ଭୁବନେଶ୍ୱର : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ’ ହୁ’ ହୋଇ ବଢ଼ୁଥିବାରୁ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ପାଇଁ ଦ୍ବୈତନଗରୀରେ ପୁଣିଥରେ ଲକ୍ଡାଉନ୍ କରାଯାଇଛି। ଶୁକ୍ରବାର ରାତିଠାରୁ ୧୪ ଦିନିଆ ଅର୍ଥାତ୍ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଗତକାଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୁଲିସ୍ କମିସନର୍ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। ପୂର୍ବରୁ ହୋଇଥିବା ଲକ୍ଡାଉନ୍ରେ ଲୋକମାନେ କଟକଣା ମାନି ନଥିବାରୁ ଏଥର କମିସନରେଟ୍ ପୁଲିସ୍ କଠୋର ଆଭିମୁଖ୍ୟ ଗ୍ରହଣ କରିଛି।
ଗାଇଡ୍ଲାଇନ୍ ଅନୁଯାୟୀ, ବିନା ଜରୁରୀ କାମରେ ଘରୁ ବାହାରିଲେ, ପୁଲିସ ଜରିମାନା ଆଦାୟ କରିବ। ଏପରିକି ଗିରଫ କରି କୋର୍ଟଚାଲାଣ ମଧ୍ୟ କରିପାରେ। ସେହିପରି ଗାଡ଼ି ନେଇ କେହି ପରିବା କିଣିବାକୁ ଯାଇପାରିବେ ନାହିଁ। ଚାଲି ଚାଲି କିମ୍ବା ସାଇକେଲ୍ରେ ପାଖ ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବେ।
ସେହିପରି ଗତ ଲକ୍ଡାଉନ୍ ଓ ସଟ୍ଡାଉନ୍ରେ କେତେକ ନକଲି ସାମ୍ବାଦିକ ପ୍ରେସ୍ କାର୍ଡ ଦେଖାଇ ସହରରେ ବୁଲି ବ୍ୟକ୍ତିଗତ କାମ କରୁଥିବା ନଜରକୁ ଆସିଥିଲା। ତେଣୁ ଏହି ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ସାମ୍ବାଦିକମାନେ ନିଜର ପରିଚୟପତ୍ର ଦେଖାଇବା ସହ ଯେଉଁ ସଂସ୍ଥାରେ କାମ କରୁଛନ୍ତି, ତାହାର ପ୍ରମାଣ ଦେଖାଇବେ। ଅନ୍ୟ ନକଲି ସାମ୍ବାଦିକଙ୍କୁ ଛଡ଼ା ଯିବ ନାହିଁ ବୋଲି ଆଜି କମିସନରେଟ୍ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୂର୍ବରୁ ପାଇଥିବା ପାସ୍ ବଳବତ୍ତର ରହିବ ନାହିଁ।
ସାମ୍ବାଦିକଙ୍କ ଭଳି ମେଡିସିନ୍ ଷ୍ଟୋର ଓ ତେଜରାତି ଦୋକାନ କିମ୍ବା ଏଭଳି ଜରୁରୀ ସେବା/ବ୍ୟବସ୍ଥାରେ କାମ କରୁଥିବା କର୍ମଚାରୀ ଟ୍ରେଡ୍ ଲାଇସେନ୍ସ ସହ ମାଲିକଙ୍କ ସ୍ବୀକୃତିପତ୍ର ଦେଖାଇ ଯା’ ଆସ କରିପାରିବେ। ହସ୍ପିଟାଲ, ପରିବା, ଗ୍ୟାସ୍ ଓ ହୋମ୍ ଡେଲିଭରି କରୁଥିବା ସଂସ୍ଥାମାନଙ୍କୁ କାମ କରିବା ପାଇଁ ସୁଯୋଗ ଦିଆଯିବ। ପରିବା ଦୋକାନୀଙ୍କୁ ନେଇ ଏକ ହ୍ବାଟ୍ସ୍-ଆପ୍ ଗ୍ରୁପ୍ ତିଆରି ହୋଇଛି। ଜଣେ ଏସିପି ଏହାର ପରିଚାଳନା କରୁଛନ୍ତି। ସେହିଭଳି ଅନ୍ୟାନ୍ୟ ଜରୁରୀ କାମ ପାଇଁ ଡାଏଲ୍-୧୦୦ ପୂର୍ବବତ କାମ କରିବ। ଲୋକମାନେ ବିବାହ, ବ୍ରତ ଓ ମୃତ୍ୟୁକାଳୀନ ଜରୁରୀ କାମରେ ଏହାର ବ୍ୟବହାର କରିପାରିବେ। ୧୦୦ ଡାଏଲ୍ କରି ଏସ୍ଏମ୍ଏସ୍ ଜରିଆରେ ପାସ୍ ପାଇପାରିବେ। ଅନ୍ୟ କୌଣସି କାମ ପାଇଁ ପାସ୍ ଛପାଯିବ ନାହିଁ କିମ୍ବା କମିସନରେଟ୍ ପୁଲିସ ପାସ୍ ବାଣ୍ଟିବ ନାହିଁ। ଅପରପକ୍ଷେ ସହରର ସୀମା ଉପରେ କଡ଼ା ନଜର ରଖାଯିବ। କୌଣସି ଅନାଧିକୃତ ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ।