ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ଲାଗି ରାସ୍ତାଘାଟ, ବଜାର, ହାଟ, ସରକାରୀ ପ୍ରତିଷ୍ଠାନ, ଧର୍ମାନୁଷ୍ଠାନରେ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଉଛି। ସୋଡ଼ିୟମ ହାଇପୋକ୍ଲୋରାଇଟ୍ କେମିକାଲକୁ ପାଣିରେ ମିଶାଇ ବିଭିନ୍ନ ସ୍ଥାନରେ ସିଞ୍ଚନ କରାଯାଉଛି। ଲକଡାଉନ୍ ଜାରି ପରଠାରୁ ପ୍ରାୟ ୫୦ ଦିନ ଧରି ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶୋଧନ ପ୍ରକ୍ରିୟା ଜାରି ରହିଛି। କିନ୍ତୁ ଏହି ବିଶୋଧନ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ରିପୋର୍ଟ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)। ‘ହୁ’ର ରିପୋର୍ଟ ଅନୁସାରେ ଏହି ରାସାୟନିକ ସିଞ୍ଚନରେ କରୋନା ଭୂତାଣୁ ମରିବ ନାହିଁ। ବରଂ ସୁସ୍ଥ ଲୋକଙ୍କର ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବ। ‘ହୁ’ର ଏହି ଚାଞ୍ଚଲ୍ୟକର ରିପୋର୍ଟ ପରେ ଦୋଛକିରେ ଓଡ଼ିଶା ଅଗ୍ନିଶମ ବିଭାଗ। ବିଶୋଧନ ପ୍ରକ୍ରିୟା ବନ୍ଦ ହେବ କି ନାହିଁ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇ ପାରି ନାହିଁ ବିଭାଗ। ଏ ନେଇ ସରକାରଙ୍କ ନିର୍ଦ୍ଦେଶକୁ ବିଭାଗ ଅପେକ୍ଷା କରିଛି।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ପରେ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରି ନାହିଁ ଅଗ୍ନିଶମ ବିଭାଗ। ଏହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ‘ହୁ’ର ରିପୋର୍ଟ ପରେ ମଧ୍ୟ ପୁରୀ ଜେଲକୁ ଅଗ୍ନିଶମ ବାହିନୀ ପକ୍ଷରୁ ବିଶୋଧନ କରାଯାଇଛି। ଜଣେ କରୋନା ଆକ୍ରାନ୍ତ କଏଦୀ ଚିହ୍ନଟ ହେବା ପରେ ପୁରୀ ଜେଲକୁ ବିଶୋଧନ କରାଯାଇଛି। ଜେଲ କ୍ୟାମ୍ପସ୍, ବିଭିନ୍ନ ଵାର୍ଡରେ ବିଶୋଧନ କରାଯାଇଥିବା ଜେଲ୍ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୁସ୍ଥ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ରହିଥିବା ‘ହୁ’ ରିପୋର୍ଟ ଦେବା ପରେ ମଧ୍ୟ କାହିଁକି ବିଶୋଧନ ପ୍ରକ୍ରିୟା ଜାରି ରହିଛି ବୋଲି କେତେକ ମହଲରେ ପ୍ରଶ୍ନ ଉଠିଛି। ଏ ନେଇ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ କହିଛନ୍ତି, ଏ ସମ୍ପର୍କରେ ଆମ ପାଖକୁ କୌଣସି ନିର୍ଦ୍ଦେଶ ଆସି ନାହିଁ। ଏବେ ସାରା ଭାରତ ବର୍ଷରେ ବିଶୋଧନ ପ୍ରକ୍ରିୟା ଜାରି ରହିଛି। ଯଦି ବିଶୋଧନ ବନ୍ଦ କରିବା ଲାଗି ସରକାରଙ୍କ ନିର୍ଦ୍ଦେଶ ଆସେ ତାହାଲେ ତୁରନ୍ତ ବନ୍ଦ କରାଯିବ।
କେମିତି କରାଯାଏ ବିଶୋଧନ?
ନିଆଁ ଲିଭା ଗାଡ଼ିର ପାଣି ଟ୍ୟାଙ୍କରରେ ସୋଡ଼ିୟମ ହାଇପୋକ୍ଲୋରାଇଟ୍ ନାମକ କେମିକାଲକୁ ମିଶ୍ରଣ କରାଯାଏ। ପାଇପ୍ ମାଧ୍ୟମରେ ଏହି କେମିକାଲ ମିଶା ପାଣିକୁ ରାସ୍ତାଘାଟ, ବଜାର, ହାଟ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ଧର୍ମାନୁଷ୍ଠାନ, ଜନଗହଳିପୂର୍ଣ୍ଣ ଛକରେ ସିଞ୍ଚନ କରାଯାଏ। ଏହା ଜୀବାଣୁନାଶକ ହୋଇଥିଲେ ମଧ୍ୟ କରୋନା ଭୂତାଣୁ ମରୁ ନ ଥିବା ‘ହୁ୍‘ ରିପୋର୍ଟ ଦେଇଛି। ଘର ଭିତରେ କୌଣସି ପଦାର୍ଥ, ଚଟାଣକୁ ଏହି ବିଶୋଧକ ସାହାଯ୍ୟରେ କପଡ଼ା ମାଧ୍ୟମରେ ଅତି ସତର୍କତାର ସହ ପୋଛିବା ଶ୍ରେୟସ୍କର ବୋଲି ପରାମର୍ଶ ଦେଇଛି ‘ହୁ’।
ସୁସ୍ଥ ଲୋକର କଣ କ୍ଷତି ହୁଏ?
‘ହୁ’ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି କେମିକାଲଯୁକ୍ତ ବିଶୋଧକ ଦ୍ବାରା ଅଧିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବ। ରାସ୍ତାଘାଟ, ବଜାର, ହାଟରେ ସିଞ୍ଛନ କରାଗଲେ ସୁସ୍ଥ ଲୋକ ସ୍ବାସ୍ଥ୍ୟଗତ ସମସ୍ୟାରେ ପଡ଼ିପାରନ୍ତି। ସୁସ୍ଥଲୋକର ଆଖି ରୋଗ, ଚର୍ମ ରୋଗ, ଶ୍ବାସକ୍ରିୟା ଜନିତ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଏହି ବିଶୋଧନ ଫଳପ୍ରଦ ହେବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି।