ମାକ୍ସ ନ ପିନ୍ଧି ତଣ୍ଡ ଗଣିଲେ: ୬୧ ଜଣଙ୍କଠାରୁ ୧୨,୨୦୦ ଟଙ୍କା ଜରିମାନା ଆଦାୟ

ବୋଲଗଡ଼:କରୋନା ସଂକ୍ରମଣ ନହେବା ପାଇଁ ଘରୁ ବାହାରକୁ ବାହାରିଲା ସମୟରେ ମାକ୍ସ ଲଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି I ଯଦି କେହି ମାକ୍ସ ନଲଗାଇ ବାହାରକୁ ଯାଉଥିବେ, ତେବେ ତାଙ୍କ ଠାରୁ ୨ଶହ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ନିୟମ ଲାଗୁ ହୋଇଛିI ଏହା ସତ୍ତ୍ବେ କିଛି ଲୋକେ ମାକ୍ସ ନଲଗାଇ ବାହାରକୁ ଯାଉଥିବାର ଦେଖିବାକୁ ମିଳିଛିI ଯେତେ ସଚେତନତା ସୃଷ୍ଟି କରାଗଲେ ମଧ୍ୟ ଲୋକେ ନିୟମ ମାନିବାକୁ ନାରାଜ। ବିଭିନ୍ନ ଆଳରେ କରୋନା କଟକଣା ଭାଙ୍ଗିବ‌ାକୁ ଉଦ୍ୟମ ଚଳାଇଛନ୍ତି। ମାକ୍ସ ନ ବାନ୍ଧି ବୋଲଗଡ଼ର୬୧ ଜଣ ତଣ୍ଡ ଗଣିଛନ୍ତି। ମାକ୍ସ ନ ବାନ୍ଧି ବଜାରକୁ ଆସୁଥିବା ଲୋକଙ୍କୁ ସଚେତନ କରିବା ସହିତ ସେମାନଙ୍କ ଠାରୁ ନିୟମ ଅନୁଯାୟୀ ଜରିମାନା ଆଦାୟ କରିବା ପାଇଁ ବୋଲଗଡ଼ ତହସିଲଦାର ମୋନାଲିସା ପଣ୍ଡା ଦୁଇ ଦିନ ହେବ ଉଦ୍ୟମ ଚଳାଇଛନ୍ତି। ଆଜି ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ଼ ଠାରେ ମାକ୍ସ ନ ଲଗIଇ ଯାତାୟାତ କରୁଥିବା ୩୧ଜଣଙ୍କ ଠାରୁ ମୋଟ ୬ହଜାର ୨ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବୋଲଗଡ଼ ତହସିଲଦାର ମୋନାଲିସା ପଣ୍ଡାଙ୍କ ଠାରୁ ସୂଚନା ମିଳିଛି I

ସେହିପରି ପୂର୍ବଦିନ ମଧ୍ୟ ବୋଲଗଡ଼ ବ୍ଲକ୍‌ ଆଞ୍ଚଳରେ ବିଭିନ୍ନ ରାସ୍ତାରେ ମାକ୍ସ ନଲଗାଇ ଯାତାୟାତ କରୁଥିବା ୩୦ଜଣଙ୍କ ଠାରୁ ମୋଟ ୬ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା I ତେବେ କରୋନା ସଂକ୍ରମଣ ନହେବା ପାଇଁ ଜନସାଧାରଣଙ୍କ ସମେତ ସରକାର, ପ୍ରଶାସନ, ପୁଲିସ, ଡାକ୍ତର, ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଉଦ୍ୟମ କରୁଛନ୍ତି I ଏଥିପାଇଁ ଜାରି ହୋଇଥିବା ନିୟମକୁ ମାନିବା ପାଇଁ ଆମେ ବାଧ୍ୟ ହୋଇ ଜରିମାନା ଆଦାୟ କରୁଛୁ । ଜରିମାନା ଆଦାୟ କରିବା ଆମର ଲକ୍ଷ୍ୟନୁହେଁ, କେବଳ କରୋନାକୁ ହରାଇବା ପାଇଁ ସମସ୍ତେ ଏକ ହୋଇ ଲଢେଇ କରିବା ପାଇଁ ଏହା ଏକ ଆହ୍ୱାନ ବୋଲି ତହସିଲଦାର ମୋନାଲିସା ପଣ୍ଡା କହିଛନ୍ତି I

ସମ୍ବନ୍ଧିତ ଖବର