ନିୟମ ନ ମାନିଲେ ଧରିବ ସିସିଟିଭି : ଖସିବା ବାଟ ବନ୍ଦ

ଫୋକସ୍‌ରେ ରୁପାଲି ଛକ‌, ଆଜିଠାରୁ ଟିଭିଡିଏସ୍ ବ୍ୟବସ୍ଥା ଲାଗୁ ହେବ, ବିଓସିରୁ କଟିବ ଚାଲାଣ, ମାଲିକ ଠିକଣାରେ ଯିବ ଚାଲାଣ

ଲୋକ ଘରୁ ଗାଡ଼ି ଧରି ବାହାରୁଥିଲେ। ଯଦି କେଉଁଠି ଚେକିଂ ହେଉଛି ଦେଖୁଥିଲେ, ସେଠାରୁ ବାଟ ଭାଙ୍ଗି ଅନ୍ୟ ରାସ୍ତାରେ ଚାଲି ଯାଉଥିଲେ। ପୁଲିସ ୪ କିମ୍ବା ୫ଟି ଜାଗାରେ ଦିନ ସାରା ଜଗି ଜଗି ଫେରୁଥିଲା। ଉଲ୍ଲଂଘନକାରୀ ଗଳା ବାଟ ଦେଖି ଖସି ପଳାଉଥିଲେ। ହେଲେ ଏଭଳି ଆଉ ଚଳିବ ନାହିଁ। ଉଲ୍ଲଂଘନକାରୀଙ୍କୁ ସିସିଟିଭି ଜଗିବ। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ରୁପାଲି ଛକଠାରେ ଟିଭିଡିଏସ୍‌ (ଟ୍ରାଫିକ ଭାଓଲେସନ୍ ଡିଟେକ୍ସନ ସିଷ୍ଟମ) ବା ଟ୍ରାଫିକ୍‌ ଉଲ୍ଲଙ୍ଘନ ଚିହ୍ନଟ ବ୍ୟବସ୍ଥା କାର୍ଯ୍ୟକ୍ରମ ହେବାକୁ ଯାଉଛି। ଯଦି କେହି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ, ସିିସିଟିଭି‌େର ଫଟୋ ଉତ୍ତୋଳନ ହୋଇଯିବ। ଏହି ଫଟୋ ସ୍ମାର୍ଟସିଟିର ଭୁବନେଶ୍ବର ଅପରେସନ୍ ସେଣ୍ଟର୍‌(ବିଓସି)କୁ କ୍ଷଣିକରେ ପଳାଇବ। ଏହି ସୂଚନାକୁ ଆଧାର କରି ବିଓସିରେ ବସିଥିବା ଅଧିକାରୀ ଆଇନ ଅନୁଯାୟୀ ଚାଲାଣ କାଟି ଦେବେ। ଗାଡ଼ି ମାଲିକ ଠିକଣାରେ ଚାଲାଣ ଘରେ ପହଞ୍ଚିବ। ଏହି ବ୍ୟବସ୍ଥା ରବିବାରଠାରୁ ରୁପାଲି ଛକରୁ ଆରମ୍ଭ ହେବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ।

ଏପରିକି ଏହି ବ୍ୟବସ୍ଥାରେ ବାଇକ୍ ଚାଳକ ହେଲମେଟ୍‌ ପିନ୍ଧି ନଥିଲେ, କାର୍‌ ଚାଳକ ସିଟ୍‌ ବେଲ୍‌ଟ ପିନ୍ଧି ନଥିଲେ ବି ତା’ର ଫଟୋ ଉଠିଯିବ। ଏହାସହ ରଙ୍ଗରୁଟ୍‌, ତିନିଜଣ ବାଇକ୍‌ରେ ବସିଥିଲେ, ଜେବ୍ରା କ୍ରସିଂ ଅତିକ୍ରମ କରିଥିଲେ, ‌ନାଲିବତି ସିଗନାଲ୍‌ ମାନି ନଥିଲେ ବି ତୁରନ୍ତ ଏହାର ଫଟୋ ବିଓସିକୁ ପଳାଇବ। ଯାହାକୁ ଦେଖି କଣ୍ଟ୍ରୋଲ ରୁମ୍‌ରୁ ଚାଲାଣ କଟାଯିବ।

ତେବେ କେବଳ ଟିଭିଡିଏସ୍‌ ବ୍ୟବସ୍ଥାରେ ନୁହେଁ। ଟ୍ରାଫିକ୍‌ କର୍ମଚାରୀଙ୍କ ନିକଟରେ ଥିବା ‘ବଡି କ୍ୟାମେରା’ରେ ବି ନିୟମ ଉଲ୍ଲଂଘନକାରୀ ଓ ତାଙ୍କ ଗାଡ଼ିର ଫଟୋ ଉଠାଇ ପଠାଇ ଦିଆଯିବ।

odishasuntimes.com

ଜରିମାନା ନ ଦେଲେ ସୁଧ ଗଣିବ
ଟିଭିଡିଏସ୍‌ ବ୍ୟବସ୍ଥା ଏବେ ରୁପାଲି ଛକରେ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ଯେଉଁ ଚାଲାଣ କଟାଯିବ, ତାହାକୁ ଧାର୍ଯ୍ୟ ସମୟ ମଧ୍ୟରେ ପଇଠ କରିବାକୁ ପଡ଼ିବ। ନଚେତ୍ ଯେତିକି ଟଙ୍କାର ଚାଲାଣ କଟାଯାଇଥିବ, ତା’ର ସୁଧ ମୂଳ ହିସାବ କରି ଜମା କରିବାକୁ ପଡ଼ିବ। ନିର୍ଦ୍ଧାରିତ ସମୟରେ ଜରିମାନା ଦାଖଲ ନକଲେ ମୂଳ ସହ ସୁଧ ବଢ଼ି ବଢ଼ି ଚାଲିବ। ଯେତେବେଳେ ଗାଡ଼ିର ଯେ କୌଣସି କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଚାଳକ ଆରଟିଓ ଯିବ ସେଠାରେ ସମୂଳସୁଧ ଆଦାୟ ହେବ। ଆବଶ୍ୟକ ପଡ଼ିଲେ ମାମଲା କୋର୍ଟକୁ ଯିବ। ପରୱାନା ମଧ୍ୟ ଜାରି ହୋଇପାରେ। ଏଣୁ ଭୁଲ୍‌ରେ ମଧ୍ୟ ଯେଭଳି ଭୁଲ ନ ହେବ, ସେଥିପାଇଁ ଦୃଷ୍ଟି ରଖିବାକୁ କମିସନର୍‌ ପରାମର୍ଶ ଦେଇଛନ୍ତି।

ଜାନୁଆରି ସୁଦ୍ଧା ସଚିବାଳୟ ମାର୍ଗ ଓ ନନ୍ଦନକାନନ ରୋଡ୍‌ରେ ଟିଭିଡିଏସ୍
ଏବେ କେବଳ ରୁପାଲି ଛକରେ ଟିଭିଡିଏସ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ରାଜଧାନୀର ବିଭିନ୍ନ ସ୍ଥାନରେ ଯଦିଓ ସିସିଟିଭି ଲାଗିଛି, କିନ୍ତୁ ଏଥିରେ ଉଠୁଥିବା ଫଟୋ ବିଓସିକୁ ପଠାଇବାକୁ ଇଣ୍ଟରନେଟ୍‌ ବ୍ୟବସ୍ଥା ହୋଇନି। ତେଣୁ ଏବେ କେବଳ ରୁପାଲି ଛକ‌ରୁ ଏହା ଆରମ୍ଭ ହେବ। ଏଠାରେ ସବୁ ପ୍ରକାରର ବ୍ୟବସ୍ଥା ଅଛି। ଜାନୁଆରି ସୁଦ୍ଧା ଏହି ବ୍ୟବସ୍ଥା ରାଜଭବନରୁ ନନ୍ଦନକାନନ ଏବଂ ସଚିବାଳୟ ମାର୍ଗରେ ଲାଗୁ କରାଯିବ। ଆସନ୍ତା ୬ ମାସ ମଧ୍ୟରେ ରାଜଧାନୀର ସମସ୍ତ ପ୍ରମୁଖ ରାସ୍ତାରେ ଏହାକୁ ଲାଗୁ କରାଯିବ ବୋଲି ଜଣାପଡ଼ିଛି।

କାହା ସହିତ ଯୁକ୍ତି ତର୍କ ହେବନି
ଗାଡ଼ିର କାଗଜପତ୍ର ଯାଞ୍ଚ କଲା ବେଳେ ଯଦି କେହି ଉଲ୍ଲଂଘନକାରୀ ଧରାପଡ଼ୁଛି କିନ୍ତୁ ଜରିମାନା ଦେବାକୁ ଚାହୁଁ ନାହିଁ, ତେବେ ତାଙ୍କ ସହ ଯୁକ୍ତିତର୍କ ନ କରିବାକୁ ପୁଲିସ କର୍ମଚାରୀଙ୍କୁ କୁହାଯାଇଛି। ଚାଲାଣ କାଟି ଛାଡ଼ିଦେବାକୁ ପରାମର୍ଶ ଦେଇଛନ୍ତି ପୁଲିସ କମିସନର୍‌। ଯୁକ୍ତିତର୍କରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାରୁ ପୁଲିସକୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ଏଥିରୁ ଦୂରେଇ ରହିବାକୁ କୁହାଯାଇଛି।

କେଉଁ ଉଲ୍ଲଂଘନ ପାଇଁ କେତେ ଜରିମାନା
ମଦ ପିଇ ଗାଡ଼ି ଚାଳନା୧୦ ହଜାର
ଦ୍ରୁତଗତି ୫ ହଜାର
ଟ୍ରାଫିକ୍‌ର ବିପରୀତ ଦିଗରେ ୫ ହଜାର
ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍‌ ବ୍ୟବହାର ୫ ହଜାର
ବିପଜ୍ଜନକ ଚାଳନା ୫ ହଜାର
ବାଇକ୍‌ରେ ତିନିଜଣ ୧ ହଜାର
ଓଭରଲୋଡିଂ ୨୦ ହଜାର, ଟନ ପିଛା ୨ ହଜାର
ବିନା ହେଲ୍‌ମେଟ୍‌ ୧ ହଜାର
ବିନା ସିଟ୍‌ ବେଲ୍‌ଟ ୧ ହଜାର

ଜରିମାନା ପାଇଁ ଖୋଲିବ ସ୍ବତନ୍ତ୍ର କାଉଣ୍ଟର
ଗାଡ଼ିମୋଟର ଯାଞ୍ଚ ବେଳେ ଉଲ୍ଲଂଘନକାରୀକୁ ଜରିମାନା ପୈଠ କରିବା ପାଇଁ ପୁଲିସ ବାଧ୍ୟ କରିବ ନାହିଁ। ଉଲ୍ଲଂଘନକାରୀ ଚାହିଁଲେ ତୁରନ୍ତ ଦେଇ ପାରି‌େବ, ନ ଦେଇ ବି ପାରିବେ। କିନ୍ତୁ ଥରେ ଚା‌ଲାଣ କଟିଲେ ଜରିମାନା ଦେବାକୁ ବାଧ୍ୟ। ଏଣୁ ଜରିମାନା ଆଦାୟ ପାଇଁ କମିସନରେଟ୍‌ ପୁଲିସ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର କାଉଣ୍ଟର୍‌ ଖୋଲିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ଏଠାରେ ଉଲ୍ଲଂଘନକାରୀ ଜରିମାନା ପୈଠ କରିବାର ସୁଯୋଗ ଦିଆଯିବ।

ଜାଲ୍‌ ନମ୍ବର ପାଇଁ କ’ଣ କରିବେ?
ନିୟମ ଉଲ୍ଲଙ୍ଘନକାରୀଙ୍କୁ ସିସିଟିଭି ଚିହ୍ନଟ କରିବ। ଗାଡ଼ି ନମ୍ବର ଅନୁସାରେ ଚାଳକ ଘରକୁ ଚାଲାଣ ଯିବ। କିନ୍ତୁ ଠକକୁ କେମିତି ଧରିବେ, ସେ ନେଇ ପ୍ରଶ୍ନ ଉଠିଛି। କେହି ନିଜ ଗାଡ଼ିରେ ଅନ୍ୟ କାହାର ନମ୍ବର ପ୍ଲେଟ୍‌ ବ୍ୟବହାର କଲେ, ଚାଲାଣ କାହା ଘରକୁ ଯିବ? ଉଲ୍ଲଂଘନକାରୀ ତା’ ବାଟରେ ଚାଲିଯାଇଥିବା ବେଳେ ଯାହା ନମ୍ବର ଜାଲ୍‌ ହୋଇଥିବ ସେ ଗାଡ଼ିର ମାଲିକ ଫସିଯିବା ଆଶଙ୍କା ସୃଷ୍ଟି ହୋଇଛି।

ଘଣ୍ଟାଏ ପରେ ‘ସାରଥି’ ଫେଲ୍‌
‘ସାରଥି’ ଆପ୍‌ ଜରିଆରେ ସର୍ବଭାରତୀୟସ୍ତରରେ ପରିବହନ ବିଭାଗର ସମସ୍ତ ଅନ୍‌ଲାଇନ୍‌ କାରବାର ହେଉଛି। ଲାଇସେନ୍ସ ଆବଦେନଠାରୁ ଆରମ୍ଭ କରି ମାଲିକାନା ପରିବର୍ତ୍ତନ ସହ ଅର୍ଥ ପୈଠ ହେଉଛି। ଏହି ଆପ୍‌ ଆଜି ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଫେଲ୍‌ ମାରିଛି। ଏଣୁ ଆରଟିଓ ସହ ବିଭିନ୍ନ କ୍ୟାମ୍ପ‌ରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ୩ ମାସ ପର୍ଯ୍ୟନ୍ତ ମହଲତ ବଢ଼ିଥିବାରୁ ଅଧିକାଂଶ ଫେରି ଯାଇଥିଲେ।

ସମ୍ବନ୍ଧିତ ଖବର