କୁହୁଳୁଛି ଭୁଆସୁଣୀ ଡମ୍ପିଂୟାର୍ଡ ନିଆଁ : ଚନ୍ଦକାକୁ ବିପଦ ବଢ଼ିଲା

ବିଷାକ୍ତ ଧୂଆଁ କବ୍‌ଜାରେ ଜୀବଜନ୍ତୁ

ଭୁବନେଶ୍ୱର : ଭୁଆସୁଣୀ ଡମ୍ପିଂୟାର୍ଡ ନିଆଁ ଲିଭୁନି। ତିନି ଦିନ ହେଲା ଅଳିଆ ଭିତରେ କୁହୁଳି କୁହୁଳି ଜଳୁଛି। ୨୦ ଏକର ପରିମିତ ଏହି ଡମ୍ପିଂୟାର୍ଡର କେଉଁଠୁ ଧୂଆଁ ବାହାରୁଛି ତ ଆଉ କେଉଁଠି ହଠାତ୍‌ ନିଆଁ ଜଳି ଉଠୁଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ସାଙ୍ଗକୁ ନିଆଁ ତାତିରେ ସମଗ୍ର ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ତାତିରୁ ରକ୍ଷା ପାଇଁ ଲୋକେ ବାଟ ଖୋଜୁଥିବା ବେଳେ ନିକଟରେ ଥିବା ଜୀବଜନ୍ତୁଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ଏହାର ଆଖପାଖରେ ଥିବା ୬ଟି ଗାଁର ଗାଈଗୋରୁଙ୍କ କଥା‌ ନ କହିବା ଭଲ। ଗାଈ କ୍ଷୀର ଦେଉ ନାହାନ୍ତି। ସେମାନଙ୍କ ଗୋବରରୁ ପଲିଥିନ୍‌ ବାହାରୁଛି।

ଅଳିଆ ଆବର୍ଜନାକୁ ନେଇ ନିକଟସ୍ଥ ଅଞ୍ଚଳରେ ଏଭଳି ସ୍ଥିତି ଉପୁଜିଛି। ତେବେ ଡମ୍ପିଂୟାର୍ଡ ଥିବା ଚନ୍ଦକା ଜଙ୍ଗଲର ଜୀବଜନ୍ତୁଙ୍କ ପ୍ରତି ଏବେ ବିପଦ ଦେଖାଦେଲାଣି। ତିନି ଦିନ ହେଲା ଅଳିଆ ଗଦାର ବିଷାକ୍ତ ନିଆଁ ଚନ୍ଦକା ଜଙ୍ଗଲରେ ଥିବା ପଶୁପକ୍ଷୀଙ୍କ ଉପରେ ପ୍ରଭାବ ପକାଇବା ଆଶଙ୍କା ସୃଷ୍ଟି କରିଛି। ଜଙ୍ଗଲରେ ବହୁ ସଂଖ୍ୟାରେ ଜୀବଜନ୍ତୁ ହରିଣ, ବାର୍‌ହା, ନେଉଳ, ମୟୂର, ବଣ ବିଲେଇ, ଠେକୁଆ, ଅଜଗର ଆଦି ଜୀବଜନ୍ତୁ ଚଳପ୍ରଚଳ କରୁଛନ୍ତି। ବିଷାକ୍ତ ଧୂଆଁ ବାଜିବା ଦ୍ବାରା ସେମାନଙ୍କ ମୃତ୍ୟୁ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଥିସହ ଧୂଆଁ ବାହାରୁଥିବା ସ୍ଥାନରୁ ବାୟୁ ମଣ୍ଡଳରେ ନନ୍ଦନକାନନର ଦୂରତା ମାତ୍ର ଦୁଇ କିମି। ତେଣୁ ସିଧାସଳଖ ପ୍ରଭାବ ପଡ଼ିବାର ଆଶଙ୍କା ଦେଖାଦେଇଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ରହିଛି। ଏହି ଜଙ୍ଗଲର ବହୁ ଅଞ୍ଚଳକୁ ବାଉଁଶ ବଣ ଘେରି ରହିଛି। ଯଦି କୌଣସି କାରଣରୁ ଜଙ୍ଗଲ ମଧ୍ୟକୁ ନିଆଁ ଚାଲିଯାଏ ତେବେ ବାଉଁଶ ବଣରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାର ଆଶଙ୍କା ରହିଛି। ଆଉ ଯଦି ଥରେ ଜଙ୍ଗଲରେ ନିଆଁ ଲାଗେ ତେବେ ଏହାକୁ ନିୟନ୍ତ୍ରଣ କରିବା ସହଜ ହେବ ନାହିଁ। କେବଳ ଯେ ଜଙ୍ଗଲ ଧ୍ୱଂସ ହେବ ତାହା ନୁହେଁ। ବରଂ ଅଭୟାରଣ୍ୟରେ ଥିବା ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହୋଇପାରେ। ବନ୍ୟ ସଂପଦ ଧ୍ୱଂସ ପାଇବା ସହ ଜଙ୍ଗଲକୁ ଲାଗି ରହିଥିବା ଜନବସତିକୁ ବି ଅଗ୍ନିକାଣ୍ଡ ଗ୍ରାସ କରିବାର ବିପଦକୁ ଟାଳି ହେବ ନାହିଁ।

ପରିବେଶବିତ୍‌ଙ୍କ କହିବା କଥା ହେଉଛି ଖରାଦିନେ ବାଉଁଶ ଗଛ ଶୁଖି ଯାଉଥିବାରୁ ଏହି ସମୟରେ ଜଙ୍ଗଲରେ ନିଆଁ ଲାଗିଥା‌ଏ। ଚନ୍ଦକାରେ ବି ପୂର୍ବରୁ ବହୁଥର ନିଆଁ ଲାଗିବାର ନଜରି ରହିଛି। ପ୍ରାୟ ୨୦୦ ବର୍ଗ କିମି ଜଙ୍ଗଲରେ ପରିବ୍ୟାପ୍ତ ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ୧୮ ବର୍ଗ କିମି ଅଞ୍ଚଳରେ ବାଉଁଶ ରହିଥିବାରୁ ନିଆଁ ଲାଗିଲେ ଆଖି ପିଛୁଳାକେ ସାରା ଜଙ୍ଗଲକୁ ବ୍ୟାପିଯିବ। ତେଣୁ ଯେତେଦୂର ସମ୍ଭବ ଜଙ୍ଗଲକୁ ନିଆଁଠାରୁ ଦୂରେଇ ରଖିବା ଉଚିତ୍‌। ନିଆଁ ଲାଗିବା କ୍ଷଣି ତାହାକୁ ଯୁଦ୍ଧକାଳୀନ ଭିତ୍ତିରେ ଲିଭାଇବା ଦିଗରେ ଅଗ୍ନିଶମ ବିଭାଗ ଗୁରୁତ୍ବ ଦେବା‌ ଆବଶ୍ୟକ। ତିନି ଦିନ ହେଲା ନିଆଁ ଲାଗିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଲିଭାଇ ନ ପାରିବା ଚିନ୍ତା ବଢ଼ାଇଛି।

ଫାୟାର ଫାଇଟିଂ ସ୍କ୍ବାଡ୍‌ ପ୍ରସ୍ତୁତ

ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) କେଦାରନାଥ ସ୍ୱାଇଁ କହିଛନ୍ତି ଯେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଗ୍ନିକାଣ୍ଡ ନିୟନ୍ତ୍ରଣ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଫେବ୍ରୁଆରି ମାସଠାରୁ ପଦକ୍ଷେପ ନିଆଯାଇଛି। ସମସ୍ତ କର୍ମଚାରୀଙ୍କୁ ଫାୟାର ବ୍ଲୋୟର ଦିଆଯାଇଛି। ଫାୟାର ଫାଇଟିଂ ସ୍କ୍ବାଡ୍‌ ପ୍ରସ୍ତୁତ ହୋଇ ରହିଛନ୍ତି। ଜଙ୍ଗଲ ନିକଟରେ ବସବାସ କରୁଥିବା ଯୁବକମାନଙ୍କୁ ଏଥିରେ ଅଧିକ ପରିମାଣରେ ସାମିଲ କରାଯାଇଛି। ବିଭିନ୍ନ ସମୟରେ ସତର୍କତା ମୂଳକ ସୂଚନା ଦିଆଯାଉଛି। ଯେଉଁ ୫ଟି ଗ୍ରାମ ଜଙ୍ଗଲ ଭିତରେ ରହିଛନ୍ତି ସେଠାରେ ହୋର୍ଡିଂ ଲାଗିଛି। ନିଆଁଠାରୁ କିଭଳି ଦୂରେଇ ରହିବେ। ଏହି ସମୟରେ ଜଙ୍ଗଲ ଭିତରେ ଯେମିତି ଅଗ୍ନିକାଣ୍ଡ ଭଳି କାର୍ଯ୍ୟକଳାପ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କର୍ମଚାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

ପ୍ରଦୂଷଣ ବୋର୍ଡର ନିରବତା ନେଇ ପ୍ରଶ୍ନ

ଭୁବନେଶ୍ବର : ଡମ୍ପିଂୟାର୍ଡରେ ବାରମ୍ବାର ନିଆଁ ଲାଗୁଛି। ପରିବେଶ ଉପରେ ପ୍ରଭାବ ବି ପଡ଼ୁଛି। ହେଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିରବ। ନା କାର୍ଯ୍ୟାନୁଷ୍ଠାନ ନେଉଛି ନା କୌଣସି ଜରିମାନା ଆଦାୟ କରୁଛି। ବିଏମ୍‌ସିକୁ ଘଣ୍ଟ ଘୋଡ଼ାଇ ଚାଲିଛନ୍ତି ବିଭାଗୀୟ ଅଧିକାରୀ। କିଛି ଦିନ ପୂର୍ବରୁ ଚନ୍ଦକା ଶିଳ୍ପାଞ୍ଚଳରେ ବିଏମ୍‌ସି ପକ୍ଷରୁ ପଡ଼ୁଥିବା ଅଳିଆ ଗଦାରେ ନିଆଁ ଲାଗିଥିଲା। ପ୍ରାୟ ୩ କିମି ଅଞ୍ଚଳର ଲୋକେ ଅସ୍ତବ୍ୟସ୍ତ ହେଲେ। ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟଠାରୁ ମାତ୍ର ଗୋଟିଏ କିମି ଦୂରରେ ନିଆଁ ଲାଗିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଏବେ ଭୁଆସୁଣୀ ଡମ୍ପିଂୟାର୍ଡରେ ନିଆଁ ଲାଗିଥି‌ଲେ ମଧ୍ୟ ସେଠାକୁ ବୋର୍ଡର ଆଞ୍ଚଳିକ ଅଧିକାରୀ ଯାଉନାହାନ୍ତି କି ପ୍ରତିନିଧି ପଠାଉନାହାନ୍ତି। ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅଧିକାରୀଙ୍କୁ ଯୋଗାଯୋଗ କଲେ ମଧ୍ୟ ସେ ଧରାଛୁଆଁ ଦେଉନାହାନ୍ତି। ବାବୁ ଫିଲ୍‌ଡରେ ଅଛନ୍ତି, ପରେ ଆସ ବୋଲି ଉତ୍ତର ମିଳୁଛି।

ସମ୍ବନ୍ଧିତ ଖବର