ଭୁବନେଶ୍ବର : ୨ ହୋଟେଲକୁ ହଜାରେ ଟଙ୍କା ଜରିମାନା

ଭରତପୁର ଅଞ୍ଚଳରୁ ୪ ଖାଦ୍ୟ ନମୁନା ସଂଗ୍ରହ

ଭୁବନେଶ୍ବର : ବାସି ଖାଦ୍ୟ କିମ୍ବା ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ବିକ୍ରି କରୁଥିବା ହୋଟେଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି ଭରତପୁର ଅଞ୍ଚଳର ୨ଟି ହୋଟେଲକୁ ୧ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ପୂର୍ବରୁ ମଧ୍ୟ ସାମନ୍ତରାପୁର ଓ ଜାଗମରା ଅଞ୍ଚଳର ଦୁଇଟି ହୋଟେଲଠାରୁ ୫ଶହ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଥିଲା।

ସୂଚନା ଅନୁଯାୟୀ, ଆଜି ଖାଦ୍ୟ ସୁରକ୍ଷା ପକ୍ଷରୁ ଭରତପୁର ଓ ଖଣ୍ଡଗିରି ମେଳାରେ ଥିବା ଖାଦ୍ୟ ବ୍ୟବସାୟୀଙ୍କ ଖାଦ୍ୟର ଯାଞ୍ଚ କରାଯାଇଥିଲା। ଭରତପୁର ଅଞ୍ଚଳରେ ଥିବା ହୋଟେଲ ଗୁଡ଼ିକରେ ବିକ୍ରି ହେଉଥିବା ଖାଦ୍ୟର ଯାଞ୍ଚ ହୋଇଥିଲା। ଏହି ଅଞ୍ଚଳରେ ଥିବା ଦୁଇଟି ହୋଟେଲ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ବିକ୍ରି କରୁଥିବା ନଜରକୁ ଆସିଥିଲା। ଦୁଇ ହୋଟେଲକୁ ଖାଦ୍ୟ ସୁରକ୍ଷା ନିୟମ ଅନୁଯାୟୀ ୫ଶହ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଛି। ଏହାସହ ୪ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଖଣ୍ଡଗିରି ମେଳାରେ ମଧ୍ୟ ବିକ୍ରି ହେଉଥିବା ଖାଦ୍ୟକୁ ଯାଞ୍ଚ କରାଯାଇଛି। ‌ତେବେ ଗତ ୧୦ତାରିଖରେ ମେଳା ପରିସରରୁ ଖାଦ୍ୟ ସୁରକ୍ଷା ଅଧିକାରୀ ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ। ତେବେ ସେଥିରୁ ଚାଟ୍‌ ବ୍ୟବସାୟୀଙ୍କ ଖାଦ୍ୟ ନିମ୍ନମାନର ରହିଥିବା ଜଣାପଡ଼ିବା ପରେ ସେମାନଙ୍କୁ ଖାଦ୍ୟ ପ୍ରସ୍ତୁତିରେ ଉନ୍ନତି ପାଇଁ ନୋଟିସ୍ ଜାରି କରାଯାଇଥିବା ଜଣାପଡ଼ିଛି।

ଖାଦ୍ୟ ସୁରକ୍ଷାର ଜଣେ ଅଧିକାରୀ କହିଛନ୍ତି, ଖଣ୍ଡିଗିରି ମେଳାରେ ଶହ ଶହ ଲୋକଙ୍କ ଯାତାୟାତ ଜାରି ରହିଥିବାରୁ ମେଳାରେ ବିକ୍ରି ହେଉଥିବା ଖାଦ୍ୟକୁ ନିୟମିତ ଯାଞ୍ଚ କରିବା ପାଇଁ ନିଷ୍ପତ୍ତି ହୋଇଛି। ମେଳା ଚାଲିବା ପର୍ଯ୍ୟନ୍ତ ଏହି ଯାଞ୍ଚ ଜାରି ରହିବ ବୋଲି ଖାଦ୍ୟ ସୁରକ୍ଷା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର