ଓମ୍‌ଫେଡ୍ ବୁଥ୍‌ରେ ନିଆଁ ଲାଗିବା ଘଟଣା: ପୂର୍ବ ଶତ୍ରୁତାରୁ ପ୍ରତି‌ଶୋଧ ନୁହେଁ ତ?

ଦୋକାନ ମାଲିକ ୨ଦିନ ତଳେ ଜଣକୁ ନିସ୍ତୁକ ମାଡ଼ ମାରିଥିଲେ
ଗଣ୍ଡଗୋଳ ସହ ଅଗ୍ନିକାଣ୍ଡର ସଂପର୍କ ନାହିଁ: ପୁଲିସ

ଭୁବନେଶ୍ୱର : ରବିବାର ବିଳମ୍ବିତ ରାତିରେ ୟୁନିଟ୍-୬ କ୍ୟାପିଟାଲ୍ ହସ୍ପିଟାଲ୍‌ ନିକଟସ୍ଥ ଏକ ଓମଫେଡ୍ ବୁଥ୍‌ରେ ଅଗ୍ନିକାଣ୍ଡ ଘଟିବା ପଛର କାରଣ ଏଯାଏ ଜଣାପଡ଼ିନାହିଁ। ପ୍ରକୃତରେ ଏହା ଏକ ଦୁର୍ଘଟଣା ଥିଲା ନା କିଏ ଜାଣିଶୁଣି ଏଠାରେ ନିଆଁ ଲଗାଇଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଗତକା‌ଲି ଯେଉଁ ଓମ୍‌ଫେଡ୍ ବୁଥ୍‌ରେ ଅଗ୍ନିକାଣ୍ଡ ଘଟିଛି, ଉକ୍ତ ଦୋକାନର ମାଲିକ ମନୋଜ ନାୟକ ଓ ତାଙ୍କ ଭାଇ କାହ୍ନୁ ନାୟକ ଗତ ୨୩ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ଗ୍ୟାରେଜ୍ ମାଲିକ କେ ସିନୁ ସେଠୀଙ୍କୁ ରାସ୍ତାରେ ଗଡ଼େଇ ତଡ଼େଇ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରି ଦେଇଥିଲେ। ସେ ଏବେ କ୍ୟାପିଟାଲ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। କ୍ୟାପିଟାଲ୍‌ ଥାନା ଅଞ୍ଚଳରେ ଥିବା ସରକାରୀ କ୍ବାର୍ଟର୍ସ ପରିସରରେ ଜବରଦଖଲ କରି ଘର କରିବା ଘଟଣାକୁ ନେଇ ଏହି ମାରପିଟ୍ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଦୀର୍ଘ ଦିନ ହେବ ସିନୁ ଓ ସ୍ଥାନୀୟ ଅଞ୍ଚଳର କିଛି ନେତା ଓ ସେମାନଙ୍କ ସହଯୋଗୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା। ତେବେ ଶନିବାର ସିନୁଙ୍କୁ ମାଡ଼ ମାରିବାର ଗୋଟେ ଦିନ ପରେ ଅଭିଯୁକ୍ତ ଦ୍ବୟଙ୍କ ଦୋକାନ ପୋଡ଼ିଯିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏନେଇ ଥାନାରେ କାହ୍ନୁଙ୍କ ପରିବାର ପକ୍ଷରୁ ଏଯାଏ କୌଣସି ଅଭିଯୋଗ ହୋଇନାହିଁ। ତେବେ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ଯେ ବିଳମ୍ବିତ ରାତିରେ ଦୋକାନ ବନ୍ଦ ଥିଲେ ବି ଅଗ୍ନିକାଣ୍ଡ ଘଟିଲା କେମିତି? ପ୍ରଶ୍ନ ଉଠୁଛି ଏହା ପୂର୍ବ ଶତ୍ରୁତାର ପ୍ରତିଶୋଧ ନୁହେଁ ତ? ଅପରପକ୍ଷରେ କ୍ୟାପିଟାଲ୍ ଥାନା ପୁଲିସ କହିଛି ଯେ ଉକ୍ତ ଗଣ୍ଡଗୋଳ ସହିତ ଦୋକାନ ପୋଡ଼ିର କୌଣସି ସଂପୃକ୍ତି ନାହିଁ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଦୋକାନ ପଛ ପାର୍ଶ୍ବରେ କାହ୍ନୁଙ୍କ ପରିବାର ଲୋକେ ଘର କରି ରହୁଛନ୍ତି। ଖାଇବା ତିଆରି ପାଇଁ ଏହି ଦୋକାନରେ ହିଁ ରୋଷେଇ କରାଯାଉଥିଲା। ତେଣୁ ଗତକାଲି ଦୋକାନ ଘରେ ରୋଷେଇ ପରେ ଅସାବଧାନତବଶତଃ ଗ୍ୟାସ ପାଇପ୍ ଖୋଲାଥିବାରୁ ଅଗ୍ନି ସଂଯୋଗ ଘଟି ଦୁର୍ଘଟଣା ଘଟିଛି। ନଚେତ୍ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର