କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜନୈତିକ ସଂଗଠନ ବିରୋଧରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ମାମଲା

ଭୁବନେଶ୍ୱର: କୋଭିଡ-୧୯ ପାଇଁ ସମଗ୍ର ଦେଶ ସମେତ ରାଜ୍ୟରେ ଭିଡ଼ ଉପରେ ବାରଣ ଥିବା ବେଳେ ରାଜ୍ୟର କିଛି ରାଜନୈତିକ ସଂଗଠନର କର୍ମୀମାନେ ଏକତ୍ରିତ ହୋଇଛନ୍ତି। ଉଲ୍ଲଂଘନକାରୀ ରାଜନୈତିକ ସଂଗଠନ ବିରୋଧରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି।

କୋଭିଡ କଟକଣା ସତ୍ତ୍ୱେ ଭାରତୀୟ ଜନତା ପାର୍ଟିର କର୍ମୀମାନେ କଳ୍ପନା ଛକସ୍ଥିତ କନିକା ଗଲେରିିଆ ସପିଂ ମଲ ସମ୍ମୁଖରେ ପ୍ରଦର୍ଶନ କରିବା ଅଭିଯୋଗରେ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଥିବା ବେଳେ ଡିଜେଲ ଦର ବୃଦ୍ଧି ନେଇ କଂଗ୍ରେସ ଭବନ ସମ୍ମୁଖରେ ରାଲି ଓ ପ୍ରଦର୍ଶନ କରିବା ଅଭିଯୋଗରେ ଯୁବ କଂଗ୍ରେସର ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି।

ଜନାର୍ଦ୍ଦନ ପତି, ନାରାୟଣ ରେଡ୍ଡୀଙ୍କ ନେତୃତ୍ୱରେ ସିଆଇଟିୟୁ, ଆଇଏନଟିୟୁସି, ଏଆଇଟିୟୁସି, ଏଆଇସିସିଟିୟୁ, ଏଆଇୟୁଟିୟୁସିର କର୍ମୀମାନେ ବିଭିନ୍ନ ଦାବି ନେଇ ମାଷ୍ଟର କ୍ୟାଣ୍ଟିନ ନିକଟରେ ପ୍ରଦର୍ଶନ କରିଥିବାରୁ ସେମାନଙ୍କ ନାଁରେ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି। ସେହିପରି ସାମାଜିକ କର୍ମୀ ପ୍ରଦୀପ ପ୍ରଧାନ ଓ ଶ୍ରୀକାନ୍ତ ପାତ୍ରଙ୍କ ନାଁରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଏମାନେ ମଧ୍ୟ ବିଭିନ୍ନ ଦାବି କରି ମାଷ୍ଟର କ୍ୟାଣ୍ଟିନସ୍ଥିତ କଂଗ୍ରେସ ଭବନ ସମ୍ମୁଖରେ ପ୍ରଦର୍ଶନ କରୁଥିଲେ।

ନବନିର୍ମାଣ କୃଷକ ସଂଗଠନର ଜାତୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସଦସ୍ୟ ଦୁର୍ଗା ଦାସ, ମନୋହର ଅଲିଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହୋଇଛି। ଏମାନେ ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ପ୍ରଦର୍ଶନ କରୁଥିଲେ।

ପୂର୍ବରୁ ସରକାର ଓ ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, କୋଭିଡ-୧୯ କଟକଣା ଚାଲିଥିବା ବେଳେ ରାଜନୈତିକ, ସାମାଜିକ କାର୍ଯ୍ୟକ୍ରମ, ବିକ୍ଷୋଭ ବେଆଇନ। ଏଭଳି କେହି ଏକତ୍ରିତ ହେଲେ ଦଣ୍ଡବିଧାନ ବ୍ୟବସ୍ଥା ଅଛି। ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି।

ସମ୍ବନ୍ଧିତ ଖବର