ରାଜଧାନୀରେ ମନଇଚ୍ଛା ପାର୍କିଂ କଲେ ଜରିମାନା, ୬ ରାସ୍ତାରେ ନିୟମ କଡ଼ାକଡ଼ି ଲାଗୁ ହେବ

ପ୍ରଥମ ଦିନରେ ୮୫ ଗାଡ଼ି ଉଠାଇନେଲେ, ପାର୍କିଂ ସ୍ଥଳରେ କେବଳ ଗାଡ଼ି ପାର୍କିଂ ହେବ
ଭୁବନେଶ୍ବର: ଏଣିକି ରାସ୍ତାରେ ମନଇଚ୍ଛା ବା ବେଆଇନ ଭାବେ ଗାଡ଼ି ପାର୍କିଂ କଲେ ଜରିମାନା ଗଣିବାକୁ ହେବ। ଯଦି ପାର୍କିଂ ପାଇଁ ଚିହ୍ନଟ ହୋଇଥିବା ସ୍ଥାନ ବ୍ୟତୀତ ଅନ୍ୟ ଅଞ୍ଚଳରେ ରାସ୍ତା ଅବରୋଧ କରି କେହି ଗାଡ଼ି ପାର୍କିଂ କରିଥିବେ, ତେବେ ତାଙ୍କଠାରୁ ୫୦୦ ଟଙ୍କା ଜରିମାନା ଆଦାୟ ହେବ। ଏହି ଗାଡ଼ିକୁ ଯଦି କମିସନରେଟ୍ ପୁଲିସ କ୍ରେନ୍ ଲଗାଇ ଉଠାଇ ନେଇଥିବ, ତେବେ ୫୦୦ ଟଙ୍କା ଜରିମାନା ବାଦ୍‌ କ୍ରେନ୍‌ବାଲାକୁ ବାଇକ୍ ପିଛା ୩୦୦ ଟଙ୍କା ଓ ବଡ଼ ଗାଡ଼ି ପାଇଁ ୭୦୦ ଟଙ୍କା ଭଡ଼ା ଦେବାକୁ ହେବ। କମିସନରେଟ୍ ପୁଲିସ ପକ୍ଷରୁ ଆଜିଠାରୁ ଏହି ନିୟମ କଡ଼ାକଡ଼ି ଲାଗୁ କରାଯାଇଛି। ଆଜି ପ୍ରଥମ ଦିନରେ ୮୫ଟି ଗାଡ଼ି ଉଠାଇ ନିଆଯାଇଛି।

ରାଜଧାନୀରେ ଓଡ଼ିଶା ଅର୍ବାନ୍ ପୁଲିସ୍ ଆକ୍ଟ ୨୦୦୩ ଧାରା ୨୮ ଓ ୨୯ ତଥା ଭୁବନେଶ୍ବର-ପୁଲିସ୍‌ କମିସନରେଟ୍ ଟ୍ରାଫିକ୍ ରୁଲ୍‌ ୨୦୦୮ ଧାରା ୧୯ ଓ ୨୧ ଅନୁଯାୟୀ ବେଆଇନ ଗାଡ଼ି ପାର୍କିଂ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି ଯେ ଜନଗହଳିପୂର୍ଣ୍ଣ ରାସ୍ତାରେ ବେନିୟମ ଭାବେ କେହି ଗାଡ଼ି ପାର୍କିଂ କରନ୍ତୁ ନାହିଁ। ଖିଲାପ କଲେ ମୋଟର ଯାନ ଆଇନ ୨୦୧୯ ଧାରା ୧୭୭ ଅନୁସାରେ ୫୦୦ଟଙ୍କା ଜରିମାନା ସହ କ୍ରେନ୍ ବ୍ୟବହାର ହେଲେ ସେ ବାବଦ ଖର୍ଚ୍ଚ ମୋଟର ଯାନ ଆଇନର ଧାରା ୧୨୭ ଅନୁସାରେ ଅଲଗା ଭରଣା କରିବାକୁ ହେବ। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ, ଏବେ ରାଜଭବନରୁ କଳାରାହଙ୍ଗ ଛକ, ବିମାନବନ୍ଦରରୁ ସଚିବାଳୟ ମାର୍ଗ ହୋଇ ନାଲ୍‌କୋ ଛକ, ଶିଶୁଭବନରୁ ବାଣୀବିହାର (ଜନପଥ), ରସୁଲଗଡ଼ରୁ ଜୟଦେବ ବିହାର ଛକ, ଶ୍ରୀୟା ଛକରୁ ପିଏଚ୍‌ଡି କାର୍ଯ୍ୟାଳୟ ଓ ବାପୁଜୀ ନଗରରେ ଏହି ନିୟମ ଲାଗୁ ହେବ। ତେଣୁ ଏହି ୬ଟି ରାସ୍ତାରେ କେହି ବେନିୟମ ଭାବେ ଗାଡ଼ି ପାର୍କିଂ ନ କରିବାକୁ କମିସନରେଟ୍ ପୁଲିସ ଅନୁରୋଧ କରିଛି।

କମିସନରେଟ୍ ପୁଲିସ ପକ୍ଷରୁ ଆଜି ଏହି ନିୟମ କଡ଼ାକଡ଼ି ଲାଗୁ ହୋଇଥିବା ବେଳେ ପ୍ରଥମ ଦିନରେ ରାଜଭବନରୁ ପଟିଆ ଛକ ମଧ୍ୟରେ, ବିମାନବନ୍ଦରରୁ ନାଲ୍‌କୋ ଛକ ମଧ୍ୟରେ, ଜନପଥରେ ଓ ଶ୍ରୀୟା ଛକରୁ ପିଏଚ୍‌ଡି ଅଫିସ ମଧ୍ୟରେ ବେନିୟମ ଭାବେ ପାର୍କିଂ ହୋଇଥିବା ୮୫ଟି ଗାଡ଼ି ପୁଲିସ ଧରିଥିଲା ଏବଂ କ୍ରେନ୍ ଲଗାଇ ଗାଡ଼ି ଉଠାଇ ନେଇଥିଲା। ଫଳରେ ଗାଡ଼ି ମାଲିକମାନେ ଜରିମାନା ଦେଇ ଗାଡ଼ି ମୁକୁଳାଉଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ଅପରପକ୍ଷେ ଏହି ୬ଟି ରାସ୍ତାରେ ଯେପରି ବେଆଇନ ଗାଡ଼ି ପାର୍କିଂ ନ ହେବ, ସେଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୫ଟି ସ୍କ୍ବାଡ୍‌ ଗଠନ ହୋଇଛି। ଏଥିପାଇଁ ୫ଟି କ୍ରେନ୍ ଓ ୪ଜଣ ଲେଖାଏଁ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ହେଲେ କମିସନରେଟ୍ ପୁଲିସ ଏହି ନିୟମ କେତେ ଦିନ କଡ଼ାକଡ଼ି ଲାଗୁ କରିବ, ସେନେଇ ପ୍ରଶ୍ନ ଉଠିଲାଣି। କାରଣ ବାପୁଜୀନଗରରେ ନୂଆ ଢଙ୍ଗରେ ପାର୍କିଂ ବ୍ୟବସ୍ଥା ଲାଗୁ କରିବା ନେଇ କମିସନରେଟ୍ ପୁଲିସ ପକ୍ଷରୁ ପ୍ରାୟ ମାସକ ତଳେ ଯୋଜନା ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଏହାକୁ ଲାଗୁ କରାଯାଇ ପାରିନି। ଲୋକଙ୍କଠାରୁ ଜରିମାନା ଆଦାୟ କରିବା ଦୂରର କଥା ଲୋକଙ୍କୁ ସଚେତନ ବି କରାଯାଇ ପାରିଲାନି। କମିସନରେଟ୍‌ ପୁଲିସ ରାଜଧାନୀର ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ଯେତେ ଯୋଜନା କଲେ ବି ଏହା କେବଳ ଘୋଷଣାରେ ରହି ଯାଉଛି।

ସମ୍ବନ୍ଧିତ ଖବର