ନକଲି ରଙ୍ଗ ଗୋଦାମ ଠାବ, ଜଣେ ଅଟକ

ଚନ୍ଦ୍ରଶେଖରପୁର: ଇନ୍‌ଫୋସିଟି ଅଞ୍ଚଳରୁ ଏକ ନାମୀ ବ୍ରାଣ୍ଡର ନକଲି ରଙ୍ଗ ଜବତ ହୋଇଛି। ଏହି ଘଟଣାରେ ଆଜି ଇନ୍‌ଫୋସିଟି ଥାନା ପୁଲିସ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖିଛି। ବ୍ୟବସାୟୀ ଜଣଙ୍କ ଇନ୍‌ଫୋସିଟି ଅଞ୍ଚଳରେ ବେହେରା ହାର୍ଡୱେର୍ ଆଣ୍ଡ ସା‌ନିଟାରି ନାମକ ଏକ ଦୋକାନ କରି ନକଲି ରଙ୍ଗ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ଆଜି ତାଙ୍କ ଦୋକାନ ଗୋଦାମ ଘରେ ଚଢ଼ଉ କରି ୩୭ ରଙ୍ଗ ବାଲ୍‌ତି ଜବତ କରିଛି। ସେଗୁଡ଼ିକୁ ପରୀକ୍ଷା କରିବାପାଇଁ ଲ୍ୟାବ୍‌କୁ ପଠାଇବ ବୋଲି ପୁଲିସ କହିଛି।

ଘଟଣାଅନୁଯାୟୀ ଜଣେ ଗ୍ରାହକ ତାଙ୍କ ଘର କାମ ପାଇଁ କିଛି ରଙ୍ଗ ନେଇଥିଲେ। ରଙ୍ଗ ସଠିକ୍ ଭାବରେ କାନ୍ଥରେ ଲାଗୁନାହିଁ ବୋଲି ଜାଣିବା ପରେ ସେଥିରେ ଥିବା ବାରକୋଡ୍‌କୁ ସ୍କାନକରି ଏସବୁ ନକଲି ବୋଲି ଜାଣିବାକୁ ପାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଜବତ ହୋଇଥିବା ରଙ୍ଗ ନକଲି ବୋଲି ପ୍ରମାଣିତ ହେଲେ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର