ରାଜଧାନୀକୁ ବିପଦ : ପୁଣି ଜଳିଲା ଦାରୁଠେଙ୍ଗ ଡମ୍ପିଂୟାର୍ଡ

ସତର୍କ ପରେ ବି ଶୁଣିଲେନି, ନିଆଁକୁଣ୍ଡ ପାଲଟିଲା ଭୁଆସୁଣୀ, ବଢ଼ିପାରେ ରାଜଧାନୀର ତାପମାତ୍ରା, ନିଆଁ ଲିଭାଇବାକୁ ଭୁବନେଶ୍ବରରୁ ଗଲା ୧୦ ଦମକଳ ଗାଡ଼ି

ଭୁବନେଶ୍ବର : ଚେତିଲାନି ପ୍ରଶାସନ। ପୂର୍ବରୁ ସତର୍କ ସତ୍ତ୍ବେ ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଭୁଆସୁଣୀ ଡମ୍ପିଂୟାର୍ଡରେ ରାଜଧାନୀର ଅଳିଆ ଗଦାକଲେ। ୧୦ ବର୍ଷ ଧରି ଏହି ଡମ୍ପିଂୟାର୍ଡ ସମସ୍ୟା ହୋଇ ରହିଥିଲେ ହେଁ ପ୍ରାଶାସନିକ ଉଦାସୀନତା କାରଣରୁ ଏହାକୁ ସମାଧାନ କରାଗଲା ନାହିଁ। ଫଳରେ ଡମ୍ପିଂୟାର୍ଡରେ ବାରମ୍ବାର ନିଆଁ ଲାଗି ‌ରାଜଧାନୀ ପ୍ରତି ବିପଦ ସୃଷ୍ଟି କରୁଛି। ପୂର୍ବରୁ ମାସେ ତଳେ ଡମ୍ପିଂୟାର୍ଡରେ ନିଆଁ ଲାଗିଥିବା ବେଳେ ଆଜି ପୁଣି ଭୟଙ୍କର ଭାବେ ଏହା ହୁତ୍‌ହୁତ୍‌ ହୋଇ ଜଳୁଛି। ଖବର ପାଇ ଭୁବନେଶ୍ବରର ୧୦ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛନ୍ତି। ନିଆଁର ପ୍ରକୋପ ଧୀରେ ଧୀ‌ରେ କମୁଥିବା ବେଳେ ଏଯାଏ ଆୟତ୍ତ କରାଯାଇ ପାରିନାହିଁ। ଆଜି ରାତି ସୁଦ୍ଧା ନିଆଁ ଲିଭାଯାଇ ପାରିବ ନାହିଁ ବୋଲି ମଧ୍ୟ ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ନିଆଁ ଲିଭାଇବା ପାଇଁ ବିଏମ୍‌ସି ଇଂଜିନିୟରିଂ ୱିଙ୍ଗ ଘଟଣାସ୍ଥଳକୁ ଯାଇଛନ୍ତି। ନିକଟରେ ଚନ୍ଦକା ଜଙ୍ଗଲ ଥିବାରୁ ନିଆଁ ଜଙ୍ଗଲକୁ ବ୍ୟାପିବାର ଆଶଙ୍କା ରହିଛି। ଏଥିଯୋଗୁଁ ମଧ୍ୟ ରାଜଧାନୀର ଉତ୍ତାପ ବଢ଼ିବ। ତାପମାତ୍ରା ବୃଦ୍ଧି ସାଙ୍ଗକୁ ନିଆଁର ତାତି ଲୋକଙ୍କୁ ଆହୁରି ଅସ୍ତବ୍ୟସ୍ତ କରିବା ଜଳଜଳ ଦେଖାଯାଉଛି। ଅପରପକ୍ଷରେ ଡମ୍ପିଂୟାର୍ଡରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିବା କାରଣରୁ ସ୍ଥାନୀୟ ଅଞ୍ଚଳରେ ପୁଣି ଅସନ୍ତୋଷ ବଢ଼ିବାରେ ଲାଗିଛି। ଅଗ୍ନିଶମ ଅଧିକାରୀଙ୍କ ସୂଚନା ମୁତାବକ, ଫନି ପରେ ରାଜଧାନୀରେ ଭାଙ୍ଗିଯାଇଥିବା ଗଛର ଡାଳ, ପତ୍ର ଓ ଖଣ୍ଡ ଆଦିକୁ ବିଏମସି ପକ୍ଷରୁ ସେଠାରେ ଡମ୍ପିଂ କରାଯାଉଛି। ଗତ କିଛି ଦିନ ମଧ୍ୟ ସେଠାରେ ପାହାଡ଼ ସଦୃଶ ଏଭଳି ଗଛପତ୍ର ଗଦା ହୋଇଛି। ଅଗ୍ନିକାଣ୍ଡ ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଘଟଣାସ୍ଥଳକୁ ଯାଇଥିଲା। କିନ୍ତୁ ନିଆଁ ଆୟତ୍ତ ନ ହେବାରୁ କଳ୍ପନା ଅଗ୍ନିଶମ, ସଚିବାଳୟ, ଚନ୍ଦ୍ରଶେଖରପୁର, ନରାଜ ଅଗ୍ନିଶମ କାର୍ଯ୍ୟାଳୟରୁ ଆହୁରି ୮ଟି ଗାଡ଼ି ମଗାଯାଇଥିଲା। ତଥାପି ନିଆଁ କମିବାର ନାଁ ଧରୁନାହିଁ। ବରଂ ଭୟାବହତା ବଢ଼ିବଢ଼ି ଚାଲିଛି। ପାଣି ପକାଇଲେ ଉପର ଲିଭି ଯାଉଛି। କିନ୍ତୁ ପରେ କୁହୁଳି କୁହୁଳି ପୁଣି ଥରେ ଜଳି ଉଠୁଛି।

ନିଆଁ ଲାଗିବା ପରେ ପ୍ରବଳ ଗରମ ଓ ଗୁଳୁଗୁଳି ସାଙ୍ଗକୁ ଡମ୍ପିଂୟାର୍ଡ ଧୂଆଁ ସ୍ଥାନୀୟ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ଦାରୁଠେଙ୍ଗ ସମେତ ଆଖପାଖ ଗାଁକୁ ଗରମ ପବନ ବ୍ୟାପିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଫନି ପରେ ସ୍ଥାନୀୟ ଅଞ୍ଚଳର ଅନେକ ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାବେଳେ ଏଭଳି ଅଗ୍ନିକାଣ୍ଡ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି।

ଅନ୍ୟପକ୍ଷରେ ଦାରୁଠେଙ୍ଗରେ ଡମ୍ପିଂୟାର୍ଡକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଅନେକ ଥର ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆଜିର ଘଟଣା ପରେ ପୁନର୍ବାର ଆସନ୍ତାକାଲି ଆନ୍ଦୋଳନ କରିବେ ବୋଲି ସଜବାଜ ହେଉଛନ୍ତି। ସେମାନେ ଆସନ୍ତାକାଲି ଅଳିଆ ବୁହା ଗାଡ଼ିଗୁଡ଼ିକୁ ଛାଡ଼ିବେ ନାହିଁ। ଫଳରେ ରାଜଧାନୀରେ ଅଳିଆ ବୁହା ଏକପ୍ରକାର ଠପ୍‌ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି।

ଫନି ପରେ ରାଜଧାନୀର ପ୍ରଦର୍ଶନୀ ପଡ଼ିଆ ସମେତ ବିଭିନ୍ନ ସ୍ଥାନରେ ଗଛ, ଡାଳ ଓ ପତ୍ର ଗଦା ହୋଇ ରହିଛି। ଏଗୁଡ଼ିକ ଶୁଖି ରହିଥିବାରୁ ଯେ କୌଣସି ସମୟରେ ଏହା ଦାରୁଠେଙ୍ଗ ଘଟଣାର ପୁନରାବୃତ୍ତି ଯେ ନ କରି‌ବ ତାହା କହିହେବ ନାହିଁ। ତେଣୁ ଦାରୁଠେଙ୍ଗ ଅଗ୍ନିକାଣ୍ଡ ପରେ ଅଳିଆ ଜମା କରାଯାଉଥିବା ଅନ୍ୟ ସ୍ଥାନ ଗୁଡ଼ିକ ରାଜଧାନୀ ପାଇଁ ବିପଦର କାରଣ ହୋଇପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର