ମିସନାରି ସଂସ୍ଥାକୁ ଆର୍ଥିକ ସହାୟତା ସରକାରଙ୍କ ହିନ୍ଦୁବିରୋଧୀ ମାନସିକତା: ବିଶ୍ବ ହିନ୍ଦୁ ପରିଷଦ୍‌

ଭୁବନେଶ୍ବର: ମିସନାରି ଅଫ୍‌ ଚାରିଟି ସଂସ୍ଥାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୭୮ଲକ୍ଷ ୬୭ ହଜାର ଟଙ୍କାର ସହାୟତା ଘୋଷଣା କରାଯିବା ହିନ୍ଦୁ ବିରୋଧୀ। ଏଭଳି ସଂସ୍ଥାକୁ ଅର୍ଥ ପ୍ରଦାନ କରି ରାଜ୍ୟ ସରକାର ନିଜର ନୈତିକ ଅଧୋପତନର ପରିଚୟ ଦେଇଛନ୍ତି। ହୋଟେଲ କେଶରୀରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଷ୍ଟ୍ରୀୟ ମହାମନ୍ତ୍ରୀ ମିଲିନ୍ଦ ପରାଣ୍ଡେ ଆଜି ଏପରି ଅଭିଯୋଗ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଖ୍ରୀଷ୍ଟ ସମ୍ପ୍ରଦାୟର କିଛି ଆତତାୟୀ କରିଥିବାର ଅନେକ ସୂତ୍ର ଉପଲବ୍ଧ ଥିବା ସତ୍ତ୍ବେ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ଏହାର ଏକମାତ୍ର କାରଣ ଈସାଈ ମତାବଲମ୍ବୀଙ୍କ ପ୍ରତି ଅନୁକମ୍ପା ଓ ତୁଷ୍ଟୀକରଣ। ଓଡ଼ିଶା ବିଧାନସଭାରେ ପାରିତ ହୋଇଥିବା ଧର୍ମାନ୍ତରୀକରଣ ନିରୋଧ ଆଇନକୁ ସରକାର ପାଳନ କରିବାରେ ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି।

ମିସନାରି ଅଫ୍‌ ଚାରିଟି ସଂସ୍ଥା ବିରୋଧରେ ଅନେକ ଆପରାଧିକ ମାମଲା ବିଷୟ ଜନମାନସରେ ଚର୍ଚ୍ଚା ହେଉଛି। ପିଲାବିକ୍ରିଠାରୁ ଆରମ୍ଭ କରି ଧର୍ମାନ୍ତରୀକରଣ ପର୍ଯ୍ୟନ୍ତ ଅନେକ ଅଭିଯୋଗ ଆସିଛି। ଏସବୁ ପରେ ବି ଏଭଳି ଏକ ସଂସ୍ଥାକୁ ଅର୍ଥ ପ୍ରଦାନ କରି ରାଜ୍ୟ ସରକାର ନିଜର ନୈତିକ ଅଧୋପତନର ପରିଚୟ ଦେଇଛନ୍ତି।

କୋଭିଡ୍ ସମୟରେ ଦୟନୀୟ ଜୀବନ ବିତାଉଥିବା ମନ୍ଦିର ପୂଜକମାନଙ୍କୁ ରାଜ୍ୟ ସରକାର କୌଣସି ଅନୁଦାନ ପ୍ରଦାନ କରିନାହାନ୍ତି। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମଠ ମନ୍ଦିର ପାଇଁ ସରକାରଙ୍କର ଚିନ୍ତା ନାହିଁ। ସମାଜରେ ବାଳାଶ୍ରମ, ଅନାଥାଶ୍ରମ, ଜରାନିବାସ ଆଦି ଅନେକ ସଂସ୍ଥା ଆର୍ଥିକ ଦୁର୍ଗତି ଦେଇ ଗତି କରୁଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନିଜ ରିଲିଫ ପାଣ୍ଠିରୁ ସେମାନଙ୍କୁ କେବେ ସହଯୋଗର ହାତ ବଢ଼ାଇଛନ୍ତି କି ବୋଲି ଶ୍ରୀ ପରାଣ୍ଡେ ପ୍ରଶ୍ନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ବହିନ୍ଦୁ ପରିଷଦର କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ସପନ ମୁଖାର୍ଜୀ, ରାଜ୍ୟ ସଭାପତି ପ୍ରଫେସର୍‌ ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରାନ୍ତ ସଂଗଠନ ମନ୍ତ୍ରୀ ଆନନ୍ଦ କୁମାର ପାଣ୍ଡେ, ରାଜ୍ୟ ସମ୍ପାଦକ ପଣ୍ଡିତ ମହେଶ ସାହୁ, ରାଜ୍ୟ ସହସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟଙ୍କ ସମେତ ପରିଷଦର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର