ଚନ୍ଦ୍ରଶେଖରପୁର: ଗୁରୁବାର ଭୋର୍ ପ୍ରାୟ ୫ଟା ବେଳେ ପଟିଆ ଛକସ୍ଥିତ କେକେ ପ୍ଲାଜା ରେସିଡେନ୍‌ସି ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ୮ମ ମହଲାସ୍ଥିତ ୮୦୩ ନମ୍ବର ଫ୍ଲାଟ୍‌ ଭିତର ସମ୍ପୂର୍ଣ୍ଣ ଜଳିଯାଇଛି। ସୌଭାଗ୍ୟକୁ ଘରେ କେହି ନଥିବାରୁ ମୃତାହତ ଭଳି ଅଘଟଣ ଘଟିନାହିଁ। କିନ୍ତୁ ୨ ବିଏଚ୍‌କେ ଏହି ଫ୍ଲାଟ୍‌ର ସବୁ ରୁମ୍‌ରେ ନିଆଁ ଲାଗିଥିବାରୁ ଘରର ସମସ୍ତ ଆସବାବପତ୍ର, ଟିଭି, ରେଫ୍ରିଜରେଟର୍‌, ଏସି ଭଳି ବୈଦ୍ୟୁତିକ ଉପକରଣ ଓ ଅନ୍ୟାନ୍ୟ ବହୁ ଦାମୀ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

Advertisment

ଆପାର୍ଟମେଣ୍ଟ ବାସିନ୍ଦାଙ୍କ କହିବା କଥା ଫ୍ଲାଟ୍‌ର ମାଲିକ କିଛି ଦିନ ହେଲା ଘରେ ତାଲା ପକାଇ ବାହାରକୁ ଯାଇଛନ୍ତି। ତେଣୁ ଘର ଭିତରେ କେତେବେଳେ ନିଆଁ ଲାଗିଲା, କେହି ଜାଣିପାରିନଥିଲେ। ଘର ଭିତରୁ ପ୍ରବଳ ଧୂଆଁ ବାହାରି ୮ମ ମହଲା ଫ୍ଲୋର୍‌ ସାରା ଖେଳିଗଲା ପରେ ଅଗ୍ନିକାଣ୍ଡ କଥା ଜଣାପଡ଼ିଥିଲା। ତେଣୁ ସେହି ଫ୍ଲୋର୍‌ରେ ରହୁଥିବା ସମସ୍ତ ବାସିନ୍ଦା ନିଜକୁ ରକ୍ଷା କରିବାକୁ ବାହାରକୁ ଧାଇଁବା ଆରମ୍ଭ କରିଥିଲେ। ଘରେ ଜିନିଷପତ୍ରକୁ ନଜର ନ ଦେଇ ସମସ୍ତେ ନିଜ ନିଜ ପିଲାଛୁଆଙ୍କୁ ଧରି ଲିଫ୍‌ଟ ନିକଟକୁ ଧାଇଁଥିଲେ। କିନ୍ତୁ ସେତେବେଳକୁ ବିଦ୍ୟୁତ୍ କାଟି ଦିଆଯାଇଥିଲା ଏବଂ ଆପାର୍ଟମେଣ୍ଟର ସୁରକ୍ଷାକର୍ମୀମାନେ ଜେନେରେଟର ବନ୍ଦ କରିଦେଇଥିଲେ। ତେଣୁ ସମସ୍ତେ ଶିଡ଼ି ଦେଇ ବଡ଼ କଷ୍ଟରେ ତଳକୁ ଆସିଥିଲେ। ଜଣେ ବ୍ୟକ୍ତି ତାଙ୍କ ବୃଦ୍ଧ ବାପାଙ୍କୁ ଟେକିଟେକି ଶିଡ଼ି ବାଟ ଦେଇ ତଳକୁ ଆସିଥିଲେ।

