ଭୁବନେଶ୍ବର: ଭୁବନେଶ୍ବର ଅଗ୍ନିଶମ ବିଭାଗ ପାଖରେ କେବଳ ୭୦ ମିଟର ଉଚ୍ଚତା ମଧ୍ୟରେ ନିଆଁ ଲିଭାଇବାର ସାଧନ ଅଛି। ମାତ୍ର ପ୍ରତିଦିନ ରାଜଧାନୀରେ ବଢ଼ୁଥିବା ଉଚ୍ଚ ଅଟାଳିକା ସହ ଦମ୍କଳ ପଶିପାରୁ ନଥିବା ଅଞ୍ଚଳରେ ନିଆଁକୁ ଆୟତ୍ତ କରିବା କାଠିକର ପାଠ ହେଉଥିବାରୁ ‘ଡ୍ରୋନ୍’ ବ୍ୟବସ୍ଥା ଅପଣାଇବା ପାଇଁ ଅଣ୍ଟାଭିଡ଼ିଛି ଅଗ୍ନିଶମ ବିଭାଗ। ଖୁବ୍ଶୀଘ୍ର ଭୁବନେଶ୍ବର ଅଗ୍ନିଶମ ବିଭାଗ ସହ ଡ୍ରୋନ୍ସେବା ଯୋଡ଼ିହେବାକୁ ଯାଉଛି ବୋଲି ଅଗ୍ନିଶମ ବିଭାଗର ଜଣେ ବଡ଼ ଅଧିକାରୀ କହିଛନ୍ତି।
ରାଜଧାନୀରେ ଉଚ୍ଚ ଆପାର୍ଟମେଣ୍ଟ ତଥା ଅଟ୍ଟାଳିକା ନିର୍ମାଣର ଏକ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ପାହାଳ ସମେତ ଉତ୍ତର ଭୁବନେଶ୍ବର ଅଞ୍ଚଳରେ ବହୁ ଗଗନସ୍ପର୍ଶୀ ଅଟ୍ଟାଳିକା ନିର୍ମାଣ କରାଯାଉଛି। ବିଡିଏ ପକ୍ଷରୁ ମଧ୍ୟ ଏନେଇ କୌଣସି କଟକଣା ନାହିଁ। ଯିଏ ଯେତେ ଉଚ୍ଚ ଅଟ୍ଟାଳିକା କରିପାରିଲା। କିନ୍ତୁ ଭବିଷ୍ୟତରେ ଯଦି କୌଣସି ଅଘଟଣ କିମ୍ବା ଅଗ୍ନିକାଣ୍ଡ ଘଟେ, ତେବେ ଧନଜୀବନ ରକ୍ଷା କରିବା ତଥା ବଞ୍ଚାଇବା କାଠିକର ପାଠ ହୋଇଯିବ। ଉଚ୍ଚ ଅଟ୍ଟାଳିକାରେ ଲୋକାର୍ପଣ ହେବା ପୂର୍ବରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଉଥିଲେ ମଧ୍ୟ କୌଣସି ବଡ଼ ଦୁର୍ଘଟଣାକୁ ଏଡ଼ାଇ ହେବ ନାହିଁ। ଅନ୍ୟ ପକ୍ଷରେ ଭୁବନେଶ୍ବର ଅଗ୍ନିଶମ ବ୍ୟବସ୍ଥାରେ ସର୍ବାଧିକ ୭୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଅଗ୍ନି ନିର୍ବାପନ ସମ୍ଭବ ହୋଇପାରିବ। ଏହାଠାରୁ ଅଧିକ ଉଚ୍ଚତାରେ ନିଆଁ ଲିଭାଇବା ପାଇଁ ଭୁବନେଶ୍ବର ଅଗ୍ନିଶମ ବିଭାଗର ସାମର୍ଥ୍ୟ ନାହିଁ। ତେଣୁ ଭୁବନେଶ୍ବର ଅଗ୍ନିଶମ ବିଭାଗରେ ଖୁବ୍ଶୀଘ୍ର ଡ୍ରୋନ୍ ବ୍ୟବସ୍ଥା ଅପଣାଇବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି। ଡ୍ରୋନ୍ ବ୍ୟବସ୍ଥା କମ୍ ଟଙ୍କାରେ ଅଧିକ ପ୍ରଭାବଶାଳୀ ହୋଇପାରିବ। ପୂର୍ବରୁ ରୋବୋଟିକ୍ ବ୍ୟବସ୍ଥା ଦ୍ବାରା ନିଆଁ ଲିଭାଇବା ବ୍ୟବସ୍ଥା ରହିଛି। ଏହା ସଫଳ ହୋଇଛି। ତେଣୁ ଅଗ୍ନିଶମ ବିଭାଗକୁ ଅତ୍ୟାଧୁନିକ କରିବା ପାଇଁ ବିଭିନ୍ନ ଯୋଜନା କରାଯାଇଛି। ଯେଉଁଠାରେ ଅଗ୍ନିଶମ ବିଭାଗ ପହଞ୍ଚିପାରୁ ନାହିଁ ସେଠାରେ ଡ୍ରୋନ ପହଞ୍ଚିଯିବ। ଉଚ୍ଚ ଅଟ୍ଟାଳିକା ସହିତ ବିଭିନ୍ନ ମଲ୍ ଓ ହାଟ ଅଞ୍ଚଳରେ ଡ୍ରୋନ୍ ସହାୟତାରେ ନିଆଁ ଆୟତ୍ତ କରାଯାଇପାରିବ। ଏନେଇ ପ୍ରଥମେ ପରୀକ୍ଷାମୂଳକ ଭାବେ ଏହାକୁ ସାମିଲ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ଏହାବାଦ୍ ୩୦ କୋଟି ବ୍ୟୟରେ ଅତ୍ୟାଧୁନିକ ନିୟନ୍ତ୍ରଣ କକ୍ଷ କରାଯିବ। ଦମ୍କଳ ଗାଡ଼ିରେ ସିସିଟିଭି, ଜିପିଏସ୍ ବ୍ୟବସ୍ଥା କରାଯିବ। ଯାହା ଫଳରେ ଅତ୍ୟାଧୁନିକ କକ୍ଷରେ ବସି ଦମ୍କଳ ଗାଡ଼ିକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଅଗ୍ନିଶମ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/22/untitled-5-2025-11-22-05-18-15.jpg)