ବାଲିପାଟଣା: ଗୁରୁବାର ଆନନ୍ଦ ଉଲ୍ଲାସରେ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ନାତିର ବ୍ରତୋପନୟନ ସରିଥିଲା। କିଛି ଘନିଷ୍ଠ ସମ୍ପର୍କୀୟ ଘରେ ଥିଲେ। ହେଲେ ଶୁକ୍ରବାର ଅପରାହ୍ଣରେ ଘରେ ହସ ଖୁସି ମାହୋଲ ଥିବା ବେଳେ ହଠାତ୍ ଛଣଛପର ଘରେ ନିଆଁ ଲାଗିଯାଇଥିଲା। ଫଳରେ ଆସବାବପତ୍ର ସହ ବନ୍ଦାଣ ସାମଗ୍ରୀ ସବୁ କିଛି ପୋଡ଼ି ପାଉଁଶ ହୋଇଗଲା। ଖବର ପାଇ ଅଗ୍ନିଶମ ବାହିନୀ ନିଆଁ ଲିଭାରେ ନିୟୋଜିତ ହୋଇଥିଲେ ମଧ୍ୟ ସେତେବେଳକୁ ଘର ସମ୍ପୂର୍ଣ ପୋଡ଼ି ହୋଇଯାଇଥିଲା। ସରଦେଇପୁର, ନିମାପଡ଼ା ରାସ୍ତାର ବିଶ୍ୱନାଥପୁର ବଜାର ନିକଟରେ ମଞ୍ଜୁଲତା ଶତପଥୀଙ୍କ ସହ ତାଙ୍କ ପୁଅ ନୀତେନ୍ଦ୍ର, ବୋହୁ ଶୁଭଲକ୍ଷ୍ମୀ ଏବଂ ନାତି, ନାତୁଣୀ ଏକାଠି ଏକ ନୂଆଣିଆ ଛଣଛପର ଘର କରି ରହୁଥିଲେ। ନୀତେନ୍ଦ୍ରଙ୍କ ପୁଅ ସତ୍ୟଜିତ୍ଙ୍କର ଗୁରୁବାର ବ୍ରତୋପନୟନ ହୋଇଥିଲା।
ବନ୍ଧୁବାନ୍ଧବ ବ୍ରତ ଘରେ ଯୋଗ ଦେଇ ଟଙ୍କା, ସୁନା ଅନ୍ୟାନ୍ୟ ସାମଗ୍ରୀ ବନ୍ଦାଣ ଆକାରରେ ଦେଇଥିଲେ। ଘର ଭିତରେ ଟିଣ ବାକ୍ସରେ ମିଳିଥିବା ଟଙ୍କା, ସୁନା, ନୂଆ ବସ୍ତ୍ର ରହିଥିଲା। ହେଲେ ଆଜି ଅପରାହ୍ନରେ ହଠାତ୍ ବିଦ୍ୟୁତ ସଟ୍ସର୍କିଟ୍ ହୋଇ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ନିଆଁର ପ୍ରକୋପ ଦେଖି ଘର ଭିତରକୁ ପଶିବାକୁ ସମସ୍ତେ ଭୟ କରିଥିଲେ। ନିମିଷକ ଭିତରେ ସବୁକିଛି ଛାର୍ଖାର୍ ହୋଇଯାଇଥିଲା। ପରିବାର ଲୋକଙ୍କ ସୂଚନା ଅନୁସାରେ ୪୦ହଜାରରୁ ଉର୍ଦ୍ଧ୍ବ ନଗଦ ଟଙ୍କା, ୩ଟି ସୁନା ମୁଦି, ଅନ୍ୟାନ୍ୟ ଉପହାର ସାମଗ୍ରୀ, ବ୍ରହ୍ମଚାରୀଙ୍କ ମଠା, ଲୁଗା ପଟା, ଘରର ଆସବାବପତ୍ର ଓ ପିନ୍ଧା ଲୁଗାପଟା ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ଏହି ପରିବାରର ଚଳଣି ସ୍ୱଛଳ ନୁହେଁ। ତେଣୁ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/08/xKAU5uRP7I2UAJrk6RNV.jpg)