ଭୁବନେଶ୍ବର: ବିଏମ୍ସିରେ ଆର୍ଥିକ ଅଚଳାବସ୍ଥା ବେଳକୁ ବେଳ ଚରମ ଅବସ୍ଥାରେ ପହଞ୍ଚିଲାଣି। କେତେବେଳେ ଠିକାଦାରଙ୍କୁ ତ କେତେବେଳେ ସହର ସଫେଇରେ ନିୟୋଜିତ ଠିକାସଂସ୍ଥାକୁ ବିଏମ୍ସି ଟଙ୍କା ଦେଇପାରୁନି। କେବଳ ସେତିକି ନୁହେଁ, ଅର୍ଥାଭାବରୁ ରାଜଧାନୀର ବିକାଶ କାମ ପ୍ରଭାବିତ ହେଲାଣି। ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଏଭଳି ଅଚଳାବସ୍ଥା ଦେଖା ଦେଇଛି। ଏସବୁ ମୂଳରେ ନଗର ଉନ୍ନୟନ ବିଭାଗର ବିନାନୁମୋଦନରେ ହୋଇଥିବା ପ୍ରାୟ ୩୦୦ କୋଟି ଟଙ୍କାର ବ୍ୟୟ ମୁଖ୍ୟ କାରଣ ବୋଲି ଜଣାପଡ଼ିଛି।
ଗତ ଆର୍ଥିକ ବର୍ଷରେ ବିନା ଅନୁମୋଦନରେ ଜାଗା ମିସନ୍, ମୁକ୍ତା ଯୋଜନା, ପକ୍କା ରାସ୍ତା ଆଳରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଦିଆଯାଇଥିଲା। ଏଥିପାଇଁ ନଗର ଉନ୍ନୟନ ବିଭାଗଠାରୁ କୌଣସି ଅନୁମୋଦନ ନିଆଯାଇ ନଥିଲା। ଏବେ ଯେତେବେଳେ ଏହି ଟଙ୍କା ଦେବାକୁ ବିଏମ୍ସି, ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଲା, ନଗର ଉନ୍ନୟନ ବିଭାଗ ହୋଇଥିବା କାମର କାଗଜପତ୍ର ମାଗିଥିଲା। କିନ୍ତୁ ବିଏମ୍ସି କୌଣସି କାଗଜପତ୍ର ଦେଇପାରୁନି। ଖୋଳତାଡ଼ ପରେ ଜଣାପଡ଼ିଛି, ବିଏମ୍ସି ବିନା କୌଣସି ସରକାରୀ ଅନୁମୋଦନରେ, କେବଳ ଆଲୋଚନା ଭିତ୍ତିରେ ୩୦୦ କୋଟି ଟଙ୍କାର କାମ ପରିଚିତ ଠିକାଦାରମାନଙ୍କୁ ବାଣ୍ଟି ଦେଇଥିଲା। ଏବେ ଏହାକୁ ଗଣ୍ଠି କରିଛନ୍ତି ରାଜ୍ୟ ସରକାର। ସରକାରୀ କାଗଜପତ୍ର ବିନା ୩୦୦ କୋଟି ଟଙ୍କା ଦିଆଯିବନି ବୋଲି ରୋକ୍ଠୋକ୍ ମନା କରି ଦେଇଛନ୍ତି। କିନ୍ତୁ କାମ କରିଥିବା ଠିକାଦାରମାନେ ବସେଇ ଉଠେଇ ଦେଉନାହାନ୍ତି। ନିୟମିତ କାର୍ଯ୍ୟାଳୟରେ ବସି ‘ଟଙ୍କା ଦିଅ, ଟଙ୍କା ଦିଅ’ ବୋଲି ମୁଣ୍ଡ ଖାଉଛନ୍ତି। ଏଭଳି ସ୍ଥିତିରେ ଗତ ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶରଣ ପଶିଛନ୍ତି ମେୟର ଓ କର୍ପୋରେଟର୍ମାନେ। ରାଜ୍ୟ ସରକାର ପାଣ୍ଠି ଦେଉ ନଥିବାରୁ ବିଏମ୍ସି ସ୍ଥାଣୁ ପାଲଟିଗଲାଣି ବୋଲି ସଫେଇ ଦେଇଛନ୍ତି। ଏହାର ପ୍ରତିକାର ବାଟ ଫିଟାଇବାକୁ ଗୁହାରି କରିଛନ୍ତି। କିନ୍ତୁ ଏଭଳି ଜାଲିଆତି କରିବାକୁ କିଏ କହିଲା ଓ ବିଏମ୍ସି କିଭଳି ଏହାକୁ ପ୍ରଶ୍ରୟ ଦେଲା, ତାହା ବଡ଼ ପ୍ରଶ୍ନବାଚୀ ଠିଆ କରିଛି।
ବିଏମ୍ସିରେ ଆର୍ଥିକ ଅଚଳାବସ୍ଥା
କାହାରି ପାଖରେ ନାହିଁ କାଗଜପତ୍ର
