ପାର୍ବଣ ପାଇଁ ଜାରି ହେଲା ଅଗ୍ନି ନିରାପତ୍ତା କଟକଣା : ସବୁ ମଣ୍ଡପରେ ଲାଗିବ ଅଗ୍ନି ନିର୍ବାପକ ଯନ୍ତ୍ର

ଭୁବନେଶ୍ୱର : ଚଳିତ ବର୍ଷ ରାଜଧାନୀରେ ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ତେଣୁ ପାର୍ବଣ ସମୟରେ ଅଗ୍ନିକାଣ୍ଡକୁ ଏଡ଼ାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ କେତେକ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂଜା ମଣ୍ଡପଗୁଡ଼ିକରେ କିପରି ଆଦୌ ଅଗ୍ନିକାଣ୍ଡ ନ ଘଟିବ ଏଥିପାଇଁ ବିଭାଗ ପକ୍ଷରୁ ଜିରୋ କାଜୁଆଲ୍‌ଟି ଯୋଜନା ପ୍ରସ୍ତୁତ କରାଯାଇଛି।

ଭୁବନେଶ୍ୱର କମିସନରେଟ୍‌ ପୁଲିସ ଅଧୀନରେ ଥିବା ୧୭୧ଟି ପୂଜା ମଣ୍ଡପ ଉପରେ ଅଗ୍ନିଶମ ବିଭାଗ ବିଭିନ୍ନ କଟକଣା ଜାରି କରିଛି।   ମଣ୍ଡପଗୁଡ଼ିକରେ ଅଗ୍ନି ନିରୋଧ ରସାୟନ ବ୍ୟବହାର ଲାଗି ନିର୍ଦେଶ ଦିଆଯାଇଛି। ସମ୍ପୂର୍ଣ୍ଣ ତୋରଣ ଏବଂ ମଣ୍ଡପ ସଂଲଗ୍ନ ଅଞ୍ଚଳରେ ଥିବା ଅଗ୍ନି ଦହନଶୀଳ ପଦାର୍ଥରେ ଏହି ରସାୟନ ବ୍ୟବହାର ଲାଗି ନିର୍ଦେଶ ଦିଆଯାଇଛି। ଏହାଛଡ଼ା ପ୍ରତ୍ୟେକ ମଣ୍ଡପରେ ପର୍ଯ୍ୟାପ୍ତ ପରିମାଣର ବାଲି, ପାଣି ରଖିବା ସହିତ  ଅତିକମ୍‌ରେ ୪ଟି ୫କିଲୋ ବିଶିଷ୍ଟ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରିବାକୁ ନିର୍ଦେଶ ଦିଆଯାଇଛି। ଏ ନେଇ ଆଜିଠାରୁ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ମଣ୍ଡପରେ ଯାଞ୍ଚ ଆରମ୍ଭ ହୋଇ ସାରିଛି। ଏହି ଯାଞ୍ଚ ପ୍ରକ୍ରିୟା ୨ ଦିନ ଧରି ଚାଲିବ। ଯାଞ୍ଚ ସମୟରେ ଯେଉଁ ମଣ୍ଡପଗୁଡ଼ିକ ନିୟମାବଳିକୁ ମାନ ନ ଥିବେ ସେମାନଙ୍କୁ ଏନ୍‌ଓସି ଦିଆଯିବ ନାହିଁ ବୋଲି  ଭାରପ୍ରାପ୍ତ ସହକାରୀ ଅଗ୍ନିଶମାଧିକାରୀ ରୋହିତ କୁମାର ସୂଚନା ଦେଇଛନ୍ତି।
ସେହିପରି ବରମୁଣ୍ଡା, ନୂଆପଲ୍ଲୀ, ରସୁଲଗଡ଼, ସହିଦନଗର, ଝାରପଡ଼ା ଓ ପୁରୁଣା ଷ୍ଟେସନ୍‌ ବଜାର ଭଳି ମୁଖ୍ୟ ମଣ୍ଡପଗୁଡ଼ିକରେ ୨୪ ଘଣ୍ଟିଆ ଅଗ୍ନିଶମ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି।  ଏହିସବୁ ମଣ୍ଡପରେ ଗୋଟିଏ ଦମକଳ, ଜଣେ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ, ଜଣେ ମୁଖ୍ୟ ଆଗ୍ନିକ, ୪ଜଣ ଆଗ୍ନିକ ଓ ଜଣେ ଗାଡ଼ି ଚାଳକଙ୍କୁ  ମୁତୟନ କରାଯିବା ସହ  ଉନ୍ନତମାନର ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯିବ। ସେମାନେ ସେଠାରେ  ପୂଜା ସରିବା ପର୍ଯ୍ୟନ୍ତ ଉପସ୍ଥିତ ରହିବେ। ମୁଖ୍ୟ ମଣ୍ଡପଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ମଣ୍ଡପଗୁଡ଼ିକୁ ଜରୁରୀ ସମୟରେ ନିକଟସ୍ଥ ଦମକଳ କେନ୍ଦ୍ର ସହ ଯୋଗାଯୋଗ କରିପାରିବେ ବୋଲି ଶ୍ରୀ ରୋହିତ କୁମାର କହିଛନ୍ତି।
ସମ୍ବନ୍ଧିତ ଖବର