ଚନ୍ଦ୍ରଶେଖରପୁର: ଆଜି ରାତି ପ୍ରାୟ ୯ଟା ବେଳେ କିଟ୍ ରୋଡ୍ରେ ଥିବା ୫ଟି ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୋକାନ ଭିତରେ ଥିବା ୨ଜଣ ସେଲସମ୍ୟାନ୍ ଆହତ ହୋଇଛନ୍ତି। ଇନ୍ଫୋସିଟି ପିସିଆର୍ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଛି। ଏହି ଅଗ୍ନିକାଣ୍ଡରେ ପାଖାପାଖି ୧ କୋଟି ଟଙ୍କାର ସଂପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ବିଦ୍ୟୁତ୍ ସଟ୍ସର୍କିଟ୍ରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।
ସୂଚନା ଅନୁଯାୟୀ, କିଟ୍ ଛକରୁ ପ୍ରଶାନ୍ତବିହାର ଦିଗକୁ ଥିବା ରାସ୍ତାକଡ଼ରେ ବିରିଆନି ବକ୍ସ, ଆର୍ଚିସ୍ ଗ୍ୟାଲେରି, ୯୦ ରେସ୍ତୋରାଁ, ଲଲିପପ୍ ପ୍ଲାଜା ଓ ଷ୍ଟୁଡେଣ୍ଟ ହବ୍ ନାମକ ଦୋକାନ ରହିଛି। ନାଇଟ୍ କର୍ଫ୍ୟୁ ପାଇଁ ଆଜି ରାତି ପ୍ରାୟ ୯ଟା ବେଳେ ଦୋକାନଗୁଡ଼ିକ ଗୋଟିଏ ପରେ ଗୋଟିଏ ବନ୍ଦ ହେଉଥିଲା। ପାଖାପାଖି ୩ଟି ଦୋକାନ ବନ୍ଦ ହୋଇସାରିଥିବା ବେଳେ ଆଉ ୨ ଦୋକାନର କର୍ମଚାରୀ ବନ୍ଦ କରିବା ପାଇଁ ତତ୍ପର ହେଉଥିଲେ। ଠିକ୍ ସେତିକିବେଳେ ନିଟକରେ ଥିବା ଏକ ଟୁଲୁ ଟ୍ରାନସ୍ଫର୍ମର୍ରେ ସର୍ଟସର୍କିଟ୍ ହୋଇଥିଲା। ପ୍ରଥମେ ଗୋଟିଏ ଦୋକାନର ଜମ୍ଫର୍ରେ ନିଆଁ ଲାଗି ଯାଇଥିଲା। ଏହାର କିଛି କ୍ଷଣ ମଧ୍ୟରେ ଅନ୍ୟ ସବୁ ଦୋକାନର ମେନ୍-ସୁଇଚ୍ ବକ୍ସରୁ ନିଆଁ ଝୁଲ ଖସି ପଡ଼ିଥିଲା।
ଏହି ନିଆଁ ଝୁଲ ଦୋକାନ ଭିତରେ ଥିବା ଦୁଇ କର୍ମଚାରୀଙ୍କ ଉପରେ ପଡ଼ିବାରୁ ସେମାନେ ଆହତ ହୋଇଥିଲେ। ସେମାନେ ଜୀବନ ବିକଳରେ ବାହାରକୁ ଚାଲି ଆସିବା ପରେ ଦୋକାନଗୁଡ଼ିକ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ଚାହୁଚାହୁ ନିଆଁ ସବୁଆଡ଼େ ବ୍ୟାପି ଯାଇଥିଲା। ଖବର ପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା। ଆଗ୍ନିକମାନେ ଦୁଇଟି ଦମକଳ ଓ ୮ଟି ନିଆଁଲିଭା ସିଲିଣ୍ଡର୍ ସାହାଯ୍ୟରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଘଟଣ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ଗହଳି ହୋଇଯିବାରୁ ପୁଲିସ୍କୁ ନାକେଦମ୍ ହେବାକୁ ପଡ଼ିଥିଲା। କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍ ହୋଇଯାଇଥିଲା। ତେଣୁ ଲୋକମାନେ ବିଗ୍ବଜାର ପଛ କଲୋନି ରାସ୍ତା ଦେଇ ଯାତାୟାତ କରିଥିଲେ।