ଠିକାଦାର, ଠିକାସଂସ୍ଥାଙ୍କୁ ଦେବାକୁ ଟଙ୍କା ନାହିଁ
ଟଙ୍କା ମିଳୁନଥିବାରୁ ଅଳିଆ ଉଠାରେ ବିଭ୍ରାଟ
ସେତେବେଳର ନିୟମାନୁଯାୟୀ, ବିଏମ୍ସି ନଗର ଉନ୍ନୟନ ବିଭାଗର ଅନୁମୋଦନକ୍ରମେ ଓ ଟେଣ୍ଡର ପ୍ରକ୍ରିୟାରେ କାମ କରିବା କଥା। ୫ ଲକ୍ଷରୁ କମ୍ ଟଙ୍କାର କାମ ବିନା ଟେଣ୍ଡରରେ ହେଲେ ବି ନଗର ଉନ୍ନୟନ ବିଭାଗର ଅନୁମୋଦନ ଆବଶ୍ୟକ। କିନ୍ତୁ ବିଭାଗର ବିନା ଅନୁମୋଦନରେ ବିଜେଡି ସରକାର ଅମଳରେ ଜାଗା ମିସନ୍, ମୁକ୍ତା ଯୋଜନା, କଚ୍ଚା ରାସ୍ତାକୁ ପକ୍କା କରିବା ଆଦି ବାବଦକୁ ପ୍ରାୟ ୩୦୦ କୋଟି ଟଙ୍କାର କାମ ବିଏମ୍ସି ଠିକାଦାରଙ୍କୁ ବାଣ୍ଟି ଦେଇଥିଲା। ଯେହେତୁ ବିଜେଡି ସରକାରରେ ଥିଲା, ଟଙ୍କା ମିଳିବାରେ ଅସୁବିଧା ହେବନି ବୋଲି ବିଏମ୍ସି ଭାବି ନେଇଥିଲା। କିନ୍ତୁ ଗତ ସାଧାରଣ ନିର୍ବାଚନରେ ବିଜେପି ଶାସନକୁ ଆସିବା ପରେ ନଗର ଉନ୍ନୟନ ବିଭାଗ ଏହି ତଞ୍ଚକତାକୁ ଧରିଛି। ସବୁର କାଗଜପତ୍ର ଦାଖଲ ନିର୍ଦ୍ଦେଶ ଦେଇଛି। ବିନା କାଗଜପତ୍ରରେ କାମ ହୋଇଥିବାରୁ ବିଏମ୍ସି ୩୦୦ କୋଟି ଟଙ୍କାର କୌଣସି ପ୍ରମାଣ ଦେଖାଇପାରୁନି। ପରିଣାମ ସ୍ବରୂପ, ଠିକାଦାରମାନେ ସେମାନଙ୍କ ଟଙ୍କା ନ ପାଇ ନିୟମିତ ମେୟର, କମିସନର୍ଙ୍କୁ ଘେରୁଛନ୍ତି। ଏବେ ବି ଠିକାଦାରଙ୍କ ପ୍ରାୟ ୭୦ କୋଟି ଟଙ୍କା ବାକି ରହିଥିବା ଜଣାପଡ଼ିଛି। ଯେହେତୁ ଟଙ୍କା ମିଳୁନି, ବିଏମ୍ସି କାମ କରିବାକୁ ଠିକାଦାରମାନେ ମଙ୍ଗୁନାହାନ୍ତି। ସେପଟେ ଟଙ୍କା ନ ଥିବାରୁ ଘରକୁ ଘର ଆବର୍ଜନା ସଂଗ୍ରହ ହେଉ କି ସହର ଗଳିକନ୍ଦି ସଫେଇରେ ନିୟୋଜିତ ଠିକାସଂସ୍ଥାମାନଙ୍କୁ ବି ଟଙ୍କା ଦେଇପାରୁନି ବିଏମ୍ସି। ସହର ଗଳିକନ୍ଦି ସଫେଇରେ ନିୟୋଜିତ ଠିକାସଂସ୍ଥାଙ୍କ କାହାର ୫ ମାସର ତ’ କାହାର ୩ ମାସ ଟଙ୍କା ବାକି ପଡ଼ିଛି। ଅନ୍ୟପଟେ ଘରକୁ ଘର ଆବର୍ଜନା ସଂଗ୍ରହରେ ନିୟୋଜିତ ଠିକାସଂସ୍ଥାମାନେ ୩ ମାସର ପାଉଣା ପାଇନାହାନ୍ତି। ଅଳିଆ ଉଠାରେ ନିୟୋଜିତ କର୍ମଚାରୀ ଟଙ୍କା ପାଉନଥିବାରୁ ୩ରୁ ଅଧିକ ଥର କାମ ବନ୍ଦ କରି ସାରିଲେଣି। ମେୟର ସୁଲୋଚନା ଦାସଙ୍କ କହିବା କଥା, ପ୍ରାୟ ୩୦୦ କୋଟି ଟଙ୍କାର ଜାଗା ମିସନ୍, ମୁକ୍ତା, ପକ୍କା ରାସ୍ତା କାମର କାଗଜପତ୍ର ନାହିଁ। ଯେଉଁଥିପାଇଁ ଟଙ୍କା ଅଟକି ରହିଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ଚାଲିଛି, ଏହି ଟଙ୍କା ମିଳିଯିବ ବୋଲି ଆମର ଆଶା ଅଛି।