ଚନ୍ଦ୍ରଶେଖରପୁର: ବର୍ଷ ଆରମ୍ଭରୁ ରାଜଧାନୀରେ ଘଟିଛି ପୁଣି ଏକ ଭୟାବହ ଅଗ୍ନିକାଣ୍ଡ। ଗୁରୁବାର ଭୋର୍ ଚନ୍ଦ୍ରଶେଖରପୁର ଡମଣା ଛକ ନିକଟସ୍ଥ ପ୍ଲଟ୍ ନଂ-୨୩୫/୨୨୫୮ରେ ଥିବା ଭେନସ୍ ଡେଲିମାର୍ଟ ସପିଙ୍ଗ୍ କମ୍ପ୍ଲେକ୍ସ୍ର ଦ୍ୱିତୀୟ ମହଲାରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଭୋର୍ ସମୟ ହୋଇଥିବା ଓ ଦୋକାନ୍ରେ କେହି ନଥିବାରୁ କୌଣସି ଜୀବନ ହାନି ହୋଇନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଭେନସ ଡେଲିମାର୍ଟର ଦ୍ୱିତୀୟ ମହଲାରେ ଏକ ପ୍ରତିଷ୍ଠିତ ବ୍ରାଣ୍ଡ୍ର ମହିଳା ସେଲୁନ୍ ଥିବା ବେଳେ ଆଉ ଏକ ସୋ’ରୁମ୍ ରହିଥିଲା। ଏହି ସପିଙ୍ଗ୍ କମ୍ପ୍ଲେକ୍ସ୍ରେ ଆଜି ଭୋର ପ୍ରାୟ ୩.୩୦ରୁ ୪.୦୦ଟା ମଧ୍ୟରେ ନିଆଁ ଲାଗି ଯାଇଥିଲା। ସକାଳ ପ୍ରାୟ ୫.୧୫ ମିନିଟ୍ରେ ଚନ୍ଦ୍ରଶେଖରପୁର ଦମକଳ କେନ୍ଦ୍ରକୁ ଅଗ୍ନିକାଣ୍ଡ ସମ୍ପର୍କରେ ସ୍ଥାନୀୟ ଲୋକେ ଖବର ଦେଇଥିଲେ। ଖବର ପାଇ ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଓ ସଚିବାଳୟ ଦମକଳ କେନ୍ଦ୍ରର ୬ଟି ଦମକଳ ତୁରନ୍ତ ଆସି ପହଞ୍ଚିଥିଲା। ନିଆଁଲିଭା କାର୍ଯ୍ୟରେ ୪୨ଜଣ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ। ଦୁଇ ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା ବୋଲି ଡେପୁଟି ଫାୟାର୍ ଅଫିସର୍ ରମେଶ ଚନ୍ଦ୍ର ମାଝୀ ପ୍ରକାଶ କରିଛନ୍ତି। ବିଦ୍ୟୁତ ସର୍ଟସର୍କିଟ୍ରୁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। କାରଣ ନିଆଁ ଲାଗିବାର ଅନେକ ସମୟ ପରେ ବାହାରକୁ ଧୂଆଁ ଆସିବା ପରେ ଅଗ୍ନିକାଣ୍ଡ ସମ୍ପର୍କରେ ବାହାର ଲୋକ ଜାଣି ପାରିଥିଲେ। ୨୦୧୭ ମସିହାରେ ରାଜଧାନୀରେ ଅନେକ ଲୋମଟାଙ୍କୁରା ଅଗ୍ନିକାଣ୍ଡ ଘଟିଥିଲା। ସେହି ଅଘଟଣଗୁଡ଼ିକର ସ୍ମୃତି ରାଜଧାନୀବାସୀଙ୍କ ମନରୁ ନ ଯାଉଣୁ ବର୍ଷ ଆରମ୍ଭରୁ ପୁଣି ଏକ ଅଗ୍ନିକାଣ୍ଡ ଛନକା ସୃଷ୍ଟି କରିଛି।
ଅଗ୍ନି ନିରାପତ୍ତା ପ୍ରମାଣପତ୍ର ବିନା ଚାଲିଥିଲା ସପିଙ୍ଗ୍ କମ୍ପ୍ଲେକ୍ସ
ଦିଆଯାଇପାରେ ବନ୍ଦ ନୋଟିସ୍
ଅଗ୍ନିଶମ ବିଭାଗର ଚଢ଼ଉ
ଚନ୍ଦ୍ରଶେଖରପୁର: ୨୦୧୭ ମସିହାରେ ପାଲ୍ ହାଇଟ୍ସ ହୋଟେଲ ମାଲିକଙ୍କ ଘରେ ଘଟିଥିବା ଲୋମହର୍ଷକ ଅଗ୍ନିକାଣ୍ଡ, ଲିଙ୍ଗରାଜ ବିସ୍କୁଟ୍ ଫ୍ୟାକ୍ଟି୍ରି ନିଆଁ, ସ୍ପୋର୍ଟ୍ସ ଏମ୍ପୋରିୟମ୍ ଅଗ୍ନିକାଣ୍ଡ ପରି ଅନେକ ଅଘଟଣର ମୁକସାକ୍ଷୀ ରହିଥିଲେ ରାଜଧାନୀବାସୀ। ବର୍ଷ ଆରମ୍ଭରୁ ଆଜି ଭେନସ ଡେଲିମାର୍ଟର ଦ୍ୱିତୀୟ ମହଲାରେ ଆଜି ଭୋର୍ ସମୟରେ ଘଟିଛି ଏହି ଅଘଟଣ। ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ ଏହି ନିଆଁକୁ ଆୟତ୍ତ କରାଯାଇଥିଲେ ସୁଦ୍ଧା ରାଜଧାନୀରେ ଗଢ଼ି ଉଠୁଥିବା ଉଚ୍ଚ ଅଟ୍ଟାଳିକାଗୁଡ଼ିକ ପାଇଁ ବିପଦର ସତର୍କ ସୂଚନା ଦେଇଛି। ତେଣୁ ଏହାକୁ ଗୁରୁତ୍ୱର ସହ ନେଇଛି ଅଗ୍ନିଶମ ବିଭାଗ। ଅପରାହ୍ନରେ ଅଗ୍ନିଶମ ବିଭାଗ ପୁନର୍ବାର ଭେନସ୍ ଡେଲମାର୍ଟରେ ପହଞ୍ଚି ଆରମ୍ଭ କରିଥିଲା ସରଜମିନ୍ ତଦନ୍ତ। ଡେପୁଟି ଫାୟାର୍ ଅଫିସର୍ ରମେଶ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ଏକ ପନ୍ଦର ଜଣିଆ ଟିମ୍ ପୂରା ଘଟଣାର ଛାନ୍ଭିନ୍ କରିଥିଲେ। ଏହି ବିଲ୍ଡିଂ ହରିଶ ଚନ୍ଦ୍ର ଭୋଳଙ୍କ ମାଲିକାନାରେ ଥିବା ବେଳେ ଶୁଭେନ୍ଦୁ ତ୍ରିପାଠୀ ତାଙ୍କଠାରୁ ଭଡ଼ା ସୂତ୍ରରେ ଆଣି ଏଠାରେ ଭେନସ୍ ଡେଲିମାର୍ଟ ଖୋଲିଥିଲେ। ଏହି ଅଟ୍ଟାଳିକାରେ ବିଭିନ୍ନ ଦୋକାନ ଓ ସୋ’ରୁମ୍ ରହିଛି। ମାତ୍ର ତଦନ୍ତ କାଳରେ ଏହି ବିଲଡିଂ ପାଇଁ କୌଣସି ଅଗ୍ନି ନିରାପତ୍ତା ପ୍ରମାଣପତ୍ର ବା ଅନୁମତି ଅଣାଯାଇ ନଥିବା ନଜରକୁ ଆସିଥିଲା। ଏହି ୧୫ଜଣିଆ ଟିମ୍ ପୂରା ବିଲ୍ଡିଂକୁ ତନ୍ନ ତନ୍ନ କରି ନିରୀକ୍ଷଣ କରିଥିଲେ। ଅଗ୍ନିକାଣ୍ଡ ଘଟିଥିବା ମହଲାରେ କେଉଁ କେଉଁ ପଦାର୍ଥ ରହିଥିଲା, ତାହା ଜ୍ୱଳନଶୀଳ ଥିଲା କି ନାହିଁ, ସର୍ବନିମ୍ନ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅବଲମ୍ବନ କରାଯାଇଥିଲା କି ନାହିଁ ଆଦି ବିଭିନ୍ନ ଦିଗ ଉପରେ ଟିକିନିଖି ଅନୁଧ୍ୟାନ କରିଥିଲେ ଅଗ୍ନିଶମ ଅଧିକାରୀ। ଏହା ସହିତ ଅଘଟଣ ଘଟିଥିବା କୋଠାର ମାଲିକ ଓ ତାଙ୍କଠାରୁ ଲିଜ୍ ସୂତ୍ରରେ ନେଇଥିବା ଶୁଭେନ୍ଦଙ୍କୁ ଘରର ଉପଯୁକ୍ତ କାଗଜପତ୍ର ଦାଖଲ କରିବାକୁ ଅଗ୍ନିଶମ ଅଧିକାରୀ କହିଥିଲେ।
ମାତ୍ର ମିଳିଥିବା ସୂଚନା ଅନୁଯାୟୀ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନଥିବାରୁ ତିନି ବର୍ଷରୁ ଊର୍ଧ୍ୱ ସମୟ ପାଇଁ ଏହି ଅଟ୍ଟାଳିକାକୁ ବନ୍ଦ ନୋଟିସ୍ ଦିଆଯାଇପାରେ। ଯଦିଓ ଏ ନେଇ ଘଟଣାସ୍ଥଳ ଛାନଭିନ୍ କରୁଥିବା ଅଗ୍ନିଶମ କର୍ମଚାରୀମାନେ ମୁହଁ ଖୋଲିନଥିଲେ ମାତ୍ର ଅଗ୍ନି ନିରାପତ୍ତା ନେଇ ଅବହେଳାକୁ ଅଗ୍ନିଶମ ବିଭାଗ ଆଉ ବରଦାସ୍ତ କରିବ ନାହିଁ ବୋଲି ସୂଚନା ମିଳିଛି। ଏନେଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଉପରେ ଚିନ୍ତା କରାଯାଉଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଡେପୁଟି ଫାୟାର୍ ଅଫିସର୍ ରମେଶ ଚନ୍ଦ୍ର ମାଝୀ, ଚନ୍ଦ୍ରଶେଖରପୁର ଦମକଳ କେନ୍ଦ୍ରର ଅଜୟ ବରାଡ଼ଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିଲା।