ଖଣ୍ଡଗିରି: ନିଷେଧ ସତ୍ତ୍ବେ ବଜାରରେ ସହଜରେ ଗୁଟ୍ଖା, ଖଇନି, ଜର୍ଦ୍ଦା ଓ ଗଞ୍ଜେଇ ଉପଲବ୍ଧ ହେଉଛି। ପ୍ରତି ଛକରେ ଗଳିକନ୍ଦିରେ ଥିବା ଦୋକାନରେ ମାଳମାଳ ହୋଇ ଗୁଟ୍ଖା ବିକ୍ରି ହେଉଛି। ସର୍ବସାଧାରଣ ସ୍ଥାନରେ ତମାଖୁ ସେବନ କିମ୍ବା ଧୂମପାନ ନିଷେଧ ହୋଇଥିଲେ ମଧ୍ୟ ଏହାକୁ ପାଳନ କରାଯାଉନାହିଁ। ଗୁଟ୍ଖା ସେବନ କମାଇବା ତଥା ଧୂମପାନମୁକ୍ତ ସହର ଗଠନ ଲାଗି କୋଟ୍ପା (ସିଗାରେଟ୍ ଅଦର୍ ଟବାକୋ ଆକ୍ଟ) ଆଇନକୁ ସରକାର ପ୍ରଣୟନ କରିଥିଲେ। ମାତ୍ର ଏହି ଆଇନ ଶୀତଳଭଣ୍ଡାରରେ ପଡ଼ିଛି। ଏହି ଆଇନ ଅନୁଯାୟୀ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ଥାନାର ୧୦୦ ମିଟର ପରିସରରେ ପାନ, ବିଡ଼ି ବିକ୍ରି ନକରିବା ପାଇଁ ନିୟମ ହୋଇଥିଲା। ସର୍ବସାଧାରଣ ସ୍ଥାନରେ ଧୂମପାନ କଲେ ୨ଶହ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ନିର୍ଦ୍ଦେଶ ରହିଥିଲା। ତେବେ ଏହି ଜରିମାନାକୁ ଏକ ହଜାର ଟଙ୍କାକୁ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେଥିପ୍ରତି କେହି ଗୁରୁତ୍ବ ଦେଉନାହାନ୍ତି। ରାଜ୍ୟରେ ସିଗାରେଟ୍ ଓ ତମାଖୁ ସେବନକାରୀଙ୍କ ସଂଖ୍ୟା କିଛି କମ୍ ନୁହେଁ। ତେବେ ଗତ ଆର୍ଥିକ ବର୍ଷରେ ରାଜ୍ୟରୁ ମାତ୍ର ୧୨ଲକ୍ଷ ଟଙ୍କା ଜରିମାନା ଆଦାୟ ହେବା ଏନ୍ଫୋର୍ସମେଣ୍ଟର ଅସଲ ଚେହେରାକୁ ପଦାରେ ପକାଇଛି।
ସେହିପରି ନାବାଳକଙ୍କୁ ତମାଖୁ ଉତ୍ପାଦ ବିକ୍ରି କଲେ ବ୍ୟବସାୟୀଙ୍କୁ ବି ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିଥାଏ। ତଥାପି ରାଜ୍ୟରେ ଗୁଟ୍ଖା ସେବନ କରୁଥିବା ନାବାଳକଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ସରକାରୀ ଦପ୍ତରରେ ତମାଖୁ ସେବନ ନିଷେଧ ହୋଇଥିଲେ ମଧ୍ୟ ଅଫିସ୍ ପରିସରରେ ଗୁଟ୍ଖା ଓ ପାନଛେପର ଚିତ୍ର କାନ୍ଥରେ ଜଳଜଳ ହୋଇ ଦିଶୁଛି। ବିଭିନ୍ନ ସମୟରେ ସ୍ବାସ୍ଥ୍ୟବିଭାଗ, ପୁଲିସ ଓ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ ଏହାଦ୍ବାରା କୌଣସି ଫରକ ପଡ଼ୁନାହିଁ। ତମାଖୁ ବର୍ଜନ ସମ୍ପର୍କରେ ଯୁବବର୍ଗ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ଆସନ୍ତାକାଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଆପ୍ ଜାରି ହେବାକୁ ଯାଉଛି। ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଏହି ଅଭିଯାନରେ ସାମିଲ କରାଯିବ। ତମାଖୁ ଉପରେ ନିୟନ୍ତ୍ରଣ ଲାଗି ୨୦୨୩ରେ ନୂତନ ରାଜ୍ୟସ୍ତରୀୟ ସମନ୍ବୟ କମିଟି ଗଠନ କରାଯାଇଥିଲା। ଏହି ୧୨ଜଣିଆ କମିଟିରେ ୭ଟି ବିଭାଗର ପ୍ରତିନିଧି ରହିଥିଲେ। ପ୍ରତି ୩ମାସରେ ଥରେ ଏହି ସମନ୍ବୟ କମିଟି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ତମାଖୁ କାର୍ଯ୍ୟକ୍ରମ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବା ଲାଗି ନିୟମ ହୋଇଥିଲା। ତେବେ ଏହି କମିଟି ପ୍ରାୟତଃ ନିଷ୍କ୍ରିୟ ରହିଛି।