ଭୁବନେଶ୍ୱର : ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ କରୋନା କଟକଣା ମାନିବା ସହ ଦୋକାନକୁ ଆସୁଥିବା ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବେ ଏବଂ ମାସ୍କ ପିନ୍ଧିନଥିବା ଗ୍ରାହକଙ୍କୁ ଦୋକାନକୁ ପ୍ରବେଶ ନକରାଇବାକୁ ନିୟମ ହୋଇଛି। କିନ୍ତୁ ଜନପଥରେ ତିନିଟି ଦୋକାନ ଏହି କଟକଣା ମାନିନଥିବାରୁ ସେମାନଙ୍କ ଠାରୁ ବିଏମ୍ସି ଓ ବିଡିଏ ସ୍କ୍ବାଡ୍ ୧୪ହଜାର ଟଙ୍କା ଜରିମାନା ଆଦାୟ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସ୍କ୍ବାଡ୍ ଅଶୋକନଗରସ୍ଥିତ ମାକ୍ସ ସୋ’ରୁମ୍କୁ ଯାଞ୍ଚ ପାଇଁ ଯାଇଥିବାବେଳେ ସେଠାରେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ନଥିଲା କି ବହୁ ଗ୍ରାହକ ମାସ୍କ ପିନ୍ଧି ନଥିଲେ। ତେଣୁ ଏହି ସୋ’ରୁମ୍କୁ ୧୦ହଜାର ଟଙ୍କା ଜରିମାନା କରାଯାଇଥିଲା। ସେହିପରି ଶ୍ରୀ ଲେଦର୍ ସୋ’ରୁମ୍ରେ ଗ୍ରାହକ କୋଭିଡ୍-୧୯ କଟକଣା ମାନିନଥିବାରୁ ସୋ’ରୁମ୍କୁ ୧ହଜାର ଟଙ୍କା, ଇଜି ବାଏ ସୋ’ରୁମ୍କୁ ୩ହଜାର ଟଙ୍କା ଜରିମାନା କରାଯାଇଥିଲା।
ଜିମ୍ ସିଲ୍ ହେଲା, ଦୁଇ ହୋଟେଲକୁ ୧୦ହଜାର ଜରିମାନା
ଭୁବନେଶ୍ୱର : ଖଣ୍ଡଗିରି ନିକଟସ୍ଥ ଜଗମୋହନ ନଗରରେ ଥିବା ଅଲ୍ଟାଇମ୍ ଫିଟନେସ୍ ଜିମ୍ କରୋନା କଟକଣା ସତ୍ତ୍ବେ ଖୋଲା ହୋଇଥିବାରୁ ବିଏମ୍ସି ଦକ୍ଷିଣ-ପଶ୍ଚିମ ଜୋନ୍ ପକ୍ଷରୁ ଏହାକୁ ସିଲ୍ କରାଯାଇଛି। କୋଭିଡ-୧୯ କଟକଣା ଅନୁଯାୟୀ ଏବେ ଜିମ୍ ଖୋଲିବା ମନା ଅଛି। କିନ୍ତୁ ଏହି ଜିମ୍ କର୍ତ୍ତୃପକ୍ଷ ଜିମ୍ ଖୋଲି କିଛି କାମ କରୁଥିଲେ। ତେଣୁ ବିଏମ୍ସି ପକ୍ଷରୁ ଜିମ୍ରୁ ହଜାରେ ଟଙ୍କା ଜରିମାନା ଆଦାୟ କରାଯିବା ସହ ଏହାକୁ ସିଲ୍ କରାଯାଇଛି। ସେହିପରି ନହରକଣ୍ଟା ନିକଟରେ ଦୁଇଟି ହୋଟେଲ ଖୋଲିବା ସହ ଏଠାରେ ଲୋକଙ୍କୁ ବସାଇ ଖାଇବାକୁ ଦେଇଥିଲେ। ନିୟମ ଅନୁଯାୟୀ ହୋଟେଲ କର୍ତ୍ତୃପକ୍ଷ କେବଳ ପାର୍ସଲ ଦେଇପାରିବେ କିମ୍ବା ହୋମ୍ ଡେଲିଭରି କରିପାରିବେ। କାହାକୁ ବସାଇ ଖାଇବାକୁ ଦେଇପାରିବେନି। ଏଠାରେ କୋଭିଡ୍-୧୯ ନିୟମ ଉଲ୍ଲଂଘନ ହୋଇଥିବାରୁ ବିଏମ୍ସି ଉତ୍ତର ଜୋନ୍ ପକ୍ଷରୁ ଦୁଇଟି ହୋଟେଲକୁ ୫ହଜାର ଟଙ୍କା ଲେଖାଏ ଜରିମାନା ହୋଇଛି। ସେହିପରି ଆଜି ବିଏମ୍ସି ଉତ୍ତର ଜୋନ୍ ଆଜି ମୋଟ୍ ୨୦,୨୦୦ଟଙ୍କା ଜରିମାନା ଆଦାୟ କରିଛି। ସେହିପରି ଦକ୍ଷିଣ -ପଶ୍ଚିମ ଜୋନ୍ ଆଜି ପ୍ରାୟ ୩ହଜାର ଟଙ୍କା ଜରିମାନା ଆଦାୟ କରିଛି।