କୋଭିଡ୍ ହସ୍ପିଟାଲ ବୁଲିଲେ ଅଗ୍ନିଶମ ଡିଜି, ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅନୁଧ୍ୟାନ କଲେ

କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କଲା ବିଏମ୍‌ସି ଟିମ୍

ଭୁବନେଶ୍ବର : ରାଜଧାନୀରେ କୋଭିଡ୍‌ ହସ୍ପିଟାଲ ବୁଲି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ଅଗ୍ନିଶମ ଡିଜି ଏମ୍.ଅକ୍ଷୟ। ଆଜି ରାଜଧାନୀର ସମସ୍ତ ୮ଟି କୋଭିଡ୍ ହସ୍ପିଟାଲ ବୁଲିବା ସହ ସେଠାରେ ନିୟୋଜିତ ଆଗ୍ନିକମାନଙ୍କ ସହ ଆଲୋଚନା କରିଛନ୍ତି। ଅଗ୍ନି ନିରାପତ୍ତା ବ୍ୟବସ୍ଥା କେମିତି ରହିଛି, କ’ଣ ପଦକ୍ଷେପ ନିଆଯାଇଛି, ଯଦି କୌଣସି ଅଘଟଣ ଘଟେ, ତାହେଲେ ନିୟୋଜିତ କର୍ମଚାରୀମାନେ କେମିତି ତାହାର ମୁକାବିଲା କରିବେ, ନିକଟସ୍ଥ ଅଗ୍ନିଶମ କେନ୍ଦ୍ରରୁ କେମିତି ଗାଡ଼ି ଆସି ପହଞ୍ଚି ପାରିବ, ସେ ସମ୍ପର୍କରେ ଅନୁଧ୍ୟାନ କରିବା ସହ ସ୍ଥିତି ସମୀକ୍ଷା କରିଥିଲେ। ଡିଜି ଶ୍ରୀ ଅକ୍ଷୟଙ୍କ ସହ ଅଗ୍ନିଶମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ରାଜଧାନୀରେ ଏବେ ୮ଟି କୋଭିଡ୍ ହସ୍ପିଟାଲ କାମ କରୁଛି। ସେଗୁଡ଼ିକ ହେଲା ପାଣ୍ଡରାସ୍ଥିତ ହାଇଟେକ୍ କୋଭିଡ୍ ହସ୍ପିଟାଲ, ବାଳକାଟି ସ୍ଥିତ ନୀଳାଚଳ କୋଭିଡ୍ ହସ୍ପିଟାଲ, ମଞ୍ଚେଶ୍ବର ବ୍ଲୁ ହ୍ବିଲ୍ ହସ୍ପିଟାଲ, ସମ୍ ହସ୍ପିଟାଲ, ଚନ୍ଦ୍ରଶେଖରପୁର ଆଦିତ୍ୟ-ଅଶ୍ବିନୀ ହସ୍ପିଟାଲ, କିମସ କୋଭିଡ୍ ହସ୍ପିଟାଲ, ଡୁମୁଡୁମାସ୍ଥିତ କିଡସ୍ କୋଭିଡ୍ ହସ୍ପିଟାଲ, ଚନ୍ଦକା କଣ୍ଟାବାଡ଼ସ୍ଥିତ ସ୍ପର୍ଶ କୋଭିଡ୍ ହସ୍ପିଟାଲ। ପ୍ରତ୍ୟେକ କୋଭିଡ୍ ହସ୍ପିଟାଲରେ ୬ଜଣ ଲେଖାଏଁ ଅଗ୍ନିଶମ କର୍ମଚାରୀ ୨୪ଘଣ୍ଟିଆ ଡ୍ୟୁଟି କରୁଛନ୍ତି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ ଆଦି ରାଜ୍ୟରେ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି।

କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କଲା ବିଏମ୍‌ସି ଟିମ୍
ଭୁବନେଶ୍ବର : ବିଭିନ୍ନ କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଆବଶ୍ୟକ ଚିକିତ୍ସା ମିଳୁ ନଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ଏହାକୁ ଯାଞ୍ଚ କରିବାକୁ ଆଜି ବିଏମ୍‌ସି ଅଧିକାରୀ ଓ ମେଡିକାଲ ଅଫିସର୍‌ମାନେ କୋଭିଡ୍ ହସ୍ପିଟାଲ ଯାଞ୍ଚ କରିଛନ୍ତି। ଏହି ଅଧିକାରୀମାନେ ଆଇସିୟୁ ଭିତରକୁ ଯାଇ ଯାଞ୍ଚ କରିବା ସହ ଆକ୍ରାନ୍ତଙ୍କ ସହ କଥା ହୋଇଛନ୍ତି। ଯେଉଁ ହସ୍ପିଟାଲରେ ଆକ୍ରାନ୍ତମାନେ ସମସ୍ୟା ନେଇ ଅଭିଯୋଗ କରିଥିଲେ, ସେଗୁଡ଼ିକ ଉପରେ ତୁରନ୍ତ ପଦକ୍ଷେପ ‌ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର