ଚନ୍ଦ୍ରଶେଖରପୁର : ଏବେ ବି କୁହୁଳୁଛି ଦାରୁଠେଙ୍ଗ ଡମ୍ପିଂୟାର୍ଡ ନିଆଁ। ଅଗ୍ନିଶମ କର୍ମଚାରୀଙ୍କ କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି ସତ ହେଲେ ସମ୍ପୂର୍ଣ୍ଣ ଲିଭି ନାହିଁ। କୁହୁଳୁଥିବା ନିଆଁରୁ ରାଜଧାନୀକୁ ବିପଦ ଆଶଙ୍କା ଲାଗି ରହିଥିବା ବେଳେ ଆଜି ସୈନିକ ସ୍କୁଲ ପଛ ପାର୍ଶ୍ବରେ ଥିବା ଡମ୍ପିଂୟାର୍ଡରେ ନିଆଁ ଲାଗିଛି। କେମିତି ନିଆଁ ଲାଗିଲା, କାହା ପାଖରେ ଖବର ନାହିଁ। ସ୍ଥାନୀୟ ଲୋକେ ବି କିଛି ଜାଣି ନ ଥିବା କହିଛନ୍ତି। ତେବେ ଗୋଟିଏ ପରେ ଗୋଟିଏ ଡମ୍ପିଂୟାର୍ଡରେ ନିଆଁ ଲାଗୁଥିବାରୁ ରାଜଧାନୀ ଆକାଶରେ ବିପଦର ଘନ ବାଦଲ ଘୋଟି ହୋଇଛି। ଲାଗୁଥିବା ନିଆଁ କେତେବେଳେ ଉଗ୍ରରୂପ ଧାରଣ କରିବ, ତାହା କେହି ବି କହିପାରିବେ ନାହିଁ। ଯଦି ସେମିତି କିଛି ଅଘଟଣ ହୁଏ, ସମ୍ପୂର୍ଣ୍ଣ ରାଜଧାନୀ ନିଆଁର ଆଁ ଭିତରେ ଗିଳି ହୋଇଯିବ।
ସ୍ଥାନୀୟ ଲୋକଙ୍କ କହିବା କଥା ହେଉଛି ଯେ ସକାଳୁ ଉଠିଲା ବେଳକୁ ଡମ୍ପିଂୟାର୍ଡ ହୁତୁହୁତୁ ହୋଇ ଜଳୁଥିଲା। ନିଆଁ ସାଙ୍ଗକୁ ଧୂଆଁରେ ସାରା ଅଞ୍ଚଳ ଅନ୍ଧକାରମୟ ହୋଇଯାଇଥିଲା। ଦୁର୍ଗନ୍ଧରେ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଉପୁଜିଥିଲା। ନିଆଁ ଅଧିକ ବ୍ୟାପିବା ଆଶଙ୍କା କରି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଏକାଥରେ ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କାମରେ ଲାଗି ପଡ଼ିଥିଲେ। ପ୍ରାୟ ୪ ଘଣ୍ଟା ପରିଶ୍ରମ କରିବା ପରେ ନିଆଁ ଆୟତ୍ତ ହୋଇଥିଲା।
ତେବେ ନିଆଁ କେମିତି ଲାଗିଲା, ତାହାକୁ ନେଇ ସନ୍ଦେହ ଉପୁଜିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି ଯେ ବାତ୍ୟା ପରେ ଡମ୍ପିଂୟାର୍ଡରେ ଅଧିକ ପରିମାଣରେ ଅଳିଆ ଆବର୍ଜନା ପଡ଼ୁଛି। ଯେଉଁ ଆବର୍ଜନା ପଡ଼ୁଛି ସେଥିରେ ଅଧିକାଂଶ ଶୁଖିଲା ଗଛ ଡାଳ ଓ ପତ୍ର ରହିଛି। ପୂର୍ବରୁ ଡମ୍ପିଂୟାର୍ଡରେ ଦୈନିକ ପ୍ରାୟ ୧୭୦ରୁ ଅଧିକ ଟ୍ରିପ୍ ଅଳିଆ ପଡ଼ୁଥିଲା। କିନ୍ତୁ ବାତ୍ୟା ପରେ ପ୍ରତିଦିନ ୨୦୦ରୁ ଟ୍ରିପ୍ରୁ ଅଧିକ ଅବର୍ଜନା ଜମା ହେଉଛି। ଅଳିଆ ଓଜନ କମାଇବା ଲାଗି ବିଏମ୍ସି କର୍ମଚାରୀମାନେ ଏଭଳି ନିଆଁ ଲଗାଇ ଥାଇପାରନ୍ତି ବୋଲି ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ରାଜଧାନୀର ତାପମାତ୍ରା ବୃଦ୍ଧି ସାଙ୍ଗକୁ ଗୁଳୁଗୁଳିରେ ସହରବାସୀ ଅସ୍ତବ୍ୟସ୍ତ ହେଉଛନ୍ତି। ତାତିରୁ ରକ୍ଷା ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି। ଏଭଳି ସମୟରେ ସୈନିକ ସ୍କୁଲ ପଛପାର୍ଶ୍ବ ଡମ୍ପିଂୟାର୍ଡରେ ନିଆଁ ଯୋଗୁଁ ଏହା ନିକଟରେ ଥିବା ଧିରିକୁଟି ସାହି, ପାତ୍ରସାହି, ସୈନିକ ସ୍କୁଲ ପଡ଼ିଆ ବସ୍ତି, ଦାଶରାଜା ବସ୍ତି, ରଙ୍ଗମାଟିଆ, ଗାଡ଼କଣ, ରେଲୱେ କଲୋନିବାସୀ ଧୂଆଁରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ବିଷାକ୍ତ ଧୂଆଁ ପ୍ରଭାବରେ ସ୍ଥିତି ସାଂଘାତିକ ହୋଇଥିଲା। ଦିନ ସାରା ଲୋକେ ଗରମରେ ଛଟପଟ ହୋଇଥିଲେ। ଗତବର୍ଷ ମଧ୍ୟ ଏଭଳି ଧୂଆଁ ଓ ଦୁର୍ଗନ୍ଧରେ ୮ଜଣ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିଲେ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବାତ୍ୟା ପରେ ଭାଙ୍ଗି ପଡ଼ିଥିବା ଗଛ ଡାଳଗୁଡ଼ିକୁ ଏପର୍ଯ୍ୟନ୍ତ ସହର ବାହାରକୁ ସ୍ଥାନାନ୍ତର କରାଯାଇନାହିଁ। ରାସ୍ତା ପାର୍ଶ୍ବରୁ ଗଛ ଡାଳ, ପତ୍ର ଉଠାଯାଇ ସହରର ୨୦ରୁ ଅଧିକ ଖୋଲା ପଡ଼ିଆରେ ଜମା କରାଯାଇଛି। ବାତ୍ୟା ପରେ ଟାଣ ଖରା ହେଉଥିବାରୁ ଗଛ ଡାଳ ଓ ପତ୍ର ଶୁଖି ଯାଇଛି। ଟ୍ରକ୍ ଟ୍ରକ୍ ଅଳିଆ ପଡ଼ି ରହିଥିବାରୁ ଯଦି କୌଣସି କାରଣରୁ ସେଥିରେ ନିଆଁ ଲାଗିଯାଏ, ତେବେ ଭୟଙ୍କର ପରିସ୍ଥିତ ଉପୁଜିବ। ନିମିଷକ ମଧ୍ୟରେ ସମଗ୍ର ଅଞ୍ଚଳକୁ ବ୍ୟାପିଯିବାର ବି ଭୟ ରହୁଛି। ୟୁନିଟ୍-୧, ୟୁନିଟ୍-୬, ଡମଣା ଛକ, ସହିଦନଗର, ବାଣୀବିହାର, ବରମୁଣ୍ଡା, ରସୁଲଗଡ଼ ଅଞ୍ଚଳରେ ଥିବା ଖୋଲା ପଡ଼ିଆରେ ଶୁଖିଲା ଗଛ ଡାଳ ପଡ଼ି ରହିଥିବା ଦେଖିବାକୁ ମିଳୁଛି। ଫଳରେ ନିଆଁ ଲାଗିଲେ ସହରରେ ଭୟଙ୍କର ଅଗ୍ନିକାଣ୍ଡ ହୋଇପାରେ।
ଦୁଇଟି ଜାଗାରେ ଅଗ୍ନିକାଣ୍ଡ, ଅଳିଆ ଗଦାରୁ ହୁତ୍ ହୁତ୍ ଜଳିଲା
ଭୁବନେଶ୍ୱର : ଆଜି ରାଜଧାନୀର ଭିନ୍ନ ଭିନ୍ନ ଜାଗାରେ ଅଗ୍ନିକାଣ୍ଡ ଘଟିଛି। ସକାଳେ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଭିତରେ ଏକ ପ୍ରେସ୍ କାର୍ଯ୍ୟାଳୟରେ ପରିସରରେ ଗଦା ହୋଇଥିବା ଅଳିଆରେ ନିଆଁ ଲାଗିଯିବାରୁ ସମଗ୍ର ପରିସରକୁ ବ୍ୟାପି ଯାଇଥିଲା। ଫଳରେ କର୍ମଚାରୀମାନେ ଭୟଭୀତ ହୋଇଥିଲେ। ପରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେହିଭଳି ରାତି ପ୍ରାୟ ୧୦ଟା ବେଳେ ବାପୁଜୀନଗରସ୍ଥିତ ହୋଟେଲ ଚାନ୍ଦ ସମ୍ମୁଖରେ ଗଦା ହୋଇଥିବା ଅଳିଆରେ କେହି ନିଆଁ ଲଗାଇ ଦେବାରୁ ଜଳିବା ଆରମ୍ଭ ହୋଇଥିଲା। ନିଆଁ ବ୍ୟାପୀ ଅନ୍ୟ ଦୋକାନ ଓ ବିଦ୍ୟୁତ ତାରରେ ଲାଗିଯିବା ଆଶଙ୍କା ଥିବାରୁ ବ୍ୟବସାୟୀମାନେ ଦମକଳ ବାହିନୀକୁ ଖବର ଦେଇଥିଲେ। ସଂସ୍ଥାର ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଫନି ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛଡାଳ ଭାଙ୍ଗି ଗଦା ହୋଇଥିବାରୁ ଏଭଳି ନିଆଁ ଲାଗିବା ଆଶଙ୍କା ସୃଷ୍ଟି ହୋଇଛି। ଜନବସତି ମଝିରେ ଗଦା ହୋଇଥିବା ଭଙ୍ଗା ଡାଳ ପତ୍ର ତୁରନ୍ତ ସଫା କରିବା ପାଇଁ ଦାବି ହୋଇଛି।