ମାରଣାସ୍ତ୍ରରେ ଆକ୍ରମଣ କରି ଫାଇନାନ୍‌ସ କର୍ମଚାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲୁଟ ଅଭିଯୋଗ

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳ ଏବେ ଅପରାଧୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି। ଦିନ ଦିପହରେ ଚୋରି, ଲୁଟ, ରାହାଜାନୀ କରି ଲୁଟେରା ଅନ୍ତର୍ଧ୍ୟାନ ହୋଇଯାଉଛନ୍ତି। ହେଲେ ପୁଲିସ ଲୁଟ ଘଟଣାର ପର୍ଦାଫାସ କରିପାରୁନାହିଁ। ଆଜି ପୁଣି ଜଣେ ଫାଇନାନ୍‌ସ କର୍ମଚାରୀ ଲୁଟର ଶିକାର ହୋଇଛନ୍ତି। ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କ ଠାରୁ ୧୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଏବଂ ଟ୍ୟାବ ଲୁଟେରା ଲୁଟି ନେଇଛନ୍ତି। କମ୍ପାନି କର୍ମଚାରୀଙ୍କ ତରଫରୁ ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ସୁର୍ଯ୍ୟୋଦୟ ସ୍ମଲଫାଇନାନ୍‌ସ କର୍ମଚାରୀ ଜିତେନ୍ଦ୍ର କୁମାର ବାରିକ (୨୫) ଆଜି ଅପରାହ୍ନ ପାଖାପାଖି ୪ ଟାରେ ସରାଟ ଅଞ୍ଚଳରୁ ଟଙ୍କା ଆଦାୟ କରି ଅଠାନ୍ତର ଅଭିମୁଖେ ବାଇକ ଯୋଗେ ଫେରୁଥିଲେ। ସେ ଗଡ଼ବନ୍ତପୁର ଆଇତଳଙ୍ଗ ରାସ୍ତାର ଏକ ନିଛାଟିଆ ସ୍ଥାନରେ ଲୁଟେରାଙ୍କ ହାବୁଡ଼ରେ ପଡିଥିଲେ। ୨ ଜଣ ଯୁବକ ଏକ କଳା ପଲସରରେ ଆସି ଜିତେନ୍ଦ୍ରଙ୍କ ବାଇକକୁ ଧକ୍କା ଦେଇଥିଲେ। ସେ ତଳେ ପଡିଯିବା ପରେ ମାରଣାସ୍ତ୍ରରେ ଦେଖାଇ ୧୦ ହଜାର ୪ ଶହ ଟଙ୍କା ଏବଂ ଟ୍ୟାବ ଛଡାଇ ନେଇ ଚମ୍ପଟ ମାରିଥିଲେ। ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନା ଅଧିକାରୀ ରାଧାକାନ୍ତ ସାହୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଫେରିଛନ୍ତି ।

ଅନ୍ୟ ପକ୍ଷରେ ଟଙ୍କା ଆଦାୟ କରୁଥିବା ଫାଇନାନ୍‌ସ କମ୍ପାନିକୁ ଥାନାରେ ସୂଚନା ଦେବାପାଇଁ ପୂର୍ବରୁ ବହୁବାର କୁହାଯାଇଛି। ହେଲେ କୌଣସି ସୂଚନା ଦେଉ ନ ଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଫାଇନାନ୍‌ସ କମ୍ପାନିର କାର୍ଯ୍ୟକଳାପକୁ ନେଇ ସାଧାରଣ ନାନା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର