ଭୁବନେଶ୍ବର: ସହିଦନଗର ଥାନା ଅଧୀନ ଭିଏସଏସ୍ ନଗର ଜିଏଲ କଲୋନି ଯୋଗମାୟା ବସ୍ତିରେ ହୋଇଥିବା ବାଣ ବିସ୍ଫୋରଣ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଘଟଣାରେ ମୃତ ଶିବାନନ୍ଦ ତାଡ଼ ଓରଫ ଶିବୁନା ନିଜ ଘରେ ବାଡ଼ିଆ ବୋମା ତିଆରି କରୁଥିବା ସୂଚନା ମିଳିଛି। ବସ୍ତି ଅଞ୍ଚଳରେ ଓ ସାଇବର ଥାନାରୁ ମାତ୍ର ୫୦ ଫୁଟ୍ ଦୂରରେ ବୋମା ତିଆରି ହେଉଥିଲେ ସୁଦ୍ଧା ପୁଲିସ ପାଖରେ କିଭଳି ସୂଚନା ନଥିଲା, ତାହା ସମସ୍ତଙ୍କୁ ବିସ୍ମିତ କରିଛି। ପୂର୍ବରୁ କିଛି ସ୍ଥାନୀୟ ଲୋକ ଏ ବାବଦରେ ପୁଲିସକୁ ସୂଚନା ଦେଇଥିଲେ ସୁଦ୍ଧା ରାଜନୈତିକ ଚାପ କାରଣରୁ ପୁଲିସ ସବୁ ଜାଣି ଚୁପ ରହୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ପୁଲିସ ଶିବୁନା ଘର ନିକଟରୁ ଏକ ଅଟୋ ଭର୍ତ୍ତି ବିସ୍ଫୋରକ ସାମଗ୍ରୀ ସହ ଅନ୍ୟାନ୍ୟ ବାଣ ତିଆରିରେ ବ୍ୟବହୃତ ସାମଗ୍ରୀ ଜବତ କରିଛି।
ଏକ ବାହାଘର ପାଇଁ ଲକ୍ଷାଧିକ ଟଙ୍କାର ବାଣ ଅର୍ଡର ଥିବାରୁ ଶିବାନନ୍ଦ ଗତକାଲି ଏହିସବୁ ସାମଗ୍ରୀ ଅଟୋରେ ଆଣି ରଖିଥିବା ଜଣାପଡ଼ିଛି। ଏହାସହ ଘରୁ ମଧ୍ୟ କିଛି ଅଫୁଟା ବୋମା ଜବତ କରାଯିବା ସହ ଟିଣ ଟିଣ ରାସାୟନିକ ସାମଗ୍ରୀ ଜବତ କରିଛି। ଏହାସହ ଘର ଭିତରୁ ଲୁହାକଣ୍ଟା, କାଚ, ଗନ୍ ପାଉଡର୍, ଅଫୁଟା ବାଣ ଜବତ କରିଛି। ଉଦ୍ଧାର ବୋମାଗୁଡ଼ିକୁ ବମ୍ ସ୍କ୍ବାଡ୍ ନିଷ୍କ୍ରିୟ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ପୁଲିସ ଘଟଣାସ୍ଥଳକୁ ସଂପୂର୍ଣ୍ଣ ସିଲ୍ କରିଛି।
ଶିବୁନାର ସ୍ଥାନୀୟ ଅଞ୍ଚଳରେ ଦବଦବା ରହିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ସଂପୃକ୍ତ ବସ୍ତିରେ ସେ ଏକ ସଂଘ କରିଥିଲା। ସଂଘ ମାଧ୍ୟମରେ ବସ୍ତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଥିଲା। ଏହାଛଡ଼ା ବସ୍ତିକୁ ଯେଉଁ ନେତା ଆସୁଥିଲେ ସେମାନେ ପ୍ରଥମେ ଶିବୁନାକୁ ଖୋଜୁଥିଲେ। ତେଣୁ ବସ୍ତି ଲୋକ ପୁଲିସ ଆଗରେ ଡରରେ ମୁହଁ ଖୋଲୁ ନାହାନ୍ତି। ଏପରିକି ଶିବାନନ୍ଦ ବାରଣ୍ଡାରେ ବାଣ ଭିଡ଼ୁଥିବା ସମୟରେ ବାରଣ୍ଡାକୁ ଲାଗି ଆଉ ଏକ ଘରର ଛାତ ଉଡ଼ିଯାଇଛି। ତାଙ୍କର ମଧ୍ୟ ବ୍ୟାପକ କ୍ଷତି ହୋଇଛି। କିନ୍ତୁ ସେ ମଧ୍ୟ ପୁଲିସ ଆଗରେ ମୁହଁ ଖୋଲୁ ନଥିବା ପୁଲିସ କହିଛି। ଜଣେ ସ୍ଥାନୀୟ ଲୋକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଶିବାନନ୍ଦ ପିଲାବେଳୁ ମେଧାବୀ ଛାତ୍ର ଥିଲା। ଉଚ୍ଚଶିକ୍ଷା ଲାଭ କରିଥିଲେ ସୁଦ୍ଧା ଚାକିରି ନ କରି ବାଣ ବ୍ୟବସାୟ ଆରମ୍ଭ କରିଥିଲା। କିଛି ଦିନ ବାଣ ଭିଡ଼ିବା ଶିଖିବା ପରେ ସେ ୧୦ରୁ ୧୨ ବର୍ଷ ହେବ ବେଆଇନ ଭାବେ ନିଜ ଘରେ ସାମଗ୍ରୀ ଆଣି ବାଣ ତିଆରି କରୁଥିଲା। ବାଣ ବ୍ୟବସାୟ ସହିତ ରାଜନୀତିରେ ମଧ୍ୟ ସକ୍ରିୟ ରହିଥିଲା।
ଚାଲିଗଲା ଏକମାତ୍ର ପୁଅ
ଶିବୁନା ପରିବାରର ଗୋଟିଏ ବୋଲି ପୁଅ ଥିଲା। ଭଉଣୀ ବାହାଘର ସରିଥିଲା। ତା’ର ମଧ୍ୟ କିଛି ଦିନ ତଳେ ବିବାହ ହୋଇଥିଲା। ଶିବୁନାର ସ୍ତ୍ରୀ ୫ ମାସରୁ ଗର୍ଭବତୀ ଥିବା ଜଣାପଡ଼ିଛି। ୪ ଦିନ ତଳେ ସେ ବାପ ଘରକୁ ଯାଇଥିଲେ। ବାଣ ବିସ୍ଫୋରଣ ସମୟରେ ଶିବୁନାର ବାପା ନିକଟ ଦୋକାନକୁ ତେଜରାତି ଆଣିବାକୁ ଯାଇଥିବା ବେଳେ ଘର ଭିତରେ ତା’ ମା’ ରୋଷେଇ କରୁଥିଲେ। ବାରଣ୍ଡାରେ ଶିବୁନା ବାହାଘର ବାରାଦି ପାଇଁ ବାଣ ଭିଡ଼ୁଥିବା ସମୟରେ ବିସ୍ଫୋରଣ ଘଟିଥିଲା।
ବସ୍ତିରେ ଶୋକାକୁଳ ପରିବେଶ
ଆଜି ସକାଳେ ଶିବୁନାର ମୃତଦେହ ପହଞ୍ଚିବା ପରେ ସମଗ୍ର ବସ୍ତିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବସ୍ତିର ସମସ୍ତ ଲୋକ ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଶିବୁନାର ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ।