ଭୁବନେଶ୍ବର : ଜଗନ୍ନାଥ ହେ... ରକ୍ଷା କର...ଆମକୁ ବଞ୍ଚାଅ..। ବିମାନରେ ନିଆଁ ଲାଗିବା ପରେ ଚିତ୍କାରରେ ଫାଟି ପଡ଼ିଥିଲା ଏଆଇସି-୬୭୦। ଏହି କୋଳାହଳ ଭିତରେ ବି କିଛି ବ୍ୟକ୍ତି କାନ୍ଦ କାନ୍ଦ ହୋଇ ଜଗନ୍ନାଥ..ଜଗନ୍ନାଥ..ବୋଲି ଡାକ ଛାଡ଼ିଥିଲେ। ମହାପ୍ରଭୁ ଆଜି ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଥିବା ବେଳେ ବିପଦରେ ପଡ଼ିଥିବା ଯାତ୍ରୀଙ୍କ ବିକଳ ସ୍ବର ଶୁଣି ଯେମିତି ଉଦ୍ଧାର କରିବାକୁ ଚାଲି ଆସିଥିଲେ। କିଛି ଅଘଟଣ ଘଟିବା ପୂର୍ବରୁ ସୁରକ୍ଷିତ ଭାବେ ଓହ୍ଲାଇଥିଲେ ୮୯ ଯାତ୍ରୀ ଓ ଏୟାର ଇଣ୍ଡିଆର କର୍ମକର୍ତା।
ସନ୍ଧ୍ୟାରେ ମାତ୍ର ୨୫ ମିନିଟ୍ର ଉଡ଼ାଣ ପରେ ନିଆଁ ଲାଗିଯିବାରୁ ସମସ୍ତ ଯାତ୍ରୀ ଭୟରେ ଥରିବାକୁ ଲାଗିଲେ। ଛୋଟ ପିଲାମାନେ ତାଙ୍କ ମା’ମାନଙ୍କୁ ଜାବୁଡ଼ି ଧରି କାନ୍ଦିବାକୁ ଲାଗିଲେ। ଏୟାର ଇଣ୍ଡିଆର ସଦସ୍ୟମାନେ ଯେତେ ବୁଝେଇଥିଲେ ମଧ୍ୟ ମନ କୋଉ ବୁଝୁଥିଲା। ପିଲାମାନେ ବିକଳ ହୋଇ କହୁଥିଲେ, ଆମର କିଛି ହବନି ତ? ମା’ମାନେ ସାନ୍ତ୍ବନା ଦେବା ବଦଳରେ ନିଜେ କାନ୍ଦକାନ୍ଦ ହୋଇଯାଉଥିଲେ।
ଯାତ୍ରୀ କୈଳାସ ଦାସଙ୍କ କହିବା ମୁତାବକ, ପାଇଲଟ୍ ବୁଦ୍ଧି ଖଟାଇ ବିମାନର ଜରୁରୀ ଅବତରଣ କରାଇଥିଲେ। ଏଇ ସମୟରେ ମଧ୍ୟ ସମସ୍ତେ ଜଗନ୍ନାଥ..ଜଗନ୍ନାଥ...ବୋଲି ଡାକୁଥିଲେ। ଯେବେ ବିମାନ ଅବତରଣ କଲା, ଲଗେଜ୍ ଛାଡ଼ି ସମସ୍ତେ ଧାଇଁବାକୁ ଲାଗିଲେ। ବିମାନରୁ ଓହ୍ଲାଇ ଆସିଥିଲେ ବି ଯେମିତି ଦେହରେ ଜୀବନ ନଥିଲା। ପିଲାମାନଙ୍କୁ ଛାତିରେ ଜାବୁଡ଼ି ଧରି ମା’ମାନେ ବି କାନ୍ଦକାନ୍ଦ ହୋଇଯାଇଥିଲେ। ଚିହ୍ନା ଅଚିହ୍ନା ସମସ୍ତେ ପରସ୍ପରକୁ ସାନ୍ତ୍ବନା ଦେଉଥିଲେ। ସମସ୍ତଙ୍କ ମୁହଁରେ ଥିଲା ସେଇ ଗୋଟିଏ କଥା, ଜଗନ୍ନାଥ ବଞ୍ଚେଇଦେଲେ...।
ଅପେକ୍ଷା କରି ରହିଛନ୍ତି ଯାତ୍ରୀ
ସନ୍ଧ୍ୟା ୬ଟାରେ ବିମାନ ଜରୁରୀ ଅବତରଣ କରିଥିଲେ ମଧ୍ୟ ରାତି ୨ଟା ପର୍ଯ୍ୟନ୍ତ ସେମାନଙ୍କ ଲାଗି ଯିବା ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇ ନାହିଁ। ରିପୋର୍ଟ ଲେଖା ଯିବା ବେଳକୁ ୮୯ଜଣ ଯାତ୍ରୀ ରାୟପୁର ବିମାନବନ୍ଦର ପରିସରରେ ବସି ରହିଛନ୍ତି। ଏୟାର ଇଣ୍ଡିଆ କର୍ତୃପକ୍ଷଙ୍କ ପକ୍ଷରୁ ଯାତ୍ରୀଙ୍କ ଲାଗି କିଛି ବି ଖାଦ୍ୟ ବ୍ୟବସ୍ଥା କରାଯାଇ ନ ଥିବା ବିମାନରେ ଥିବା ଯାତ୍ରୀ ଆଡଭୋକେଟ୍ ସୂର୍ଯ୍ୟ ଦାସ କହିଛନ୍ତି। ଆଉ ଜଣେ ଯାତ୍ରୀ କହିଛନ୍ତି ଯେ ରାତି ୩ଟାରେ ଆଉ ଏକ ବିମାନ ଆସିବ ବୋଲି ଏୟାର ଇଣ୍ଡିଆ କର୍ତୃପକ୍ଷ ଆମକୁ ଆଶ୍ବାସନା ଦେଇଛନ୍ତି।