ଭୁବନେଶ୍ବର ବ୍ଲକର ଚୂଡ଼ାନ୍ତ ସଂରକ୍ଷଣ ତାଲିକା: ବଦଳିଲା କଲ୍ୟାଣପୁର, ବରିମୁଣ୍ଡ ପଞ୍ଚାୟତର ସଂରକ୍ଷଣ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଭୁବନେଶ୍ବର ବ୍ଲକର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ସରପଞ୍ଚ ପଦବି ଲାଗି ଚିଠା ସଂରକ୍ଷଣ ତାଲିକାରେ କିଛିଟା ପରିବର୍ତ୍ତନ ହୋଇଛି। କଲ୍ୟାଣପୁର ଓ ବରିମୁଣ୍ଡ ପଞ୍ଚାୟତରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ଏହି ଦୁଇ ପଞ୍ଚାୟତର ସଂରକ୍ଷଣ ତାଲିକା ବଦଳିଥିବାରୁ ରାଜନୀତି ଉଷ୍ଣ ହୋଇଛି। କେଉଁ ଆଧାରରେ କାହିଁକି ସଂରକ୍ଷଣ ବଦଳିଲା, ତାହାକୁ ନେଇ ସାଧାରଣ ଜନତା ବି ପ୍ରଶ୍ନ ଉଠାଇଛନ୍ତି। ସମିତି ସଭ୍ୟ ସଂରକ୍ଷଣରେ କୌଣସି ବି ପରିବର୍ତ୍ତନ ହୋଇନାହିଁ। ଚିଠା ପ୍ରସ୍ତାବରେ ଯେଉଁ ସଂରକ୍ଷଣ ରହିଥିଲା, ଚୂଡ଼ାନ୍ତ ତାଲିକାରେ ବି ସମାନ ରହିଛି।

ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଅନୁସାରେ ଅନ୍ଧାରୁଆ, ଇଟିପୁର, କଣ୍ଟାବାଡ଼, ତମାଣ୍ଡୋ, ରଘୁନାଥପୁର, ନଁପୁଟ ପଞ୍ଚାୟତର ସରପଞ୍ଚ ପଦ ମହିଳାଙ୍କ ଲାଗି ସଂରକ୍ଷଣ ରହିଛି। ଇଞ୍ଜଣା, ଦାରୁଠେଙ୍ଗ, ମଳିପଡ଼ା, ମେଣ୍ଢାଶାଳ, ଶିଶୁପାଳଗଡ଼ ଓ ଲିଙ୍ଗିପୁର ଗ୍ରାମ ପଞ୍ଚାୟତ ଅଣ ସଂରକ୍ଷିତ ରହିଥିବା ବେଳେ ଚନ୍ଦକା, ଧଉଳି, ବାସୁଆଘାଇ ଅନୁସୂଚିତ ଜାତି, ଟିକରପଡ଼ା, ଦାଢ଼ା ଓ ରଣସିଂହପୁର ପଞ୍ଚାୟତ ସରପଞ୍ଚ ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ତେବେ କଲ୍ୟାଣପୁର ଓ ବରିମୁଣ୍ଡ ପଞ୍ଚାୟତକୁ ନେଇ ବିବାଦ ଦେଖାଦେଇଛି। ଚିଠା ସଂରକ୍ଷଣରେ କଲ୍ୟାଣପୁର ପଞ୍ଚାୟତର ସରପଞ୍ଚ ପଦବି ଅଣସଂରକ୍ଷିତ ଥିବା ବେଳେ ତାହାକୁ ଅନୁସୂଚିତ ଜାତିଙ୍କ ଲାଗି ସଂରକ୍ଷିତ ରଖାଯାଇଛି। ସେହିପରି ବରିମୁଣ୍ଡ ପଞ୍ଚାୟତର ସରପଞ୍ଚ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଏବେ ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷଣ ହୋଇଛି।

ବ୍ଲକ ଅଧୀନ ୨୦ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୭ଟି ପଞ୍ଚାୟତ ସମିତି ପଦ ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ସେଗୁଡ଼ିକ ହେଲା, ଇଞ୍ଜଣା, ଇଟିପୁର, କଣ୍ଟାବାଡ଼, ଟିକରପଡ଼ା, ତମାଣ୍ଡୋ, ମଳିପଡ଼ା ଓ ରଣସିଂହପୁର। ତେଣୁ ଏହି ୭ ପଞ୍ଚାୟତରୁ ବିଜୟୀ ହେବାକୁ ଥିବା ମହିଳା ପ୍ରାର୍ଥିନୀ ବ୍ଲକ ଅଧ୍ୟକ୍ଷା ପଦରେ ବସିବା ଏକପ୍ରକାର ଥୟ। କାରଣ ପ୍ରଥମ ଥର ପାଇଁ ଭୁବନେଶ୍ବର ବ୍ଲକ୍‌ର ଅଧ୍ୟକ୍ଷ ପଦବି ଅଣସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ପୂର୍ବରୁ ଏହି ବ୍ଲକ୍‌ରେ ଦୁଇ ଦୁଇ ଥର ଅନୁସୂଚିତ ଜାତି ଓ ଜନଜାତିର ମହିଳା ଅଧ୍ୟକ୍ଷା ହୋଇଥିଲେ। ମାତ୍ର ସାଧାରଣ ବର୍ଗର ମହିଳା ବ୍ଲକ୍‌ର ଅଧ୍ୟକ୍ଷା ପଦବିରେ ଅଧିଷ୍ଠିତ ହୋଇପାରି ନଥିଲେ। ଏଥର ଅଣସଂରକ୍ଷିତ ମହିଳାଙ୍କ ପାଇଁ ସମିତି ସଭ୍ୟ ପଦବି ସଂରକ୍ଷିତ ଥିବାରୁ ପଞ୍ଚାୟତଗୁଡ଼ିକରେ ରାଜ‌ନୈତିକ ମାହୋଲ ସରଗରମ ହୋଇପଡ଼ିଛି।

ସମ୍ବନ୍ଧିତ ଖବର