୧୪ ଦିନରେ ଧରାପଡ଼ିଛନ୍ତି ୨୨ ହଜାର ଅମାନିଆ, ତଣ୍ଡ ଗଣିଛନ୍ତି ୨୦ ଲକ୍ଷ ୫୬ ହଜାର

ସିପି, ଡିସିପି ବୁଲିଲେ ଅନୁଧ୍ୟାନ କଲେ

ଭୁବନେଶ୍ବର : ଯେତେ ବୁଝାଇଲେ ବି ଅମାନିଆ ବୁଝିବାକୁ ନାରାଜ୍। ସବୁ ନିୟମକାନୁନକୁ ଫୁ’ କରି ଦେଉଛନ୍ତି। ଗାଡ଼ି ଖଣ୍ଡେ ଧରି ଚକ୍କର କାଟୁଛନ୍ତି। ଖାଲି ସେତିକି ନୁହେଁ ମୁହଁରେ ମାସ୍କ ବି ରହୁନି। ଆଉ ଗୋଟିଏ ଗୋଟିଏ ଦୋକାନରେ ପ୍ରବଳ ଭିଡ଼ ଲାଗୁଛି। ଲକଡାଉନ୍ ପ୍ରଥମ ପର୍ଯ୍ୟାୟରେ ଗତ ୫ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ୧୪ ଦିନରେ ୨୨ ହଜାର ୩୬୦ ଅମାନିଆ ଧରାପଡ଼ିଛନ୍ତି। ସେମାନଙ୍କ ଠାରୁ ୨୦ ଲକ୍ଷ ୫୬ ହଜାର ୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଧରାପଡ଼ିଥିବା ଅମାନିଆଙ୍କ ମଧ୍ୟରୁ ଅଧାରୁ ଅଧିକ ମାସ୍କ ପାଇଁ ଜରିମାନା ଗଣିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ଉମାଶଙ୍କର ଦାଶ କୋଭିଡ୍ କାର୍ଯ୍ୟାନୁଷ୍ଠାନ ଅନୁଧ୍ୟାନ କରିଛନ୍ତି। ଡିସିପି ଶ୍ରୀ ଦାଶ ଏକ ନମ୍ବର ହାଟ ଓ ଚାରି ନମ୍ବର ହାଟ ବୁଲିଥିଲେ। ସେହିପରି କମିସନର ଶ୍ରୀ ପ୍ରିୟଦର୍ଶୀ କ୍ୟାପିଟାଲ ଥାନାକୁ ଯାଇ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଆଗକୁ ମଧ୍ୟ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର