ବିଡିଏ ସେକ୍ରେଟାରିଙ୍କ ନାଁରେ ଥାନାରେ ମାମଲା: ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ବର: ଏକ ପ୍ଲଟ୍‌ରେ ବିଡିଏ ପାଚେରି ବୁଲାଇବା ବେଳେ ପ୍ରତିବାଦ କରୁଥିବା ଜଣେ ମହିଳାଙ୍କୁ ଅଧିକାରୀ ଓ କର୍ମଚାରୀମାନେ ମିଳିତ ଭାବେ ଟଣାଓଟରା କରିବା ସହ ଅସଦାଚରଣ କରି ଗାଡ଼ିରେ ଉଠାଇ ‌ନେଇଥିବା ଅଭିଯୋଗ ହୋଇଛି। ଏନେଇ ବିଡିଏ ସେକ୍ରେଟାରି କବୀନ୍ଦ୍ର କୁମାର ସାହୁଙ୍କ ସମେତ ୪ ଅଧିକାରୀଙ୍କ ନାମରେ ତମାଣ୍ଡୋ ଥାନାରେ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କ ପ୍ଲଟ୍‌କୁ ଲାଗିଥିବା ରାସ୍ତାକୁ ବନ୍ଦ କଲା ବେଳେ ପ୍ରତିବାଦ କାରିବାରୁ ତାଙ୍କୁ ଟଣାଓଟରା କରି ଉଲଗ୍ନ କରିଦେଇଥିବା ଅଭିଯୋଗ କରିବା ପରେ ପୁଲିସ ୩୪୧, ୩୨୩, ୩୫୪, ୩୫୪(ଖ), ୨୮୩, ୩୬୩ ଓ ୩୪ ଦଫା ଲଗାଇ ‌ମାମଲା(୩୬) ରୁଜୁ ହୋଇଥିବା ତମାଣ୍ଡୋ ଥାନା ଆଇଆଇସି ଶୁଭ୍ରାନ୍ତ କୁମାର ଜେନା ସୂଚନା ଦେଇଛନ୍ତି।

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ସେ କଳିଙ୍ଗନଗରରେ ଏକ ପ୍ଲଟ୍‌(ଏମ୍‌ଆଇଜି-କେ୯ଏ-୧୦ଏ) ବିଡିଏରୁ କିଣିଥିଲେ। ୨୦୦୬ ମସିହାରେ ବିଡିଏ ଦଖଲ ଦେଇଥିବା ବେଳେ ୨୦୨୧ରେ ତାଙ୍କ ନାମରେ ରେଜିଷ୍ଟ୍ରି ଦଲିଲ୍‌ ହୋଇଥିଲା। ଦଲିଲ୍‌ ଅନୁସାରେ ଏହି ପ୍ଲଟର ଉତ୍ତର ଓ ପୂର୍ବ ପାର୍ଶ୍ୱରେ ଦୁଇଟି ରାସ୍ତା ଥିବା ଉଲ୍ଲେଖ ରହିଛି ଏବଂ ସେଥ‌ିପାଇଁ ବିଡିଏ ଉକ୍ତ ପ୍ଲଟ୍‌ ପାଇଁ ୨୦% ଅଧିକ ଟଙ୍କା ନେଇଛି। କିନ୍ତୁ ଗତ ନଭେମ୍ବର ୧୪ରେ ବିଡିଏ ଏହି ପ୍ଲଟ୍‌ର ଉତ୍ତର ପାର୍ଶ୍ୱ ରାସ୍ତାରେ କଂକ୍ରିଟ୍‌ ପାଚେରି ନିର୍ମାଣ କରି ବନ୍ଦ କରିଦେଲେ। ପାଚେରି ନିର୍ମାଣ ବେଳେ ମହିଳା ପ୍ରତିବାଦ କରିବାରୁ ବିଡିଏ ଅଧିକାରୀମାନେ ତାଙ୍କୁ ଟଣାଓଓଟରା କରି ଗାଡ଼ିରେ ବସାଇ କିଛି ଦୂରକୁ ନେଇଗଲେ। ଏହି ସମୟରେ ସେ ଏକପ୍ରକାର ଉଲଗ୍ନ ହୋଇପଡ଼ିଥିଲେ ବି ନିର୍ଦ୍ଦୟ ଅଧିକାରୀମାନେ ତାଙ୍କୁ ଛାଡ଼ିନଥିଲେ ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ପାଚେରି ନିର୍ମାଣ ପାଇଁ ଜେସିବିରେ ଗାତ ଖୋଳିସାରିବା ପରେ ସେମାନେ ତାଙ୍କୁ ଛାଡ଼ିଥିଲେ। ପରେ ନଭେମ୍ବର ୨୫, ଡିସେମ୍ବର ୩, ୪ ଓ ୫ ତାରିଖରେ ସେ ଏହି କଂକ୍ରିଟ୍‌ ପାଚେରିକୁ ଭାଙ୍ଗି ପୂର୍ବ ଭଳି ରାସ୍ତା ଛାଡ଼ିବାକୁ ଅନୁରୋଧ କରିଥିଲେ। କିନ୍ତୁ ଏବେ ଅଧିକାରୀମାନେ ପାଚେରିକୁ ଅଧିକ ଉଚ୍ଚା କରିଦେଇଛନ୍ତି। ତାଙ୍କ ସ୍ବାମୀ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇପଡ଼ିଥିବା ବେଳେ ଏକମାତ୍ର ପୁଅ ବାହାରେ ରୁହେ। ତେଣୁ ଏଭଳି ସ୍ଥିତିରେ ଅଧିକାରୀମାନେ ଯିବା ଆସିବା ରାସ୍ତାକୁ ବେଆଇନ ଭାବେ ବନ୍ଦ କରିଦେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

ଏନେଇ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସେଠାରେ କୌଣସି ବେଆଇନ କାର୍ଯ୍ୟ ହୋଇନାହିଁ। ବିଡିଏ ନିଜ ଜାଗାକୁ ସୁରକ୍ଷିତ ରଖିବାକୁ ପାଚେରି କରିଛି। ସେହିଭଳି ମହିଳାଙ୍କୁ ଉଲଗ୍ନ କରାଯାଇନାହିଁ ବୋଲି ଅଧିକାରୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମହିଳାଙ୍କୁ ସବୁ ବୁଝାଇଦିଆଯାଇଛି ଏବଂ ସେ ନ୍ୟାୟାଳୟର ଦ୍ବାରସ୍ଥ ହୋଇପାରନ୍ତି ବୋଲି ମଧ୍ୟ କୁହାଯାଇଛି। ଥାନାରେ ମାମଲା ରୁଜୁ ହେବା ସମ୍ବନ୍ଧରେ କୌଣସି ସୂଚନା ନାହିଁ ଏବଂ ଯେକୌଣସି ତଦନ୍ତ ପାଇଁ ବିଡିଏ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ସେହିଭଳି ମହିଳାଙ୍କୁ ମିଳିଥିବା ପ୍ଲଟ୍‌ଟି ଆବାସିକ ବର୍ଗର ହୋଇଥିବା ବେଳେ ସେ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବାରୁ ଏହାକୁ ଭାଙ୍ଗିବାକୁ କୋର୍ଟ ଆଦେଶ ଦେଇଛନ୍ତି ବୋଲି ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର