଚ୍ଚିତ୍ରରେ ନେତାଜୀଙ୍କୁ କୋଲକାତାର ଦର୍ଶାଇବା ଓଡ଼ିଆଙ୍କୁ ଅପମାନିତ କରିଛି।

ସୂଚନାଯୋଗ୍ୟ, ଆର୍‌ଆର୍‌ଆର୍‌ରେ ‘ସୋଲେ…’ ଶୀର୍ଷକ ଏକ ଗୀତ ରହିଛି। ଏଥିରେ ଭାରତର ବିଭିନ୍ନ ରାଜ୍ୟର ବୀର ଯୋଦ୍ଧାଙ୍କ ଫଟୋ ପ୍ରଦର୍ଶିତ କରାଯିବା ସହ ସେମାନଙ୍କୁ ସଂପୃକ୍ତ ରାଜ୍ୟର ସୋଲେର ଆଖ୍ୟା ଦିଆଯାଇଛି। ଏଥିରେ ନେତାଜୀ ସୁଭାଷ‌ ବୋଷଙ୍କୁ କୋଲକାତା ‘ସୋଲେ’ ଦର୍ଶାଯାଇଛି।

ସୁଭାଷ ବୋଷଙ୍କ ସ୍ମୃତି ଓ ଜୀବନୀକୁ ନେଇ କାର୍ଯ୍ୟ କରୁଥିବା ତଥା ଉତ୍କଳ ବିକାଶ ଯୁବ ପରିଷଦର ସଭାପତି ଦେବୀପ୍ରସାଦ ପୃଷ୍ଟି କହିଛନ୍ତି, ସୁଭାଷ ବୋଷଙ୍କର କର୍ମ ଭୂମି ଥିଲା ପଶ୍ଚିମବଙ୍ଗ। ସୁଭାଷ ‌ବୋଷ ଯଦି ନେତାଜୀରେ ରୂପାନ୍ତରିତ ହୋଇଛନ୍ତି, ତାହା ପଶ୍ଚିମବଙ୍ଗ ପାଇଁ। ଏହା ଐତିହାସିକ ସତ୍ୟ। ତାଙ୍କର ଜନ୍ମ କଟକରେ, ଏଠାରେ ତାଙ୍କର ପ୍ରାଥମିକ ଓ ଉଚ୍ଚଶିକ୍ଷା ଶେଷ ହୋଇଛି। ସେ ଶେଷ ପର୍ଯ୍ୟନ୍ତ ଓଡ଼ିଶା ସହ ଯୋଡ଼ି ହୋଇଥିଲେ ଓ ଓଡ଼ିଶା ମଧ୍ୟ ତାଙ୍କ ସହ ଯୋଡ଼ି ହୋଇଥିଲା। ଏଣୁ ଯଦି ସୁଭାଷ ବୋଷଙ୍କୁ ଚଳଚ୍ଚିତ୍ରରେ କୋଲକାତାର ବୋଲି ଦର୍ଶାଯାଇଛି, ଆମେ ବି ଓଡ଼ିଶାର ଦର୍ଶାଇବା। ଏଥିରେ ଅସୁବିଧା କେଉଁଠି? ନେତାଜୀ ଅନ୍ତର୍ଜାତୀୟ ମହାନାୟକ। ତାଙ୍କୁ ଆମେ ଆମ ସଂକୀର୍ଣ୍ଣତାବାଦରେ ବାନ୍ଧିବା ନାହିଁ। ଏଣୁ ଚଳଚ୍ଚିତ୍ରରେ କିଏ କ’ଣ ଦେଖାଇଲା, ସେଥିରେ ବ୍ୟଥିତ ହେବାର କୌଣସି କାରଣ ନାହିଁ।

ସମ୍ବନ୍ଧିତ ଖବର