ଭୁବନେଶ୍ବର: ଏଣିକି ନିଆଁ ଲିଭାଇବାରେ ଅଗ୍ନିଶମ ବାହିନୀ କାମକୁ ସହଜ କରିବ ରୋବୋଟିକ୍‌ ମନିଟର୍‌। ଇସ୍ରାଏଲ୍‌ ଜ୍ଞାନକୌଶଳ‌ରେ ନିର୍ମିତ ଏହି ମନିଟର୍ ରିମୋଟ୍‌ କଣ୍ଟ୍ରୋଲ୍‌ ଦ୍ବାରା ନିୟନ୍ତ୍ରିତ ହେବ। ବିଷାକ୍ତ ଗ୍ୟାସ୍‌ ନିର୍ଗମନ, ପେଟ୍ରୋଲ୍ ପମ୍ପରେ ଅଗ୍ନିକାଣ୍ଡ, ଫ୍ୟାକ୍ଟ୍ରି, ବଡ଼ବଡ଼ ଗୋଦାମ, ମଲ୍‌ ବା ଆପାର୍ଟମେଣ୍ଟ ଭଳି ବିପଜ୍ଜନକ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ଲାଗି ଏଣିକି ରୋବୋଟିକ୍‌ ମନିଟର୍‌ କାମ କରିବ। ଯେଉଁ ଭୟଙ୍କର ଅଗ୍ନିକାଣ୍ଡ ବେଳେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଠିକଣା ସ୍ଥାନକୁ ପହଞ୍ଚିପାରନ୍ତି ନାହିଁ, ଏହି ରୋବୋଟିକ୍‌ ମନିଟର୍ ସେଠାରେ ବେଶ୍‌ ସହଜରେ ପହଞ୍ଚି ନିଆଁକୁ ଆୟତ୍ତ କରିବ। ଓଡ଼ିଶା ଅଗ୍ନିଶମ ବାହିନୀ ଖୁବ୍‌ ଶୀଘ୍ର ୧୦୦ ମନିଟର୍ ଆଣିବାକୁ ଯୋଜନା କରିଛି।

Advertisment

ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଖୁବ୍‌ ଶୀଘ୍ର ଓଡ଼ିଶା ଅଗ୍ନିଶମ ବିଭାଗ ଏହି ବିଦେଶୀ ଟେକ୍‌ନିକ୍‌ ଆପଣାଇବାକୁ ଯାଉଛି। ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ଏହି ‌ମନିଟର୍ ଯଥେଷ୍ଟ ଜଳ କିମ୍ପା ଫେଣ(ଫୋମ୍‌) ନେଇ ପହଞ୍ଚିଯିବ ଏବଂ ନିଆଁକୁ ଆୟତ୍ତ କରିବ। ଯେଉଁଠି ମଣିଷ ପହଞ୍ଚିବା ଅସମ୍ଭବ, ସେଠାରେ ଏହି ଯନ୍ତ୍ର ଅକ୍ଳେଶରେ ପହଞ୍ଚିପାରିବ। ଏହା ଦେଖିବାକୁ ଯୁଦ୍ଧ ଟ୍ୟାଙ୍କ୍‌ ସଦୃଶ। ଟ୍ୟାଙ୍କ୍‌ ଯେପରି ଚେନ୍‌ ହ୍ବିଲ୍‌ରେ ଆଗକୁ ଯାଏ, ଠିକ ସେହିପରି ରିମୋଟ୍‌ ପରିଚାଳିତ ଏହି ରୋବୋଟିକ୍‌ ମନିଟର୍‌ ଚେନ୍‌ ହ୍ବିଲ୍‌ରେ ବିପଦସଂକୁଳ ସ୍ଥାନକୁ ଯିବ। ଯେଉଁ ପ୍ରତିକୂଳ ପରିସ୍ଥିତିରେ ଫାୟାର୍‌ମ୍ୟାନ୍‌ଙ୍କ ଜୀବନ ପ୍ରତି ବିପଦର ସମ୍ଭାବନା ଥାଏ, ସେହି ସ୍ଥାନରେ ରୋବୋଟିକ୍‌ ମନିଟର୍‌ ନିୟୋଜିତ ‌ହେବ। ପାଣି ଟ୍ୟାଙ୍କର୍‌ର ପାଇପ୍‌କୁ ରୋବୋଟିକ୍‌ ମନିଟର୍‌ ସହ ସଂଯୋଗ କରାଯିବ। ନିଆଁ ଲାଗିଥିବା ଦୁର୍ଗମ ସ୍ଥାନରେ ରୋବୋଟିକ୍‌ ମନିଟର୍‌ ପହଞ୍ଚିବା ପରେ ରିମୋଟ୍‌ କଣ୍ଟ୍ରୋଲ୍‌ ଜରିଆରେ ପାଣି ଫୋପାଡ଼ିବା କାର୍ଯ୍ୟକୁ ନିୟନ୍ତ୍ରଣ କରାଯିବ। ଇସ୍ରାଏଲ୍‌ ନିର୍ମିତ ଏହି ଯନ୍ତ୍ର ଏବେ ବିଶ୍ବର ବହୁ ବଡ଼ବଡ଼ ମେଟ୍ରୋ ସହରରେ ବ୍ୟବହାର କରାଯାଉଛି। ଏବେ ଓଡ଼ିଶା ଅଗ୍ନିଶମ ବାହିନୀର କର୍ମଚାରୀମାନଙ୍କୁ ଏହି ଯନ୍ତ୍ର ବ୍ୟବହାର ଶିକ୍ଷା ଉପରେ ତାଲିମ ଦିଆଯିବ ଏବଂ ପରେପରେ ୧୦୦ ‌ରୋବୋଟିକ୍‌ ମନିଟର୍ କିଣାଯିବ। ସୂଚନାଯୋଗ୍ୟ ଯେ ନିକଟରେ ରାଜ୍ୟ ଅଗ୍ନିଶମ ବାହିନୀ ରାଜସ୍ଥାନ ଶୈଳୀରେ ରେସ୍କ୍ୟୁ ଡଗ୍‌ ସାମିଲ କରିଛି। ରୋବୋଟିକ୍‌ ମନିଟର ଯୋଡ଼ିହେବା ପରେ ଓଡ଼ିଶା ଦେଶର ଅନ୍ୟତମ ଶକ୍ତିଶାଳୀ ଅଗ୍ନିଶମ ବାହିନୀ ହେବ।