ଉତ୍କଳ ବିଶ୍ବବିଦ୍ୟାଳୟରେ ପୁଣି ଅଗ୍ନିକାଣ୍ଡ: ସଂସ୍କୃତ ବିଭାଗ ଏସି, କମ୍ପ୍ୟୁଟର୍, ପ୍ରିଣ୍ଟର ପୋଡ଼ିଗଲା

ବିଦ୍ୟୁତ୍ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

ଭୁବନେଶ୍ବର: ପୁଣିଥରେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ନିଆଁ ଲାଗିଛି। କ୍ୟାମ୍ପସ୍‌ର ସଂସ୍କୃତ ବିଭାଗ କୋଠାରେ ଶୁକ୍ରବାର ଅପରାହ୍‌ଣରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ କାହାର କୌଣସି ବିଶେଷ କ୍ଷତି ହୋଇ ନଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ସଂସ୍କୃତ ବିଭାଗର ପ୍ରଫେସର ଓ କର୍ମଚାରୀମାନେ ଅଳ୍ପକେ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣ ସାଢ଼େ ୨ଟା ବେଳେ ସଂସ୍କୃତ ବିଭାଗ କୋଠାରେ ସମସ୍ତ ପ୍ରଫେସର୍‌, ଅଧ୍ୟାପକ ଓ କର୍ମଚାରୀ ଥିବା ସମୟରେ ବିଭାଗୀୟ ମୁଖ୍ୟଙ୍କ କୋଠରିରୁ ହଠାତ୍‌ ଶବ୍ଦ ଶୁଣିବାକୁ ମିଳିଥିଲା। କ’ଣ ହେଲା ଦେଖିବା ଲାଗି କୋଠାରେ ଥିବା କର୍ମଚାରୀମାନେ ସେଠାକୁ ଧାଇଁ ଯାଇଥିଲେ। ଏସିରୁ ନିଆଁ ବାହାରୁଥିବା ଦେଖି ଭୟଭୀତ ହୋଇ ଯିଏ ଯୁଆଡ଼େ ପାରିଲେ, ଧାଇଁଲେ। କିଛି ସମୟ ମଧ୍ୟରେ ରୁମ୍ ଭିତରେ ଥିବା ଆସବାବପତ୍ରଗୁଡ଼ିକ ହୁତୁହୁତୁ ହୋଇ ଜଳିଯାଇଥିଲା। ତେବେ ନିଆଁ ଅଧିକ ବ୍ୟାପିବା ପୂର୍ବରୁ ବିଶ୍ବବିଦ୍ୟାଳୟର ସୁରକ୍ଷାକର୍ମୀ, କର୍ମଚାରୀ ଓ କିଛି ଛାତ୍ର ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଖବର ପାଇ ଅଗ୍ନିଶମ ବାହିନୀର ଗୋଟିଏ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲା। ନିଆଁ ଲିଭିଲା ବେଳକୁ ରୁମ୍ ଭିତରେ ଥିବା ଗୋଟିଏ କମ୍ପ୍ୟୁଟର୍, ପ୍ରିଣ୍ଟର ମେସିନ୍, ଜେରକ୍ସ ମେସିନ୍, ଏସି, କାଗଜପତ୍ର ସମେତ ଅନ୍ୟ କିଛି ଛୋଟ ଛୋଟ ସମାଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ କୌଣସି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ନ ଥିବା ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ସୁବାସ ଚନ୍ଦ୍ର ଦାଶ କହିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୯ ଅକ୍ଟୋବର ୨୫ରେ ବିଶ୍ବବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟ ବିଲଡିଂରେ ଥିବା ସିଣ୍ଡିକେଟ୍ ହଲ୍‌ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମାଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା। ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା କାରଣରୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅଗ୍ନିକାଣ୍ଡ ଘଟି‌ଲେ କ୍ଷୟକ୍ଷତିକୁ ରୋକି ହେଉନାହିଁ।

ସମ୍ବନ୍ଧିତ ଖବର