ଭୁବନେଶ୍ୱର : ପୁଲିସ ଅଫିସର୍ସ କ୍ଲବ ଜାଗା ଭଡ଼ାରେ ଲାଗିଛି; ହେଲେ ସଂଘ ଏକଥା ଜାଣିନି। ଜାଗାକୁ ବାର୍ଷିକ ଭଡ଼ା ସୂତ୍ରରେ ନେଇଥିବା ଲୋକ ଦୋକାନ ଘର ତିଆରି କରିବାରୁ କଥା ପଦାକୁ ଆସିଛି। ବେଆଇନ ଭାବରେ ଘର ତିଆରି ହେଉଥିବାରୁ ପୁଲିସ କାମ ବନ୍ଦ କରିଛି। ଏଭଳି ଘଟଣା ସହିଦନଗର ଥାନା ଅଞ୍ଚଳରେ ଘଟିଛି। ଖବର ପାଇବା ପରେ ପୁଲିସ ଅଫିସର୍ସ ସଂଘର ସଭାପତି ସତ୍ୟଜିତ ମିଶ୍ର ସହିଦନଗର ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଆଧାର କରି ପୁଲିସ ଖୋଳତାଡ଼ ଆରମ୍ଭ କରିଛି।
ଖୋଳତାଡ଼ ବେଳେ ଏକ ସାଂଘାତିକ କେଳେଙ୍କାରୀ ପଦାକୁ ଆସିଛି। ଜାଗାକୁ କେବଳ ଭଡ଼ାରେ ଲଗାଯାଇ ନାହିଁ, ବରଂ ଏଠାରେ ଥିବା ଘର ମଧ୍ୟ ଭଡ଼ାରେ ଲାଗିଛି। ଦୀର୍ଘ ଦିନ ହେବ ଜଣେ ପୁଲିସ ଅଫିସରଙ୍କ ସମ୍ପର୍କୀୟ ଏହି ଘରେ ରହି ଆସୁଛନ୍ତି। ଏହି ଘରର ଚାବି ସହିଦନଗର ଫାଣ୍ଡିରେ ରହୁଥିବା ବେଳେ ରକ୍ଷଣାବେକ୍ଷଣ ଦାୟିତ୍ବରେ ମଧ୍ୟ ପୁଲିସ ଅଫିସର ରହିଛନ୍ତି। ଏହାଛଡ଼ା ଆଉ ଏକ ବିଚିତ୍ର ଘଟଣା ପଦାକୁ ଆସିଛି। ଏହି କାରବାର ପଛରେ ଜଣେ ପୂର୍ବତନ ଇନ୍ସ୍ପେକ୍ଟର ଓ ଜଣେ ହାବିଲଦାରଙ୍କ ହାତ ରହିଛି। ଇନ୍ସ୍ପେକ୍ଟରଙ୍କ ପ୍ରରୋଚନାରେ ସମ୍ପୃକ୍ତ ହାବିଲଦାର ଏହି କାରବାର କରିଛନ୍ତି। ସଂଘ ଜାଗାକୁ ବାର୍ଷିକ ଭଡ଼ା ସୂତ୍ରରେ ଦେଇଛନ୍ତି। ଭଡ଼ା ନେଇଥିବା ଲୋକ ୧ ଲକ୍ଷ ୮୦ ହଜାର ଟଙ୍କା ଅଗ୍ରିମ ଦେଇଛି। ଏଠାରେ ସେ ଚିକେନ୍ ଦୋକାନ କରିଥା’ନ୍ତା। ବେପାର ଆରମ୍ଭ କରିବା ପରେ ମାସିକ ୧୦ହଜାର ଟଙ୍କା ଭଡ଼ା ଦେଇଥା’ନ୍ତା। ଏହି ଭଡ଼ା ଉଭୟ ହାବିଲଦାର ଓ ପୂର୍ବତନ ଇନ୍ସ୍ପେକ୍ଟର ବାଣ୍ଟି ନେଇଥାନ୍ତେ। ସଂଘ ଏ ବାବଦରେ ସୁରାକ୍ ମଧ୍ୟ ପାଇନଥାନ୍ତା। ଏହି ଦୋକାନକୁ ସୁରକ୍ଷା ଯୋଗାଇଥା’ନ୍ତେ ସମ୍ପୃକ୍ତ ହାବିଲଦାର। ହେଲେ ଏସବୁ ଯୋଜନା ପାଣି ଫାଟିଗଲା। ନିର୍ମାଣ ହେଉ ହେଉ କଥା ପ୍ରଘଟ ହୋଇଗଲା ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ଘଟଣାର ତଦନ୍ତ ଚାଲିଛି, ତଦନ୍ତ ପରେ ଉଚିତ ପଦକ୍ଷେପ ନିଆଯିବ ବୋଲି ସହିଦନଗର ଥାନା ଇନ୍ସ୍ପେକ୍ଟର ହିମାଂଶୁ ସ୍ବାଇଁ କହିଛନ୍ତି।
ସୂଚନା ମୁତାବକ, ୧୯୭୦ ମସିହାରେ ସହିଦନଗରରେ ସରକାର ପୁଲିସ ଅଫିସର୍ସ ଆସୋସିଏସନକୁ କ୍ଲବ୍ ପାଇଁ ଜମି ଯୋଗାଇ ଦେଇଥିଲେ। ନାଲ୍କୋ ସହଯୋଗରେ ଅଫିସର୍ସ ସଂଘର ଗୃହ ନିର୍ମାଣ ଚାଲିଥିଲା। ହେଲେ କୌଣସି କାରଣରୁ ଏହା ସମ୍ପୂର୍ଣ୍ଣ ହୋଇନପାରି ପଡ଼ି ରହିଥିଲା। ଗୋଟିଏ କନ୍ଫରେନ୍ସ ହଲ ନିର୍ମାଣ ହୋଇଥିଲା। ସହିଦନଗର ଫାଣ୍ଡିରେ ଏହି ଘରର ଚାବି ରହିଥିଲା। ଏହି ଜାଗା ଭଡ଼ାରେ ଲାଗିବା ଘଟଣା ଫାଣ୍ଡି କିଭଳି ଜାଣି ପାରିଲା ନାହିଁ? ସଂଘକୁ ନ ଜଣାଇ ଭଡ଼ା ଦେବା ପଛରେ କାହାର ଦୁଃସାହସ ରହିଛି? ଭଳି ଅନେକ ପ୍ରଶ୍ନ ଏବେ ସମ୍ପୃକ୍ତ ହାବିଲଦାର ଓ ଇନ୍ସ୍ପେକ୍ଟରଙ୍କୁ ବିବାଦକୁ ଟାଣିଛି।
ଅନ୍ୟପଟେ ସଂଘର ସଭାପତି ଇନ୍ସ୍ପେକ୍ଟର ସତ୍ୟଜିତ ମିଶ୍ର ଯେତେବେଳେ ଏଠାରେ ଚାକିରି କରୁଥିଲେ, ସେତେବେଳେ ସବୁ ଠିକ୍ ଥିଲା। ସେ ଅକ୍ଟୋବରରେ ସୋନପୁର ବଦଳି ହେବା ପରେ ଏହି କେଳେଙ୍କାରୀ ହୋଇଛି। ସେଥିରେ ପୁଣି ପୁଲିସ କର୍ମଚାରୀଙ୍କ ସମ୍ପୃକ୍ତି ଅଛି। ଏଣୁ ସଂଘ ଓ ଏହି ମାମଲାରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ମଧ୍ୟରେ ଏବେ ଫାଟ ହେବାକୁ ଯାଉଛି।
ଏ ନେଇ ଅଫିସର୍ସ ସଂଘ ସଭାପତି ଶ୍ରୀ ମିଶ୍ର କହିଛନ୍ତି, ଏ ନେଇ ଆମ ପାଖରେ କୌଣସି ସୂଚନା ନାହିଁ। ଖବର ପାଇବା ପରେ ମୁଁ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲି। ହେଲେ କିଏ ଭଡ଼ା ନେଇଛି ସେ ବାବଦରେ ଜାଣିପାରିଲି ନାହିଁ। ତଦନ୍ତ ପାଇଁ ସଂଘ ପକ୍ଷରୁ ସହିଦନଗର ଥାନାରେ ଏତଲା ଦିଆଯାଇଛି। ସହିଦନଗର ଥାନା ଆଇଆଇସି କାମ ବନ୍ଦ କରିବା ସହ ତଦନ୍ତ କରୁଛନ୍ତି। ଯିଏ ବି ଏହା ପଛରେ ଥାଉ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସଂଘ ଦାବି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/saheed-nagar-ps.jpg)