ଚିକିତ୍ସାରେ ଅର୍ଥ ବାଧକ, ଅସ୍ତ୍ରୋପଚାର ନ ହେଲେ କଟାଯିବ ଗୋଡ଼

ଭୁବନେଶ୍ବର: ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଯୁବକଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଦୁର୍ଘଟଣାରେ ଯୁବକଙ୍କ ବାମ ଗୋଡ଼ର ହାଡ଼ ଚୂରମାର ହୋଇଯାଇଥିବା ବେଳେ ତୁରନ୍ତ ଅର୍ଥ ଯୋଗାଡ଼ ନ ହେଲେ ଗୋଡ଼ କଟାଯିବ ବୋଲି ଏମ୍‌ସ ପକ୍ଷରୁ କୁହାଯାଇଛି। ଏଭଳି ପରିସ୍ଥିତିରେ ପରିବାର ଲୋକ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ହାଟପଦା ଗାଁର ୨୩ବର୍ଷର ଯୁବକ ରିଚାର୍ଡ ନାୟକ ଚିକେନ୍ ଦୋକାନ କରି ପରିବାର ‌ଚଳାନ୍ତି। ତାଙ୍କ ପିତାମାତାଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ୫ ଭାଇଭଉଣୀ ଅଛନ୍ତି। ଚିକେନ୍ ଦୋକାନ ରୋଜଗାରରୁ ତାଙ୍କ ପରିବାରରେ ଚୁଲି ଜଳେ। ତେ‌ବେ ଚଳିତମାସ ୧ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ରିଚାର୍ଡଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିଲା। ତାଙ୍କୁ ଫୁଲବାଣୀ ଡାକ୍ତରଖାନା‌ ନିଆଯାଇଥିଲେ ହେଁ, ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତର ଏମ୍‌ସକୁ ପଠାଇ ଦେଇଥିଲେ। ଏମ୍‌ସରେ ଡାକ୍ତର ରିଚାର୍ଡଙ୍କ ଗୋଡ଼ରେ ପ୍ଲେଟ୍‌ ଲାଗିବ ବୋଲି କହିଥିଲେ।

ଏ ବାବଦରେ ଅତିକମ୍‌ରେ ୪୨ହଜାର ଟଙ୍କା ଖର୍ଚ ହେବ ବୋଲି ଏମ୍‌ସ ପକ୍ଷରୁ କୁହାଯାଇଛି। ପରିବାର ଲୋକ ବହୁକଷ୍ଟରେ ୩୦ହଜାର ଟଙ୍କା ଯୋଗାଡ଼ କରିପାରିଛନ୍ତି। ଏପଟେ ଦିନ ଗଡ଼ି ଯାଉଥିବାରୁ ତୁରନ୍ତ ଅର୍ଥ ଯୋଗାଡ଼ ନ କଲେ ଗୋଡ଼ କଟାଯିବ ବୋଲି ଡାକ୍ତର ଚେତାବନୀ ଦେଇଛନ୍ତି। ଅର୍ଥାଭାବରୁ ସାରା ଜୀବନ ପାଇଁ ଜଣେ ଯୁବକ ପଙ୍ଗୁ ହୋଇଯିବ ବୋଲି ରିଚାର୍ଡଙ୍କ ଭିଣୋଇ କ୍ଲିଣ୍ଟନ ନାୟକ ଦୁଃଖର ସହ କହିଛନ୍ତି। କେହି ସହୃଦୟ ବ୍ୟକ୍ତି ଆଗେଇ ଆସିଲେ ଅସ୍ତ୍ରୋପଚାର ବାବାଦ ଅର୍ଥ ଯୋଗାଡ଼ ହୋଇପାରିବ ବୋଲି ପରିବାର ଲୋକ କହିଛନ୍ତି। ସାହାଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତି ୮୧୪୪୬୩୪୩୩୧ ନମ୍ବରରେ ଯୋଗାଯୋଗ କରିବା ଲାଗି କୁହାଯାଇଛି।

ସମ୍ବନ୍ଧିତ ଖବର