ନନ୍ଦନକାନନ ଉଦ୍ଭିଦ ଉଦ୍ୟାନରେ ନିଆଁ : ୧୦ ଏକର ଜଙ୍ଗଲ ଜଳିଗଲା

ମିଳିଲା ମୃତ ମୟୂର
୪ ଘଣ୍ଟା ପରେ ନିଆଁ ଆୟତ୍ତ
ତଥାପି ଟଳିନି ବିପଦ
ରାତିସାରା ଜଗିବେ କର୍ମଚାରୀ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ଦଶ ଏକର ପରିମିତ ଜଙ୍ଗଲ ଜଳି ଯାଇଛି। ନିଆଁରେ ପୋଡ଼ି ପାଉଁଶ ହୋଇଛି ବହୁ ମୂଲ୍ୟବାନ ଗଛଲତା। ଅନେକ କୀଟ, ପତଙ୍ଗ, ପକ୍ଷୀ ଓ ସରୀସୃପ ମଧ୍ୟ ନିଆଁର କବଳରୁ ବର୍ତ୍ତି ନ ଥିବା ଆଶଙ୍କା କରାଯାଉଛି। ଜଙ୍ଗଲ ଭିତରୁ ଏକ ମୟୂରର ମୃତଦେହ ଉଦ୍ଧାର କରାଯାଇଛି। ତେବେ ଠିକଣା ସମୟରେ ବାରଙ୍ଗ ଅଗ୍ନିଶମ ଓ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀର ଦମକଳ ଆସି ନିଆଁକୁ ଆୟତ୍ତକୁ କରିବା ଫଳରେ ଉଦ୍ଭିଦ ଉଦ୍ୟାନର ବୃହତ୍ତର ଅଂଶ ଅଳ୍ପକେ ବର୍ତ୍ତି ଯାଇଛି। ହେଲେ ମଝିରେ ମଝିରେ ନିଆଁ କୁହୁଳୁ ଥିବାରୁ ଏବେ ବି ବିପଦ ଟଳିନାହିଁ।

ରବିବାର ମଧ୍ୟାହ୍ନ ସାଢ଼େ ବାରଟା ବେଳେ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସରର ବାରଙ୍ଗ ଚନ୍ଦକା ମୁଖ୍ୟ ରାସ୍ତା ପାର୍ଶ୍ବ ପାଚେରିକୁ ଲଗିଥିବା ଭୁଆଶୁଣୀ ଗଡ଼ା ପାଖ ଜଙ୍ଗଲରେ ହଠାତ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଉଠିଥିଲା। ପବନ ବହୁଥିବା ଯୋଗୁଁ ନିଆଁ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପଛପାଖ ପାଚେରି କଡ଼ ଦେଇ ଶଗୁଣା ପ୍ରଜନନ କେନ୍ଦ୍ର ଆଡ଼କୁ ବ୍ୟାପି ଯାଇଥିଲା। ରବିବାର ଛୁଟି ଦିନ ଥିବାରୁ ଉଦ୍ୟାନ ଭିତରେ ବହୁ ସଂଖ୍ୟକ ପର୍ଯ୍ୟଟକ ଆସି ଭୋଜି କରୁଥିଲେ। ନିଆଁ ଲାଗିବା ଦେଖି ଉଦ୍ଭିଦ ଉଦ୍ୟାନର ରେଞ୍ଜ ଅଫିସର କମଳ କୁମାର ପଟ୍ଟନାୟକ କିଛି କର୍ମଚାରୀଙ୍କୁ ସାଥୀରେ ଧରି ଅଗ୍ନିକାଣ୍ଡ ସ୍ଥାନକୁ ଯାଇଥିଲେ। ପ୍ରଥମେ ବାରଙ୍ଗ ଅଗ୍ନିଶମ ବିଭାଗକୁ ସୂଚନା ଦେବାରୁ ଦୁଇଟି ଦମକଳ ଆସି ନିଆଁ ଲାଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା। ଦୁଇଟି ଗାଡ଼ିରେ ଥିବା ପାଣି ଟାଙ୍କିର ଜଳ ଧାରଣ କ୍ଷମତା ୩ ହଜାର ଲିଟର ଲେଖାଏଁ ଥିବାରୁ ଭୟଙ୍କର ରୂପ ଧାରଣ କରିଥିବା ନିଆଁକୁ ଆୟତ୍ତ କରିବାକୁ ପର୍ଯ୍ୟାପ୍ତ ହୋଇ ନଥିଲା। ପାଣି ସରି ଯିବାରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସରକୁ ଯାଇ ସେଠାରୁ ୪ ଥର ପାଣି ଆଣି ପକାଇବାକୁ ପଡ଼ିଥିଲା। ତେବେ ନିଆଁ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଅଭ୍ୟନ୍ତରକୁ ମାଡ଼ିମାଡ଼ି ଯାଉଥିବାରୁ ନିଆଁର ଆଗକୁ ପାଣି ପକାଇ ନିୟନ୍ତ୍ରଣକୁ ଅଣାଯାଇଥିଲା। ଯାହାଦ୍ବାରା ନିଆଁ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସର ଆଡ଼କୁ ବଢ଼ି ନ ପାରି ବାରଙ୍ଗ ସୀତାରାମ ବଜାର ଲେବର କଲୋନି ପଛ ଫିସେରି ଜଙ୍ଗଲକୁ ବ୍ୟାପି ଚାଲିଥିଲା। ଏତିକିବେଳେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବିଭାଗର ଦମକଳ ଆସି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା। ଅପରାହ୍ନ ସାଢେ ଚାରିଟା ପର୍ଯ୍ୟନ୍ତ ପ୍ରାୟ ଚାରି ଘଣ୍ଟାର କସରତ ପରେ ଜଳୁଥିବା ନିଆଁ ଲିଭିଥିଲା। ହେଲେ ଫନି ବାତ୍ୟାରେ ଉପୁଡ଼ି ପଡ଼ି ଜଂଗଲରେ ରହିଥିବା ଶୁଖିଲା ଗଛର କାଠ ଗଣ୍ଡିରୁ ନିଆଁ ସମ୍ପୂର୍ଣ୍ଣ ରୂପେ ଲିଭିନାହିଁ। ମଝିରେ ମଝିରେ କୁହୁଳି ଧୂଆଁ ବାହାରୁଥିବାରୁ ଏବେ ବି ବିପଦ ଟଳି ନାହିଁ।

ନନ୍ଦନକାନନ ଉପ ନିର୍ଦ୍ଦେଶକ ବିମଳ ପ୍ରସନ୍ନ ଅଚାର୍ଯ୍ୟ, ରାଜ୍ୟ ଉଦ୍ଭିଦ ଉଦ୍ୟାନ ଏସିଏଫ୍ ବନମାଳି ସାହୁ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନୁଧ୍ୟାନ କରିବା ବେଳେ ଏକ ମୟୂର ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ମୟୂରଟି ଅଗ୍ନି ସଂସ୍ପର୍ଶରେ ଆସି ନଥିବାରୁ ଏହାର ମୃତ୍ୟୁର କାରଣ ବାର୍ଡ ଫ୍ଲୁ କିମ୍ବା ଅନ୍ୟ କିଛି ହୋଇଥିବା ସନ୍ଦେହରେ ତା’ର ଶବ ବ୍ୟବଚ୍ଛେଦ ପାଇଁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପଠାଇଛନ୍ତି। ଲାଗିଥିବା ନିଆଁ ଶଗୁଣା ପ୍ରଜନନ କେନ୍ଦ୍ର, ବଣଭୋଜିସ୍ଥଳ, ମୋଗଲ ଗାର୍ଡେନ, ଶୁଷ୍କ ଉଦ୍ୟାନ ପରିସର ଆଡ଼କୁ ବ୍ୟାପିଥିଲେ ପର୍ଯ୍ୟଟନସ୍ଥଳ ପ୍ରତି ବିପଦ ସୃଷ୍ଟ ହୋଇଥାଆନ୍ତା। କିଆଖଣି ହ୍ରଦର ଗୋଟିଏ ପାର୍ଶ୍ବରେ ନିଆଁ ରହିଥିବା ବେଳେ ଅପରପାର୍ଶ୍ବରେ ପର୍ଯ୍ୟଟନସ୍ଥଳୀ ରହିଥିବାରୁ ହ୍ରଦର ଜଳାଶୟକୁ ଅତିକ୍ରମ କରି ନିଆଁ ବ୍ୟାପିବାର ଆଶଙ୍କା କମ୍‌ ଥିବାରୁ କର୍ମଚାରୀ ଆଶ୍ବସ୍ତ ଅଛନ୍ତି। ସେ ଆହୁରି କହିଛନ୍ତି ଯେ ଆଜି ପାଇଁ ବିପଦ ଟଳିଛି ହେଲେ ପବନ ବହୁଥିବାରୁ କୁହୁଳୁ ଥିବା ନିଆଁ ଉଡ଼ି କେଉଁଠି ଧରି ପୁଣି ଜଳି ଉଠି ବିପଦ ସୃଷ୍ଟି ନ କରିବ ସେ କଥା କହି ହେବ ନାହିଁ। ତେଣୁ ଏବେ ବି ଭୟ ରହିଛି। ସେଥିଲାଗି କର୍ମଚାରୀମାନଙ୍କୁ ପରିସ୍ଥିତିର ମୁକାବିଲା କରିବା ପାଇଁ ରାତି ସାରା ଉଜାଗର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଚନ୍ଦ୍ରଶେଖରପୁରରୁ ଆସିଥିବା ଦମକଳ ମଧ୍ୟ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ସଜାଗ ଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଗତକାଲି ପୁଣି ପରିସ୍ଥିତି ଅନୁଧ୍ୟାନ କରାଯିବ ଓ କେତେ ଏକର ନଷ୍ଟ ହୋଇଛି ମାପଚୁପ କରାଯାଇ ଆକଳନ କରାଯିବ ବୋଲି ମଧ୍ୟ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହାଛଡା କର୍ତ୍ତୃପକ୍ଷ ଅଗ୍ନିକାଣ୍ଡର କାରଣ ଖୋଜୁଥିବା ବେଳେ ଦୁଇ ଜଣ ନିଆଁ ଲଗାଇଥିବା କିଛି ଲୋକ ଦେଖି କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର