ଭୁବନେଶ୍ବର: ବୁଧବାର ଅପରାହ୍ଣରେ ରାଜଧାନୀର ସବୁଠାରୁ ବଡ଼ ମାର୍କେଟ୍ ୧ନମ୍ବର ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩୦ରୁ ଅଧିକ ଦୋକାନ କ୍ଷତିଗ୍ରସ୍ତ ହୋଇଛି ଏବଂ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଫଳରେ ପ୍ରଭାବିତ ହୋଇଥିବା ୩୦ ଦୋକାନୀ ସର୍ବସ୍ବାନ୍ତ ହୋଇପଡ଼ିଥିବା କୁହାଯାଇଛି। କ୍ଷତିଗ୍ରସ୍ତ ହୋଇଥିବା ଦୋକାନଗୁଡ଼ିକ ଭିତରେ ୨/୩ଟି ଗୋଦାମ ଓ ବାକି ସବୁ ପରିବା ଦୋକାନ ବୋଲି ଜଣାପଡ଼ିଛି। ୧୫ଟି ଦମକଳ ଗାଡ଼ି ଓ ୧୪୦ ଜଣ ଆଗ୍ନିକ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାରୁ ପାଖାପାଖି ଘଣ୍ଟାକ ଭିତରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ଏବଂ ହାଟ ଏକ ବଡ଼ଧରଣର ବିପତ୍ତିରୁ ରକ୍ଷା ପାଇଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଏକ ଗୋଦାମ ଭିତରୁ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ବ୍ୟବସାୟୀମାନଙ୍କ ସୂଚନାନୁସାରେ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୨ଟା ବେଳେ କସ୍ତୁରବା ଗାନ୍ଧୀ ସ୍ମାରକୀ ପାଖ ପରିବା ମାର୍କେଟର ଏକ ଗୋଦାମ ଭିତରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ମଧ୍ୟାହ୍ନ ଭୋଜନ ସମୟ ହୋଇଥିବାରୁ ନିଆଁକୁ ଆୟତ୍ତ କରିବାକୁ ଅଧିକ ଲୋକ ନଥିଲେ। ଫଳରେ ତ୍ବରିତ୍ ବେଗରେ ନିଆଁ ପ୍ରଥମ ଦୋକାନକୁ ଡେଇଁ ଅନ୍ୟ ଦୋକାନକୁ ମାଡ଼ି ଯାଇଥିଲା। କୁହାଯାଉଛି କି ପ୍ରଥମେ ନିଆଁ ଲାଗିଥିବା ଗୋଦାମ ପାଖରେ ଏକ ଖଲିପତ୍ର ଓ ଚଉପଦୀ ଗୋଦାମ ଥିଲା। ସେହି ଦୋକାନକୁ ନିଆଁ ଡେଇଁବା ପରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ଖଲିପତ୍ର ଗଦାରେ ନିଆଁ ଧରିବା ମାତ୍ରେ ହୁ ହୁ ହୋଇ ଜଳିଉଠିଥିଲା ଏବଂ ନିଆଁ ହୁଳା ମାଡ଼ି ଚାଲିଥିଲା। ଖଲି ଦୋକାନକୁ ଲାଗିଥିବା ତେଜରାତି ଦୋକାନୀ ଓ ପରିବା ଦୋକାନୀମାନେ ବହୁ ଚେଷ୍ଟା କରି ନିଆଁକୁ ରୋକିବାକୁ ଉଦ୍ୟମ କରିଥିଲେ। ମାତ୍ର ନିଆଁର ପ୍ରକୋପ ଆଗରେ ସେମାନେ ଆଗ ନିଜକୁ ବଞ୍ଚାଇବାକୁ ଶ୍ରେୟ ମଣିଥିଲେ। ଚାହୁଁଚାହୁଁ ନିଆଁ ପରିବା ଦୋକାନ ଗୁଡ଼ିକର ଜରିପାଲ ଦେଇ ମାଡ଼ି ଚାଲିଥିଲା ଏବଂ ଦୋକାନ ଭିତରକୁ ପଶିଯାଇଥିଲା। ନିଆଁର ପ୍ରକୋପ ଦେଖି ପ୍ରାଣ ବିକଳରେ ଦୋକାନୀମାନେ ବାହାରକୁ ଦୌଡ଼ିଥିଲେ। ସେହିଭଳି ଗ୍ରାହକମାନେ ବି ଭୟରେ ଛତ୍ରଭଙ୍ଗ ଦେବା ଭଳି ଧାଇଁଥିଲେ। ଗଳି ଭିତରେ ନିଆଁରେ ଫସିବା ଭୟରେ ଗ୍ରାହକମାନେ ଦୌଡ଼ିଥିଲେ। ଖବର ପାଇ କଳ୍ପନାଛକରୁ ଦମକଳ ଗାଡ଼ି ପହଞ୍ଚିଥିଲା। ମାତ୍ର ଗହଳି ଓ ଅଣଓସାରିଆ ରାସ୍ତାରେ ଦମକଳ ଗାଡ଼ି ନିଆଁ ପାଖରେ ପହଞ୍ଚିବା ସହଜ ହୋଇ ନଥିଲା। ପରେପରେ ସେକ୍ରେଟାରିଏଟ୍, ବରମୁଣ୍ଡା ଫାୟାରଷ୍ଟେସନ୍, ଚନ୍ଦ୍ରଶେଖରପୁର ଆଦି କେନ୍ଦ୍ରରୁ ୧୫ ଦମକଳ ଗାଡ଼ି ପହଞ୍ଚି ଯାଇଥିଲା। ନିଆଁ ଆୟତ୍ତ ହେବା ବେଳକୁ ୩୦ ଦୋକାନ ପାଉଁଶ ଗଦା ପାଲଟି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/23/untitled-1-2025-10-23-06-26-59.jpg)