ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଏକ ଭେଣ୍ଡିଂ ଜୋନ୍ରେ ଆଜି ମଧ୍ୟାହ୍ଣରେ ନିଆଁ ଲାଗିଛି। ଏହି ଅଗ୍ନିକାଣ୍ଡରେ ୫ଟି ଦୋକାନ ଭସ୍ମୀଭୂତ ହୋଇଯାଇଛି। ନିଆଁ ଲାଗିବା କାରଣରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି।
ସୂଚନା ଅନୁସାରେ ଆଜି ଅପରାହ୍ଣ ପ୍ରାୟ ୩ଟା ବେଳକୁ ଚନ୍ଦ୍ରଶେଖରପୁରସ୍ଥିତ ଭାରତ ପେଟ୍ରୋଲ ପମ୍ପ ଠାରୁ ଅଳ୍ପଦୂରରେ ପଛପଟରେ ଥିବା ଏକ ଭେଣ୍ଡିଂ ଜୋନ୍ରେ ନିଆଁ ଲାଗିଥିଲା। ନିଆଁ ଲାଗିବା ଫଳରେ ୫ଟି ଦୋକାନ ସଂପୂର୍ଣ୍ଣ ଭାବେ ଜଳି ପୋଡ଼ିଯାଇଥିଲା। ଦୋକାନରେ କ’ଣ ସବୁ ଜିନିଷ ଥିଲା, ଯଦିଓ ତାହା ଜଣାପଡ଼ି ନାହିଁ। ତଥାପି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଯାଇଥିବା ପୂର୍ବାନୁମାନ କରାଯାଉଛି। ଅପରାହ୍ଣ ସମୟ ଏବଂ ହୋଲି ଦିନ ହୋଇଥିବାରୁ ଅଗ୍ନିକାଣ୍ଡ ସମୟରେ ରାସ୍ତାଘାଟରେ ଜନଶୂନ୍ୟ ଥିଲା। ଫଳରେ କମ୍ ସମୟ ମଧ୍ୟରେ ନିଆଁ ଲାଗିବ ଦୋକାନଗୁଡ଼ିକ ପୋଡ଼ିଯାଇଥିଲା।
ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ବହୁ ଉଦ୍ୟମ ପରେ ନିଆଁ ଆୟତ୍ତକୁ ଆସିଥିଲା। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଏହା ଦୋକାନ ନିକଟରେ ଥିବା ଅଳିଆଗଦାରୁ ଲାଗିଥାଏ ବୋଲି ଅନୁମାନ କରାଯାଉଛି। ହୋଲି ଦିନ ହୋଇଥିବାରୁ ଦୋକାନ ପାଖରେ ବସି କେହି ସିଗାରେଟରେ ନିଆଁ ଲାଗିଥିବା ଅବସ୍ଥାରେ ଅଳିଆ ଗଦାରେ ଫିଙ୍ଗି ଦେଇଥାଇପାରେ ଏବଂ ପରେ ଏଥିରୁ ନିଆ ଉଗ୍ର ରୂପ ନେଇଥାଇପାରେ।