ସେହିଭଳି ଆପାର୍ଟମେଣ୍ଟର ୭ମ, ୯ମ ଓ ୧୦ମ ମହଲାର ଅଧିବାସୀମାନେ ମଧ୍ୟ ପ୍ରାଣ ବିକଳରେ ତଳକୁ ଧାଇଁଥିଲେ। ଚାହୁଁଚାହୁଁ ଆପାର୍ଟମେଣ୍ଟ ପରିସର ଲୋକାରଣ୍ୟ ହୋଇଯାଇଥିଲା। ଏହା ଭିତରେ ନିଆଁ ଲାଗିଥିବା ୮୦୩ ନମ୍ବର ଫ୍ଲାଟ୍‌ର ଝରକା ଦେଇ ପ୍ରବଳ ଧୂଆଁ ବାହାରିବା ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଜଣାଇଦେଇଥିଲେ। ତେଣୁ କଳ୍ପନା ଛକ ଓ ଚନ୍ଦ୍ରଶେଖରପୁର ଦମକଳ କେନ୍ଦ୍ରରୁ ୩ ଗାଡ଼ି ପହଞ୍ଚିଯାଇଥିଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଶିଡ଼ି ପକାଇ ୮ ମହଲାକୁ ପାଣି ମାଡ଼ କରିଥିଲେ। ‌ପରେପରେ ବଡ଼ ସତର୍କତାର ସହ ସେମାନେ ପାଖ ଫ୍ଲାଟ୍‌ ଦେଇ ୮୦୩ ନମ୍ବର ଫ୍ଲାଟ୍‌ର କବାଟ ଭାଙ୍ଗି ଭିତରକୁ ପଶିବା ସହ ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ଘର ଭିତରେ ସବୁ ଜଳି ଯାଇଥିଲା। ଘର ଭିତରେ ସବୁଆଡ଼େ ପ୍ଲାଇ ଲଗାଇ ଇଣ୍ଟେରିଅର୍‌ ଡିଜାଇନ୍‌ କରାଯାଇଥିବାରୁ ନିଆଁ କ୍ଷୀପ୍ର ବେଗରେ ବ୍ୟାପିଥିଲା। ସେହିଭଳି କବା‌ଟ, ଝରକାରେ ଲାଗିଥିବା ସ୍କ୍ରିନ୍‌ ହୁତୁହୁତୁ ହୋଇ ଜଳିବାରୁ ନିଆଁ ସବୁ ରୁମ୍‌କୁ ମାଡ଼ିଯାଇଥିଲା।

ବର୍ତ୍ତିଗଲା ଠାକୁର ଘର
ଏହି ଅଗ୍ନିକାଣ୍ଡରେ ଗୋଟିଏ ବିସ୍ମୟକର ଘଟଣା ଦେଖିବାକୁ ମିଳିଛି। ଫ୍ଲାଟ୍‌ର ସବୁ ରୁମ୍‌କୁ ନିଆଁ ମାଡ଼ି ଯାଇଥିଲେ ହେଁ ଠାକୁର ଘର ସୁରକ୍ଷିତ ଥିବା ଜଣାପଡ଼ିଛି। ଠାକୁର ଘର ନିକଟକୁ ନିଆଁ ଯାଇନାହିଁ। ଏମିତିକି ଠାକୁର ଘରର କବାଟକୁ ମଧ୍ୟ ନିଆଁ ଛୁଇଁ ନାହିଁ। ବାଥ୍‌ରୁମ୍‌ ସହ ଫ୍ଲାଟ୍‌ର ସବୁ ରୁମ୍‌ରେ ନିଆଁର ତାଣ୍ଡବ ଦେଖିବାକୁ ମିଳିଥିଲେ ହେଁ ଠାକୁର ଘର ପୂରା ସୁରକ୍ଷିତ ରହିଛି। ତେଣୁ ଏହି ଘଟଣା ଆଜି ସମଗ୍ର ଆପାର୍ଟମେଣ୍ଟରେ ଚର୍ଚ୍ଚାର ବିଷୟ ହୋଇଛି।
ନିଆଁ ଲାଗିଲା କେମିତି?
ଫ୍ଲାଟ୍‌ର ମାଲିକ ଘରେ ତାଲା ପକାଇ ବାହାରକୁ ଯାଇଛନ୍ତି। ପ୍ରାୟ ୪/୫ ଦିନ ହେଲା ଘରେ କେହି ରହୁନଥିଲେ। ତେଣୁ ସମସ୍ତ ବୈଦ୍ୟୁତିକ ଉପକରଣ ବନ୍ଦ ଥିଲା। ତେଣୁ ସଟ୍‌ ସର୍କିଟ୍‌ ହେବା କଥାକୁ କେହି ବିଶ୍ବାସ କରିପାରୁନାହାନ୍ତି। ସେହିଭଳି ସୁରକ୍ଷାକର୍ମୀଙ୍କ କଡ଼ା ନଜରରେ ରହିଥିବା ଏହି ଫ୍ଲାଟ୍‌ରେ ବାହାରର କେହି ପଶିବା ମଧ୍ୟ ସମ୍ଭବ ନୁହେଁ। ପୁଣି ଭୋର୍‌ ସମୟରେ କିଏ, କାହିଁକି ବାହାରୁ ଆସିବ? ଏଭଳି ସ୍ଥିତିରେ କିଭଳି ନିଆଁ ଲାଗିଲା, ତାହା ସମସ୍ତଙ୍କୁ ଚକିତ କରିଛି। ଅଗ୍ନିଶମ ଅଧିକାରୀ ଏହାକୁ ସର୍ଟ ସର୍କିଟ୍‌ ବୋଲି ସନ୍ଦେହ କରୁଥିଲେ ହେଁ ଅଧିକ ତଦନ୍ତ ପରେ ସ୍ପଷ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି।